କରୋନା ଯୋଗୁଁ ୪ ଦିନରେ ଗଞ୍ଜାମରେ ଗଲାଣି ୧୭ ଜଣଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି। ସଂକ୍ରମଣ ଓ ମୃତ୍ୟୁ ହାର ଉପରେ ବ୍ରେକ୍‌ ଲାଗିପାରୁନି। ଜୁଲାଇ ମାସରେ କରୋନା ଉଗ୍ର ରୂପ ନେଇ ପ୍ରାଣଘାତୀ ସାଜିଥିଲା। କରୋନାରେ ୮୦ଜଣଙ୍କ ଜୀବନ ଯାଇଥିଲା। ଏବେ ଅଗଷ୍ଟ ଆରମ୍ଭରୁ ହିଁ କରୋନା ମହାମାରୀ ଗଞ୍ଜାମ ଜିଲ୍ଲାକୁ କନ୍ଦାଇବା ଆରମ୍ଭ କଲାଣି। ଚଳିତମାସରେ ୪ଦିନ ମଧ୍ୟରେ ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚିନ୍ତାକୁ ଠେଲି ଦେଇଛି। ମୃତକମାନଙ୍କ ମଧ୍ୟରେ ୪ ଜଣ ମହିଳା ରହିଛନ୍ତି।

ଚଳିତ ମାସ ୧ ତାରିଖରେ ୫ ଜଣ, ୨ ତାରିଖରେ ୪ ଜଣ, ୩ ତାରିଖରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୨ବୃଦ୍ଧାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମଧୁମେହ ରୋଗରେ ପୀଡ଼ିତ ୪୦ ଓ ୪୬ ବର୍ଷୀୟ ଦୁଇ ଜଣ ପୁରୁଷ, ୫୦ ବର୍ଷୀୟ ପୁରୁଷ, ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଜଣେ ୬୦ ବର୍ଷୀୟ ବୃଦ୍ଧ ଏବଂ ଉଚ୍ଚରକ୍ତଚାପ ଓ ମଧୁମେହରେ ପୀଡ଼ିତ ୬୦ ଏବଂ ୭୫ ବର୍ଷୀୟ ଦୁଇ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏଥିରୁ କୋଭିଡ୍‌ରେ ୧୧୨ଜଣ ଓ ଅଣକୋଭିଡ୍‌ରେ ୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନାଜନିତ ସଂକ୍ରମଣରେ ବି ସୁଧାର ଆସି ପାରି ନାହିଁ। ଗତ ୧ ତାରିଖରେ ୩୦, ୨ ତାରିଖରେ ୩୨୦ ଓ ୩ ତାରିଖରେ ୨୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି (ଗତ ୨୪ଘଣ୍ଟା ମଧ୍ୟରେ) ଜିଲ୍ଲାରୁ ପୁଣି ୩୩୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼୍‌ ଯୋଦ୍ଧା ୨୫ ଜଣ, ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ୩ଜଣ ଏବଂ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୬୦ ଜଣ ରହିଛନ୍ତି।

ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ବେଗୁନିଆପଡ଼ା, ସୋରଡ଼ା ଓ ହିଞ୍ଜିଳିକାଟୁର ୩ଜଣ ଲେଖାଏଁ, ବେଲଗୁଣ୍ଠା, ଦିଗପହଣ୍ଡି, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି ଓ ଛତ୍ରପୁରରୁ ୨ଜଣ ଲେଖାଏଁ, ବ୍ରହ୍ମପୁର ମହାନଗରର ୫ଜଣ ଓ ଧରାକ‌ୋଟର ଜଣେ ରହିଛନ୍ତି। ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ବେଲଗୁଣ୍ଠାର ୨ଜଣ ଓ ବେଗୁନିଆପଡ଼ାର ଜଣେ ରହିଛନ୍ତି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକାର ୫ଜଣ, ବେଗୁନିଆପଡ଼ା ଓ ବୁଗୁଡ଼ାର ୪ଜଣ ଲେଖାଏଁ, ବେଲଗୁଣ୍ଠାର ୭ଜଣ, ବ୍ରହ୍ମପୁର ମହାନଗରର ୫୭ଜଣ, ଭଞ୍ଜନଗରର ୧୬ଜଣ, ଛତ୍ରପୁରର ୨୧ଜଣ, ଚିକିଟିର ୨୫ଜଣ, ଧରାକୋଟ ଓ ହିଞ୍ଜିଳିକାଟୁର ୨ଜଣ ଲେଖାଏଁ, ଦିଗପହଣ୍ଡି ଓ କବିସୂର୍ଯ୍ୟନଗରର ୧୧ଜଣ ଲେଖାଏଁ, ଗଞ୍ଜାମର ୧୫ଜଣ, ଜଗନ୍ନାଥପ୍ରସାଦର ୬ଜଣ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ କୁକୁଡ଼ାଖଣ୍ଡିର ୮ଜଣ ଲେଖାଏଁ, ପାତ୍ରପୁର ଓ ପୋଲସରାର ୬ଜଣ ଲେଖାଏଁ, ରଙ୍ଗେଇଲୁଣ୍ଡାର ୧୮ଜଣ, ସାନଖେମୁଣ୍ଡି ଓ ଶେରଗଡ଼ର ୩ଜଣ ଲେଖାଏଁ ଓ ସୋରଡ଼ାର ୧୧ଜଣ ରହିଛନ୍ତି। ଏଥିସହ ଅନ୍ୟାନ୍ୟ ଅଞ୍ଚଳର ୩ଜଣ ରହିଛନ୍ତି।

ଅନ୍ୟପକ୍ଷ‌ରେ ଏହି ଘଡ଼ିସନ୍ଧି ସମୟରେ କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ସଞ୍ଜୀବନୀ ସଦୃଶ ହୋଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୧ତାରିଖରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ପ୍ରଥମେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍-ହସ୍ପିଟାଲ୍‌ର ୩ଜଣ ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଥିବା ବେଳେ ଇତିମଧ୍ୟ‌ରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପୁଣି ଉକ୍ତ ହସ୍ପିଟାଲ୍‌ରେ ୩ଜଣ ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଫିରେସିସ୍‌ ମେସିନ୍‌ ଆସି ପହଞ୍ଚିଛି। ଖୁବଶୀଘ୍ର ପ୍ଲାଜ୍‌ମା ବ୍ୟାଙ୍କ୍ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଜିଲ୍ଲାରେ ସୁସ୍ଥ ହାର ୬୬.୪୫ ପ୍ରତିଶତ, ମୃତ୍ୟୁହାର ୦.୯୪ ପ୍ରତିଶତ ଏବଂ ସଂକ୍ରମିତ ହାର ୩୨. ୬୨ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର