ଭୁବନେଶ୍ବର: ଜିଏସ୍‌ଟି ଇନ୍‌ପୁଟ୍‌ ଟ୍ୟାକ୍‌ସ କ୍ରେଡିଟ୍ (ଆଇଟିସି) ଜରିଆରେ ୧୭ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ୩ ଧୂର୍ତ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ମାଲିକ ମିଲନ୍‌ ଅଗ୍ରୱାଲ୍‌ ଓ ତାଙ୍କ ସଂସ୍ଥାର ୨ କର୍ମଚାରୀ ନିହାର ପଟ୍ଟନାୟକ ଓ ଅଭିଷେକ ପଟ୍ଟନାୟକ। ଡାଇରେକ୍ଟର ଜେନେରାଲ୍‌ ଜିଏସ୍‌ଟି ଇଣ୍ଟେଲିଜେନସ୍ (ଡିଜିଜିଆଇ) ଭୁବନେଶ୍ବର ପକ୍ଷରୁ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫଦାରୀ ଏଡ଼ାଇବାକୁ ମିଲନ୍‌ ଅଗ୍ରୱାଲ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ ବୋଲି ବାହାନା କରିଥିଲେ ହେଁ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ଯୋଜନା ଫସର ଫାଟିଯାଇଥିଲା। ଜାଲ୍‌ କମ୍ପାନି ଜରିଆରେ ଅଭିଯୁକ୍ତମାନେ ଏହି ଠକେଇ କରିଥିବା ଯାଞ୍ଚରୁ ଧରାପଡ଼ିଛି। 

Advertisment

ଡିଜିଜିଆଇ ପକ୍ଷରୁ ମିଳିଥିବା ସୂଚନାନୁସା‌ରେ ସାନ୍‌ କମୋଡିଟି ଏଲ୍‌ଏଲ୍‌ପି ଓ ରାପ୍ ରିୟଲ୍‌କନ୍ ନାଁରେ ଅଭିଯୁକ୍ତ ମିଲନ୍‌ ଅଗ୍ରଵାଲ୍‌ ଦୁଇଟି ବ୍ୟାବସାୟିକ ସଂସ୍ଥା ଚଳାଇଥିଲେ। କିନ୍ତୁ ଏହି ସଂସ୍ଥାଦ୍ବୟ କେବଳ ନାଁକୁ ଥିଲା। ଏହି ସଂସ୍ଥା ନାଁରେ ସେମାନେ ସିମେଣ୍ଟ, ରଡ୍ ଓ ବୈଦ୍ୟୁତିକ ଉପକରଣ କିଣାବିକା ଦେଖାଉଥିଲେ। ନିହାର ସଂସ୍ଥାର ଆକାଉଣ୍ଟସ୍‌ କାରବା‌ର ବୁଝାସୁଝା କରୁଥିଲେ। ସେ ଜାଲ୍‌ ବିଲ୍‌ ଓ ଇନ୍‌ଭଏସ୍‌ ପ୍ରସ୍ତୁତ କରୁଥିଲେ। ସେହିଭଳି ଅଭି‌ଷେକ ସଂସ୍ଥାର ସେଲ୍‌ସ ଏକ୍‌ଜିକ୍ୟୁଟିଭ୍‌ ଥିଲେ ଏବଂ ବିଭିନ୍ନ ଠିକା ସଂସ୍ଥା ଓ ଠିକାଦାରଙ୍କୁ ଯୋଗାଡ଼ କରି ଜାଲ୍‌ କିଣାବିକା କରାଉଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଦୁଇ ସଂସ୍ଥା ବାସ୍ତବରେ କୌଣସି ସାମଗ୍ରୀ ଖରିଦ କରି ନଥିଲେ। କିନ୍ତୁ ଜାଲ୍‌ କାଗଜପତ୍ର (ଇନ୍‌ଭଏସ୍‌) ବଳରେ ୯୦ କୋଟି ଟଙ୍କାର ସାମଗ୍ରୀ କିଣିଥିବା ଦର୍ଶାଇଥିଲେ। ସେହିଭଳି ଏସବୁ ସାମଗ୍ରୀକୁ ବିଭିନ୍ନ ସଂସ୍ଥାକୁ ବିକ୍ରି କରିଥିବାର ଜାଲ୍‌ କାଗଜପତ୍ର (ଇନ୍‌ଭଏସ୍‌) ମଧ୍ୟ ପ୍ରଦର୍ଶନ କରିଥିଲେ।

ଜିଏସ୍‌ଟି ନିୟମାନୁସାରେ ୯୦ କୋଟିର ସାମଗ୍ରୀ କିଣି ପରେ ବିକ୍ରି କରିଥିବାରୁ ସେମାନଙ୍କୁ ୧୭ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍‌ସ କ୍ରେଡିଟ୍‌ (ଆଇଟିସି) ମିଳିବାକୁ ଥିଲା। ତେଣୁ ସେମାନେ ଜାଲ୍ ରେକର୍ଡପତ୍ର ବଳରେ ଏହି ୧୭ କୋଟି ହାତେଇବାରେ ସଫଳ ହୋଇଥିଲେ। ପରେ ଡିଜିଜିଆଇ ଏହାକୁ ନେଇ ଖୋଳତାଡ଼ କରିଥିଲା। ଇନ୍‌ଭଏସ୍‌ ଯାଞ୍ଚ କଲା ବେଳେ ସବୁ କାଗଜପତ୍ର ଜାଲ୍‌ ବୋଲି ସ୍ପଷ୍ଟ ହୋଇଥିଲା। ବେଶ୍‌ ଚତୁରତାର ସହ ଏହି ୩ଅଭିଯୁକ୍ତ ୯୦ କୋଟି ଟଙ୍କାର ସାମଗ୍ରୀ କିଣିଥିବା ଦର୍ଶାଇ ଜିଏସ୍‌ଟି ଆଇଟିସି ବାବଦରେ ୧୭ କୋଟି ଟଙ୍କା ହଡ଼ପ କରିନେଇଥିବା ପ୍ରମାଣିତ ହୋଇଯାଇଥିଲା। ତେଣୁ ରାଜସ୍ବ କ୍ଷତି କରାଇବା ତଥା ହଡ଼ପ କରିବା ଅଭିଯୋଗରେ ଆଜି ସେମାନଙ୍କୁ ଗିରଫ କରାଯାଇଛି। ଡାକ୍ତରଙ୍କ ରିପୋର୍ଟ ମିଳିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡିଜିଜିଆଇ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରେ ଏଭଳି ଠକେଇ ଧରାପଡ଼ିବାର ଏହା ହେଉଛି ଦ୍ବିତୀୟ ଘଟଣା। ପୂର୍ବରୁ ଠିକ୍‌ ଏଭଳି ଠକେଇ କରିଥିବା ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା।