ବୁଢ଼ାବଳଙ୍ଗରୁ ୧୭ କୋଟିର ବାଲି ଚୋରା ଚାଲାଣ: ନିଲମ୍ବନ ହେଲେ ତହସିଲଦାର

ଲିଜ୍‌ଧାରୀ ପ୍ରଦୀପଙ୍କୁ ରିମାଣ୍ତରେ ଆଣିବ ପୁଲିସ!

ବାରିପଦା/ବେତନଟୀ/ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲିଘାଟରୁ ବେଆଇନ ବାଲି ଚାଲାଣ ମାମଲାରେ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କର ପତ୍ତା ମିଳୁନି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାରେ କେସ୍ ନଂ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ ହୋଇଛି।

ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲେ ମଧ୍ୟ ତହସିଲଦାର ମମତାଜ ମହାରଣା ଏପ୍ରିଲ ୩୦ ତାରିଖଠାରୁ ଫେରାର ହୋଇ ଯାଇଛନ୍ତି। ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୁପାରିଶ କରିଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ନଂ ଆର୍‌ଡିଏମ୍‌-ଡିପି-ପିଏମ୍‌-୦୦୦୫-୨୦୨୨/୧୪୫୦୨/୬.୫.୨୦୨୨ରେ ତହସିଲଦାରଙ୍କୁ ନିଲମ୍ବନ କରାଯାଇଥିବା ସଂକ୍ରାନ୍ତରେ ଚିଠି ଜାରି କରିଛନ୍ତି।

ଅନ୍ୟପକ୍ଷରେ ଏହି ମାମଲା‌ରେ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଥିବା‌ ଲିଜ୍‌ଧାରୀ ବେତନଟୀ ବ୍ଲକ୍‌ ଡାହିସାହିର ପ୍ରଦୀପ ବିନ୍ଧାଣୀଙ୍କୁ ଅଧିକ ପଚରାଉଚରା ପାଇଁ ବଡ଼ସାହି ଥାନା ପୁଲିସ ରିମାଣ୍ଡରେ ଆଣିବ ବୋଲି କୁହାଯାଉଛି। ଉଲ୍ଲେଖଥାଉକି, ଆରପଟା ଓ ଡିଙ୍ଗିରା ବାଲିଘାଟରୁ ପ୍ରାୟ ୧୭ କୋଟି ଟଙ୍କାର ବାଲି ଚୋରା ଚାଲାଣ ମାମଲାରେ ଏନ୍‌ଜିଟି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ କଲେକ୍ଟର ଗୀତା ମୁର୍ମୁ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀ ଓ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାଁରେ ଏତଲା ଦେବା ପରେ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ରୋଚକ କଥା ହେଉଛି, ବାଲି ଦୁର୍ନୀତି ପାଇଁ ଲିଜ୍‌ଧାରୀ ପ୍ରଦୀପ ତହସିଲଦାରଙ୍କ ଉପରକୁ ଆଙ୍ଗୁଳି ନିର୍ଦେଶ କରିବା ସହ ତାଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର