ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭ ମୁଣ୍ଡ ନେଲା କରୋନା

ସେପ୍ଟେମ୍ବରରେ ୧.୧୩ଲକ୍ଷ ଲୋକ ସଂକ୍ରମିତ ହେଲେ, ଦିନକରେ ସୁସ୍ଥ ହେଲେ ୪୩୮୦ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଯାହାକି ଆଜି ପର୍ଯ୍ୟନ୍ତ ହୋଇଥିବା କରୋନା ମୃତ୍ୟୁରେ ରେକର୍ଡ। ଅକ୍ଟୋବର ମାସ ଆରମ୍ଭରୁ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ମୃତ୍ୟୁ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୪ଜଣ ରହିଛନ୍ତି। ଏହାବାଦ୍ କଟକ ଓ ନୟାଗଡ଼ରୁ ୨ ଲେଖାଏଁ, ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ତେବେ ଅଣ କରୋନା ମୃତ୍ୟୁ ସଂଖ୍ୟା ୫୩‌‌‌ରେ ସ୍ଥିର ରହିଛି। ଏ ସଂପର୍କରେ ଗତମାସ ୧୩ତାରିଖ ପରେ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ଏହି ଦୁଇ ସଂଖ୍ୟାକୁ ମିଶାଇଲେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୧୨ରେ ପହଞ୍ଚିଛି। ଅପରପକ୍ଷରେ ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ୧ଲକ୍ଷ ୧୨ହଜାର ୯୫୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ମାସରେ ଦିନକୁ ହାରାହାରି ୩ହଜାର ୭ଶହ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ସଂଖ୍ୟା ଅଗଷ୍ଟରେ ଚିହ୍ନଟ ହୋଇଥିବା ୭୧,୬୪୮ ରୋଗୀଙ୍କଠାରୁ ଯଥେଷ୍ଟ ଅଧିକ ରହିଛି। କେବଳ ସଂକ୍ରମଣ ନୁହେଁ, ଅଗଷ୍ଟରେ ୩୦୬ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଗତମାସରେ ୩୨୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗୋଟିଏ ପଟେ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ତଳକୁ ଖସି ଆସିଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ପୂର୍ବରୁ ଦିନକୁ ୮/୯ଜଣଙ୍କ ମୃତ୍ୟୁ ନେଇ ଘୋଷଣା ହେଉଥିବା ବେଳେ ଏବେ ତାହା ୧୫/୧୬କୁ ବୃଦ୍ଧି ପାଇଛି।

ରାଜ୍ୟର ସମୁଦାୟ ୫୧ ପ୍ରତିଶତ କରୋନା ରୋଗୀ କଟକ, ଗଞ୍ଜାମ, ପୁରୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦,୧୪୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ତହିଁରୁ ୩୬୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୨୧୧୮ ସଙ୍ଗରୋଧରୁ ଓ ୧୪୯୭ ରୋଗୀ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରୁ ୬୭୧ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୨୩୧ରେ ପହଞ୍ଚିଛି। ଏହାବାଦ୍ କଟକ ୩୭୧, ଷ୍ଟେଟ୍‌ ପୁଲ ୨୪୦, ପୁରୀ ୧୯୭, ଅନୁଗୁଳ ୧୮୮, ଯାଜପୁର ୧୪୪, ମୟୂରଭଞ୍ଜ ଓ ମାଲକାନଗିରି ୧୨୩ ଲେଖାଏଁ, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୦୯, ଝାରସୁଗୁଡ଼ା ଓ କଳାହାଣ୍ଡି ୧୦୬ ଲେଖାଏଁ, ବାଲେଶ୍ବର ୯୬, ବରଗଡ଼ ୮୬, ଜଗତସିଂହପୁର ୮୩, ବଲାଙ୍ଗୀର ୮୧, ସୁନ୍ଦରଗଡ଼ ୭୩, ସୋନପୁର ୭୦, ନୂଆପଡ଼ା ୬୬, ନୟାଗଡ଼ ୬୪, ଭଦ୍ରକ ୬୧, ଢେଙ୍କାନାଳ ୬୦, କନ୍ଧମାଳ ୫୯, ନବରଙ୍ଗପୁର ୫୭, କୋରାପୁଟ ୪୭, ଗଞ୍ଜାମ ୪୨, ରାୟଗଡ଼ା ୩୯, ଗଜପତି ୨୯, ବୌଦ୍ଧ ୨୦ ଓ ଦେବଗଡ଼ରୁ ୧୨ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୨ହଜାର ୭୩୪ରେ ପହଞ୍ଚିଛି। ଦେଶରେ ସର୍ବାଧିକ ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ଏବେ ବି ଅଷ୍ଟମ ସ୍ଥାନରେ ରହିଛି। ରାଜ୍ୟରେ ଆଜି ୪୩୮୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧ଲକ୍ଷ ୯୦ହଜାର ୮୦ରେ ପହଞ୍ଚିଛି। ଖୋର୍ଧାରୁ ସର୍ବାଧିକ ୭୭୦ଜଣ ସୁସ୍ଥ ହୋଇଛନ୍ତି। କଟକ ୫୫୮, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୨୩୩, ଯାଜପୁର ୧୯୮, ପୁରୀ ୧୯୨, ଝାରସୁଗୁଡ଼ା ୧୬୮, ମୟୂରଭଞ୍ଜ ୧୫୫, ବରଗଡ଼ ୧୩୫, କେନ୍ଦ୍ରାପଡ଼ା ୧୨୪, ବାଲେଶ୍ବର ୧୨୨, ଅନୁଗୁଳ ୧୧୯, ସମ୍ବଲପୁର ୧୧୩, ନୟାଗଡ଼ ୧୦୩, କଳାହାଣ୍ଡି ୧୦୨, ଢେଙ୍କାନାଳ ୯୦, ନବରଙ୍ଗପୁର ୮୨, ନୂଆପଡ଼ା ୭୬, ସୋନପୁର ୭୫, କେନ୍ଦୁଝର ୭୨, କନ୍ଧମାଳ ୬୧, ଭଦ୍ରକ ୬୦, କୋରାପୁଟ ୫୩, ବଲାଙ୍ଗୀର ୪୯, ମାଲକାନଗିରି ୪୬, ଗଞ୍ଜାମ ଓ ରାୟଗଡ଼ା ୪୨, ବୌଦ୍ଧ ୩୮, ଦେବଗଡ଼ ୨୦, ଗଜପତି ୧୨ ଓ ଷ୍ଟେଟ୍‌ ପୁଲରୁ ୨୩୭ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର