ଭୁବନେଶ୍ୱର: ଦେହ ବ୍ୟବସାୟ ପାଇଁ ମୁମ୍ବାଇ ଚାଲାଣ ହେଉଥିଲେ ନାବାଳିକା। ଜଣେ କିମ୍ବା ଦୁଇଜଣ ନୁହେଁ, ବରଂ ୧୫ ନାବାଳିକା। ଖବର ପାଇ ଆନ୍ଧ୍ରପ୍ରଦେଶ ଚାଇଲ୍ଡ ଲାଇନ୍‌ ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ ମହିଳା କମିସନରେ ଉପସ୍ଥାପନ କରାଯିବା ପରେ ଓଡ଼ିଶା ମହିଳା କମିସନଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ପଚରାଉଚୁରାରେ ଦେହ ବ୍ୟବସାୟର ଅଭିଯୋଗ ପ୍ରମାଣିତ ହୋଇନାହିଁ। ବରଂ ସେମାନେ ମୁମ୍ବାଇର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଯାଉଥି‌ଲେ ବୋଲି ନାବାଳିକାଙ୍କ ସହ ଥିବା ଜଣେ ମହିଳା କହିଛନ୍ତି। କିନ୍ତୁ ସେମାନଙ୍କ ସହ ଆନ୍ଧ୍ରରୁ ଆସିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏମ. ଭେଙ୍କଟ କହିଛନ୍ତି, ଏମାନେ ଟ୍ରେନ୍‌ ଯୋଗେ ମୁମ୍ବାଇ ଯାଉଥିଲେ। ସୂଚନା ପାଇ ଆମେ ପୁଲିସ ସହ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲୁ। ସେମାନେ ଦେଇଥିବା ମୁମ୍ବାଇର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଠିକଣା ସମ୍ବନ୍ଧରେ ତଦନ୍ତ ହେଲେ ବାସ୍ତବ ଘଟଣା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଓଡ଼ିଶା ମହିଳା କମିସନ କନସଲ୍‌ଟାଣ୍ଟ ସୁଜାତା ଦାସ କହିଛନ୍ତି, ଟ୍ରେନ୍‌ରୁ ଉଦ୍ଧାର କରାଯାଇ ସେମାନଙ୍କୁ ଏଠାରେ ଉପସ୍ଥାପନ କରାଯାଇଛି। ଏହା ପଛ‌ରେ ଦେହ ବ୍ୟବସାୟ କାରଣ ଥିଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ। ଅନ୍ୟପଟେ ନାବାଳିକାଙ୍କ ସାଙ୍ଗରେ ଥିବା ଜଣେ ମହିଳା ଦେହ ବ୍ୟବସାୟ ଘଟଣାକୁ ଅସ୍ବୀକାର କରିଛନ୍ତି।

Advertisment

ସୂଚନା ମୁତାବକ, ଗତ ୨୬ ତାରିଖ ଦିନ କୋଣାର୍କ ଏକ୍ସପ୍ରେସ୍‌ରେ ଏକ ବଗିରେ ୨୦ରୁ ଊର୍ଦ୍ଧ୍ବ ମହିଳା ଓ ନାବାଳିକା ଥିଲେ। ସେମାନଙ୍କୁ ଦୁଇଜଣ ମହିଳା ଗାଇଡ଼୍‌ କରୁଥିଲେ। ବିଭିନ୍ନ ଷ୍ଟେସନ୍‌ରୁ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ କିଣିବା ସହ ସେମାନଙ୍କୁ ନିର୍ଦ୍ଦି‌ଷ୍ଟ ସ୍ଥାନରେ ପହଞ୍ଚାଇ ଦେଲେ କାମ ସରିଲା ବୋଲି ଉଭୟ ମହିଳା କଥା ହେଉଥିଲେ। ଏହାଦେଖି ସେହି ବଗିରେ ଥିବା ଜଣେ ଯାତ୍ରୀଙ୍କର ସନ୍ଦେହ ହୋଇଥିଲା। ସେ ଜଣେ ନାବାଳିକାଙ୍କ ସହ କଥାବାର୍ତ୍ତା ହୋଇଥିଲେ। କିଛି ଅଧିକ ପଚାରିବା ବେଳେ ସମ୍ପୃକ୍ତ ମହିଳା ଦ୍ବୟ ଯାତ୍ରୀଙ୍କ ଉପରେ ବିଗିଡ଼ିବା ସହ ସମ୍ପୃକ୍ତ ନାବାଳିକାକୁ ଗାଳି କରିଥିଲେ। କୌଣସି ନାବାଳିକା ଅନ୍ୟ କାହା ସହ କଥା ନ ହେବା ପାଇଁ ସେମାନେ ତାଗିଦ କରିଥିଲେ। ଏଣୁ ତାଙ୍କର ସନ୍ଦେହ ହୋଇଥିଲା। ସେ ଚାଇଲ୍ଡ ଲାଇନ୍‌କୁ ଖବର ଦେବାପରେ ରାଜମୁନ୍ଦ୍ରି ଷ୍ଟେସନରେ ଚାଇଲ୍ଡ ଲାଇନ୍‌, ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ପଚରାଉଚୁରା ବେଳେ ସେମାନେ ବାଲିଗୁଡ଼ା ଅଞ୍ଚଳର ବୋଲି କହିଥିଲେ। ଦେହ ବ୍ୟବସାୟ ଭଳି ଏକ ସଙ୍ଗିନ ଅଭିଯୋଗ ଥିବାରୁ ସେମାନଙ୍କୁ ତୁରନ୍ତ ଆନ୍ଧ୍ରପ୍ରଦେଶ ମହିଳା କମିସନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସେଠାରେ ସେମାନଙ୍କୁ ପଚରାଉଚୁରା କରାଯିବା ସହ ବୟାନ ରେକର୍ଡ କରାଯାଇଥିଲା। ପରେ ଓଡ଼ିଶା ରାଜ୍ୟ ମହିଳା କମିସନଙ୍କୁ ଖବର ଦିଆଯାଇଥିଲା। ସେମାନଙ୍କୁ କାଉନ୍‌ସେଲିଂ କରାଯାଇ ମହିଳା କମିସନଙ୍କ ନିର୍ଦ୍ଦେଶ କ୍ରମେ ସ୍ବଧାର ଗୃହକୁ ପଠାଯାଇଛି। ଏ ନେଇ ସମ୍ପୃକ୍ତ ମହିଳା କହିଛନ୍ତି, ମୁଁ ମୁମ୍ବାଇର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୧୫ ବର୍ଷ ହେଲା କାମ କରୁଛି। ଆମ ଅଞ୍ଚଳରେ କାମ ମିଳୁନଥିବାରୁ ଏମାନଙ୍କୁ ନେଇ ଯାଉଥିଲି। ତେବେ ମୁଁ ମାତ୍ର ୫ ଜଣଙ୍କୁ ନେଉଥିଲି। ଅନ୍ୟମାନଙ୍କୁ ମୁଁ ଚିହ୍ନି ନାହିଁ। ଆନ୍ଧ୍ରପ୍ରଦେଶ ପୁଲିସ ଆମକୁ ନିର୍ଯାତନା ଦେଲା। କେବଳ ଓଡ଼ିଶାରୁ ଯେଉଁମାନେ ଯାଉଥିଲେ ସେମାନଙ୍କୁ ଓହ୍ଲାଇ ଦେଇ ଥିବା ବେଳେ ଆନ୍ଧ୍ରପ୍ରଦେଶର କେତେକ ମହିଳା ଓ ନାବାଳିକାଙ୍କୁ ପୁଲିସ ଛାଡ଼ି ଦେଇଥିଲା ବୋଲି ସେ କହିଛନ୍ତି।