ଏସ୍‌ସିବିରେ ବିଭିନ୍ନ ଅଞ୍ଚଳରୁ ୧୭ ଡେଙ୍ଗୁ ରୋଗୀ

କଟକ : ଧିରେଧିରେ କାୟା ବିସ୍ତାର କରୁଛି କଟକରେ ଡେଙ୍ଗୁ। ଗତକାଲି ଜଗତ୍‌ପୁର ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଟାଙ୍ଗୀ, ଚୌଦ୍ୱାର, ନୂଆଗାଁ ଓ ଗଣପୁରରେ ୪ଜଣ ଚିହ୍ନଟ ହୋଇଛନ୍ତି। କଟକ ବଡ଼ ମେଡିକାଲରେ ହୋଇଥିବା ଆଜି ୩୬ଟି ରକ୍ତନମୁନା ପରୀକ୍ଷାରୁ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କଟକର ୪ଜଣ, ଯାଜପୁର, ଜଗତସିଂହପୁର, ନୟାଗଡ ଓ ଭଦ୍ରକର ୪ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରେ ବର୍ତ୍ତମାନ ୧୭ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ସେଥିରୁ ୨ଜଣ ଆଇସିୟୁରେ ଚିକିତ୍ସାଧୀନ ଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।

ଜାନୁଆରି ୧ରୁ ଆଜି ସୁଦ୍ଧା କଟକ ଜିଲ୍ଲାର ଡ଼େଙ୍ଗୁ ସନ୍ଦେହରେ ପାଖାପାଖି ୫୦୦ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୦ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ମାହାଙ୍ଗା, ତୁଳସୀପୁର, ଜଗତପୁର, ଟାଙ୍ଗୀ, ଚୌଦ୍ୱାର ଅଞ୍ଚଳରେ ବଢି ଚାଲିଛି ଡେଙ୍ଗୁରେ ଆକ୍ରାନ୍ତଙ୍କ ସଂଖ୍ୟା। କଟକର ଜଗତପୁର, ଖପୁରିଆ, ଯୋବ୍ରା, ତୁଳସୀପୁର ସମେତ ଅନ୍ୟ ଅଞ୍ଚଳରେ ବି ପୂର୍ବରୁ ଡେଙ୍ଗୁ ଗୁରୁତର ରୂପ ନେଇଛି। କିନ୍ତୁ ସ୍ଥିତି ସୁଧାରିବା ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିବାରୁ ଚଳିତ ବର୍ଷ ମଧ୍ୟ ଡେଙ୍ଗୁର ପ୍ରକୋପ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର