ଭୁବନେଶ୍ବର: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣତନ୍ତ୍ର ସୁରକ୍ଷିତ ରହିବାର ବଡ଼ ଶ୍ରେୟ ଗଣମାଧ୍ୟମକୁ ଯିବ। ଜନତା ଓ ସରକାରଙ୍କ ମଧ୍ୟରେ ଗଣମାଧ୍ୟମ ସେତୁ ଭଳି କାମ କରିଥାଏ। ଭଲ କାମ କଲେ ଗଣମାଧ୍ୟମ ପ୍ରଶଂସା କରିଥାଏ ଓ ଖରାପ କାମ କଲେ ସତର୍କ କରାଇଥାଏ। ଶାସନ ଓ ପ୍ରଶାସନର କଥା ଅଧିକ ଗଣମାଧ୍ୟମରେ ହିଁ ଆସିଥାଏ। ହେଲେ ସମ୍ୱାଦ ପରିବେଷଣ ଓ ଅଭିସନ୍ଧିମୂଳକ କୁତ୍ସାରଟନା ଭିତରେ ଯେଉଁ ସୂକ୍ଷ୍ମ ଲକ୍ଷ୍ମଣରେଖା ରହିଛି, ତାକୁ ମଧ୍ୟ ଗଣମାଧ୍ୟମ ସମ୍ମାନ ଦେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏମିତି ଢଙ୍ଗରେ ଗଣତନ୍ତ୍ର, ଗଣମାଧ୍ୟମ ଏବଂ ଶାସନ-ପ୍ରଶାସନ-ସାମ୍ବାଦିକଙ୍କ ଦାୟିତ୍ବବୋଧ ଓ ଭୂମିକାର ମୂଲ୍ୟାଙ୍କନ କରିଛନ୍ତି। ସିଧା ସିଧା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସତ୍ୟନିଷ୍ଠ ଖବର ପରିବବେଷଣ ସାମ୍ୱାଦିକତାର ମୂଳମନ୍ତ୍ର ହେବା ଉଚିତ।
ସୋମବାର ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଅଷ୍ଟମ ସଂସ୍କରଣକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ବର୍ତ୍ତମାନ ସମୟରେ ଗଣମାଧ୍ୟମର ଆବଶ୍ୟକତା ଅଧିକ ରହିଛି। ବିଶେଷକରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଯେଉଁ ମହାପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି ସେଥିରେ ସମାଜର ସବୁ ବର୍ଗର ଲୋକ ରହିବା ଦରକାର, ଗଣମାଧ୍ୟମ ବି। ଏ ଦିଗରେ ସରକାରଙ୍କୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ।
ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି, ଏହି ଅବଧିରେ ଓଡ଼ିଶାର ସମ୍ପୂର୍ଣ୍ଣ କାୟାକଳ୍ପ ହେବ। ଗତ କିଛି ମାସ ମଧ୍ୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ଓଡ଼ିଶା ଦେଶ ଓ ବିଶ୍ୱର ନଜରକୁ ଆସିପାରିଛି। ପ୍ରବାସୀ ଭାରତୀୟ ଓ ଓଡ଼ିଆମାନଙ୍କ ସହ ଯୋଡ଼ି ହେବା ଯୋଗୁ ଓଡ଼ିଆ ଅସ୍ମିତା ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଛି। ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ - ୨୦୨୫ ଆଜି ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଓଡ଼ିଶା ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ସୁତରାଂ ନୂଆ ଓଡ଼ିଶା ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସହଭାଗିତାରେ ହିଁ ସଫଳ ହୋଇପାରିବ। ଖବର ପରିବେଷଣ ସହିତ ଆଜିକାଲି ଗଣମାଧ୍ୟମ ସଂସ୍ଥା ପରିବର୍ତ୍ତନର ସାରଥି ଭୂମିକା ଗ୍ରହଣ କରୁଛନ୍ତି ବୋଲି ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ କନ୍କ୍ଲେଭ୍ ମାଧ୍ୟମରେ ଅନେକ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା କରି ସମାଜର ବିଭିନ୍ନ ସ୍ତରରେ ଜାଗରଣ ଉଦ୍ୟମ ଆରମ୍ଭ ହୋଇଛି। ଏହା ଖୁବ୍ ପ୍ରଶଂସନୀୟ ଉଦ୍ୟମ। ‘ସମ୍ୱାଦର କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ’ କାର୍ଯ୍ୟକ୍ରମ ଏହାର ଅଂଶବିଶେଷ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାଦ୍ୱାରା ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଶିଳ୍ପପତିମାନେ ଉତ୍ସାହିତ ହେବେ ଓ ଏହି କାର୍ଯ୍ୟକ୍ରମ ଓଡ଼ିଆ ଅସ୍ମିତାର ପ୍ରସାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
କେନ୍ଦୁଝର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଜିଲ୍ଲା ଦେଇଛି ଅଧିକ, ପାଇଛି କମ୍। ‘ସମ୍ବାଦ’ର ପ୍ରତିଷ୍ଠାତାଙ୍କ ଏଭଳି ମନ୍ତବ୍ୟ ସତ। କେନ୍ଦୁଝର ସହିତ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା କାର୍ଯ୍ୟ ଜଣେ ଚାହିଲେ ପାରିବ ନାହିଁ। ଏଥିପାଇଁ ସାମଗ୍ରିକ ଭାବେ ସମସ୍ତଙ୍କ ସହଯୋଗ ଦରକାର। ‘ଏବେ ନୁହେଁ ତ କେବେ ନୁହେଁ’ ଏଭଳି ସ୍ଲୋଗାନ ସହିତ ସେ ନିଜେ ଏବେ ବିକାଶର ରାସ୍ତା ଉନ୍ମୁକ୍ତ କରିଛନ୍ତି। ରାଜ୍ୟର ଶିଳ୍ପାୟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାରରେ ଓଡ଼ିଶାକୁ ଶିଳ୍ପ ଓ ବାଣିଜ୍ୟର ଏକ ପ୍ରକୃଷ୍ଟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଉଦ୍ୟମ ଆରମ୍ଭ ହୋଇଛି। ତାହାର ଝଲକ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ଦେଖିବାକୁ ମିଳିଛି। ସ୍ବତନ୍ତ୍ର ଓଡ଼ିଶା ଗଠନକୁ ୨୦୩୬ ମସିହାରେ ୧୦୦ ବର୍ଷ ପୂରଣ ହେବା ବେଳକୁ ଅର୍ଥାତ୍ ଆସନ୍ତା ୧୨ ବର୍ଷ ମଧ୍ୟରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ। ଅର୍ଥନୈତିକ ଶକ୍ତି ହିସାବରେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ। ‘ଉତ୍କର୍ଷ ଓଡ଼ିଶା ଉତ୍କୃଷ୍ଟ ରାଜ୍ୟରେ ପରିଣତ ହେବ’ ଏଭଳି ଗୋଟିଏ ଭାବନା ସହିତ ନୂଆ ସରକାର ଆଗକୁ ବଢ଼ୁଛନ୍ତି।
ଓଡ଼ିଆ ପିଲାଙ୍କୁ ଓଡ଼ିଶାରେ ଚାକିରି ମିଳୁ: ସୌମ୍ୟରଂଜନ
କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ଏବେ ମୁଖ୍ୟ ଆକର୍ଷଣ: ମୋନିକା
ପରିବେଶ ଲଢ଼େଇରେ ସାମିଲ ହୁଅନ୍ତୁ ଉଦ୍ୟୋଗୀ: ତନୟା
ଶିକ୍ଷା କ୍ଷେତ୍ରରେ ବିଗତ ଦିନରେ ହୋଇଥିବା ଅବନତି ସମ୍ପର୍କରେ ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନେ ଭିତ୍ତିଭୂମିର ଅଭାବ ଥିଲା। ହେଲେ ଏହାକୁ ସଜା଼ଡ଼ିବା ଆଳରେ ପୂର୍ବ ସରକାର ୫ଟି, ସ୍ମାର୍ଟ ସ୍କୁଲ୍ କଲେ. ଯେଉଁଥିରେ ରାଜନୈତିକ ଗନ୍ଧ ଥିଲା। ସରକାର ଏଭଳି ଢଙ୍ଗରେ କାମ କରୁଥିଲେ ଯେ ଅସ୍ତ୍ରୋପଚାର ସଫଳ ହେଉଥିଲା, କିନ୍ତୁ ରୋଗୀର ଜୀବନ ଚାଲିଯାଉଥିଲା। ଏବେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ତାଙ୍କ ସରକାର କାମ ଆରମ୍ଭ କରିଛନ୍ତି। ସରକାରୀ ସ୍କୁଲର ପାଠପଢ଼ା ଓ ଗୁଣାତ୍ମକ ଶିକ୍ଷାରେ ଥିବା ଅନ୍ତର ଦୂର କରିବା ଲାଗି ପ୍ରତି ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ। ସେଥିପାଇଁ ବିଭିନ୍ନ ସରକାରୀ ସ୍କୁଲ୍ରୁ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ଶିକ୍ଷା ମାନରେ ଉନ୍ନତି ଆଣିବା ଲାଗି ଯୋଜନା ହୋଇଛି। ସେଗୁଡ଼ିକ ହେବ ଫିଡର୍ ସ୍କୁଲ୍। ପ୍ରତି ବିଦ୍ୟାଳୟ ପିଛା ୫ କୋଟି ଖର୍ଚ୍ଚ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ସମ୍ବାଦ’ ଓ ଏହାର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ମାଝୀ କହିଥିଲେ, ସୌମ୍ୟବାବୁ ଜଣେ ବ୍ୟକ୍ତି ନୁହନ୍ତି, ଏକ ପ୍ରତିଷ୍ଠାନ। ଓଡ଼ିଶା ଗଣମାଧ୍ୟମ ଜଗତର ମହାଦ୍ରୁମ। ଅଶି ଦଶକରେ ସେ ‘ସମ୍ବାଦ’ର ପ୍ରଭାତୀ ସଂସ୍କରଣ ଆରମ୍ଭ କରି ପାଠକଙ୍କୁ ତାଜା ଖବର ପାଇବାର ସୁଯୋଗ ଦେଇଥିଲେ। ଏହା ଲୋକମାନଙ୍କ ଦ୍ବାରା ବିଶେଷ ଗ୍ରହଣୀୟ ହୋଇଥିଲା। ଫଳରେ, ଅନ୍ୟ ଖବରକାଗଜ ମାଲିକମାନେ ପ୍ରଭାତୀ ସଂସ୍କରଣ କରିବାକୁ ବାଧ୍ୟ ହୋଇଥିଲେ। ଏହା ସାମ୍ବାଦିକତା ଜଗତରେ କୌଣସି ବିପ୍ଳବଠାରୁ କମ୍ ନୁହେଁ। କେବଳ ସେତିକି ନୁହେଁ, ସମ୍ପାଦକ ଭାବେ ସୌମ୍ୟରଂଜନଙ୍କ ‘ଆମ ଘରର ହାଲଚାଲ’ ସମ୍ପାଦକୀୟ ଗତ ଦୁଇ ବର୍ଷ ଭିତରେ ସବୁଠାରୁ ଚର୍ଚ୍ଚିତ ଘଟଣା। ତାହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଥିଲା। ଆଜି ଯଦି ଓଡ଼ିଶାର ଗଣମାଧ୍ୟମ ଏକ ସମ୍ମାନସ୍ପଦ ସ୍ଥାନରେ ଅଛି ତାହେଲେ ତାର ପ୍ରଥମ ଶ୍ରେୟ ନିଶ୍ଚିତ ଭାବରେ ସୌମ୍ୟବାବୁଙ୍କ ପାଖକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକଥା ବି କୁହାଯିବା ଭୁଲ୍ ନୁହେଁ ଯେ ଓଡ଼ିଆ ଅସ୍ମିତାର ସଂଗ୍ରାମରେ ସୌମ୍ୟବାବୁ ଜଣେ ଅଗ୍ରଣୀ ସେନାପତି ଥିଲେ। ମାଟି ଓ ପାର୍ଟି ମଧ୍ୟରେ ଲଢ଼େଇରେ ସେ ମାଟିକୁ ହିଁ ବାଛିଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟର ନିଯୁକ୍ତି ଦୃଶ୍ୟପଟ ଉପରେ ଆଲୋଚନା କରି ଓଡ଼ିଆ ପିଲାଙ୍କୁ ଓଡ଼ିଶାରେ ରୋଜଗାର ମିଳୁ ନଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେମାନେ ଯେଭଳି ରାଜ୍ୟ ଭିତରେ ଚାକିରି ପାଇପାରିବେ ସେଥିପାଇଁ ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ଏବଂ ଏହି ଉଦ୍ୟମରେ ଶିଳ୍ପପତିମାନେ ସହଯୋଗ କରିବା ଦରକାର ବୋଲି କହିଥିଲେ। ରାଜ୍ୟର ଦୁର୍ବଳ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଥିଲେ। ସେଥିରେ ସୁଧାର ଆଣିବା ଲାଗି ନୂଆ ସରକାର ଉଦ୍ୟମ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ। ଓଡ଼ିଶାକୁ ସମୃଦ୍ଧ କରିବାକୁ ହେଲେ ଉତ୍କର୍ଷର ଉପାସନା ଜାରି ରଖିବାକୁ ପଡ଼ିବ। ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଏବେ ଯେଉଁ ପରିବର୍ତ୍ତନ ହୋଇଛି; ତାହା ଏକ ନୂଆ ଯୁଗର ସଂକେତ ଦେଇଛି। ଏବେ ଆମେ ଓଡ଼ିଶାକୁ ଉତ୍କୃଷ୍ଟ କରିବା ପାଇଁ ଅଗ୍ରସର ହେଉଛୁ। ତେଣୁ ଓଡ଼ିଶାରେ ସବୁଲୋକ ଉତ୍କର୍ଷର ଉପାସକ ହେବା ଆବଶ୍ୟକ। ଏଥିରେ ସମସ୍ତେ ସମାଲୋଚକମାନଙ୍କୁ ପାଖରେ ରଖିବା ଉଚିତ ବୋଲି ମତ ଦେଇ ସେ କହିଥିଲେ, ସମାଲୋଚନା ହିଁ ଆମକୁ ଆମର ଭୁଲ୍ ସମ୍ପର୍କରେ ଅବଗତ କରାଇବା ସହ ଉଚିତ ମାର୍ଗଦର୍ଶନ କରିଥାଏ। ଶିଳ୍ପପତିମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ଓଡ଼ିଶାର ପିଲାମାନେ ଓଡ଼ିଶା ବାହାରେ ସାରା ବିଶ୍ୱରେ ବଡ଼ ବଡ଼ କର୍ପୋରେଟ ସେକ୍ଟରରେ କାମ କରି ସଫଳତା ଅର୍ଜନ କରୁଛନ୍ତି। ତେଣୁ ଓଡ଼ିଶାର କର୍ପୋରେଟ ସେକ୍ଟର ମଧ୍ୟ ଓଡ଼ିଆ ପିଲାମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବା ଆବଶ୍ୟକ।
ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ କହିଥିଲେ ଯେ ଏହି ପୁରସ୍କାର ପ୍ରତିଯୋଗୀ ଓ ରାଜ୍ୟର ଉଦ୍ୟୋଗୀମାନଙ୍କ ପାଇଁ ସମ୍ଭବ ହୋଇପାରିଛି। ଏହା ରାଜ୍ୟର ଏକ ସମ୍ମାନଜନକ ପୁରସ୍କାରରେ ପରିଣତ ହୋଇପାରିଛି। ବିଗତ ସଂସ୍କରଣଗୁଡ଼ିକ ଭଳି ଚଳିତ ସଂସ୍କରଣରେ ମଧ୍ୟ ସେମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏଥିପାଇଁ ଆବେଦନ ଆସିଥିଲା। ଅତୀତରେ ଇମର୍ଜିଂ/ଷ୍ଟାର୍ଟଅପ୍ ବର୍ଗରେ ସମ୍ବର୍ଦ୍ଧିତ ହୋଇଥିବା ଉଦ୍ୟୋଗ କିଛି ବର୍ଷ ଭିତରେ ସେମାନଙ୍କ ବ୍ୟବସାୟରେ ଉନ୍ନତି ଆଣି ଏବେ କ୍ଷୁଦ୍ର ବର୍ଗରେ ଆବେଦନ କରୁଥିବା ଜାଣି ଖୁସି ଲାଗୁଛି ବୋଲି ସେ କହିଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି ‘ସମ୍ବାଦ ଓ କନକ ନିଉଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ପରିବେଶ ପାଇଁ ‘ସମ୍ବାଦ’ର ‘ପୁନଶ୍ଚ ପୃଥିବୀ’ ଅଭିଯାନ ଉପରେ ଆଲୋକପାତ କରିଥିଲେ। ଏହି ଅଭିଯାନ ଜରିଆରେ ଘରେ ଘରେ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲାଗି ଲକ୍ଷ୍ୟ ରହିଥିବା ବେଳେ ‘ସମ୍ବାଦ’ର ଏହି ଅଭିଯାନ ତାହା ସହିତ ସମନ୍ବିତ ହୋଇ ୧୨ ବର୍ଷ ପର୍ଯ୍ୟନ୍ତ ଚାଲିବ। ସମ୍ବାଦପତ୍ର, ଟିଭି ଓ ରେଡିଓରେ ପରିବେଶକୁ ନେଇ ଯେଉଁଭଳି କାର୍ଯ୍ୟକ୍ରମ ଚାଲିଛି, ତାହା ସମ୍ଭବତଃ ପୃଥିବୀରେ ଏଭଳି ବ୍ୟାପକ ମାତ୍ରାର ପ୍ରଥମ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ।
ଏହି ଅବସରରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ଲାର୍ଜ (ବୃହତ୍), ମିଡିଅମ୍ (ମଧ୍ୟମ), ସ୍ମଲ (କ୍ଷୁଦ୍ର) ଏବଂ ଇମର୍ଜି/ ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗରେ ୧୭ ଉଦ୍ୟୋଗକୁ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଜେଇଏଫ୍ ଇଣ୍ଡିଆର ମହାପ୍ରବନ୍ଧକ (ମାର୍କେଟିଂ) ଚେତନ ପିମ୍ପଲଖୁଟେଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
୫ଟି ବର୍ଗରେ ୧୭ ପୁରସ୍କାର
ସିଏସ୍ଆର୍
• ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍-ପ୍ଲାଟିନମ୍
• କାନାରା ବ୍ୟାଙ୍କ-ସିଲ୍ଭର୍
ଲାର୍ଜ (ବୃହତ୍)
ଏନ୍ଟିପିସି, ତାଳଚେର ସୁପର୍ ଥର୍ମାଲ୍ ପାୱାର୍ ଷ୍ଟେସନ୍-ପ୍ଲାଟିନମ
• ଲାଲଚନ୍ଦ ଜୁଏଲର୍ସ ପ୍ରାଇଭେଟ୍ ଲିମିଟେଡ୍-ଗୋଲ୍ଡ
• ଏସଭିଟି ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍-ସିଲ୍ଭର୍
ମିଡିଅମ୍ (ମଧ୍ୟମ)
• ଆସୋଟେକ୍ ସନ୍ ଗ୍ରୋଥ୍ ଏବୋଡ୍ ଏଲ୍ଏଲ୍ପି-ପ୍ଲାଟିନମ୍
• ପ୍ରାଇମ୍ ଆଗ୍ରୋ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍-ଗୋଲ୍ଡ
• କଳିଙ୍ଗ ହସ୍ପିଟାଲ ଲିମିଟେଡ୍-ସିଲ୍ଭର୍
ସ୍ମଲ୍ (କ୍ଷୁଦ୍ର)
• ଶକ୍ତି ବ୍ୟାପାର ପ୍ରାଇଭେଟ୍ ଲିମିଟେଡ୍-ଗୋଲ୍ଡ
• କସ୍ତୁରୀ ଫ୍ଲୋର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍-ଗୋଲ୍ଡ
• ଓଡ଼ିଶା ପ୍ଲାଷ୍ଟୋ ପାଇପ୍ସ ପ୍ରାଇଭେଟ୍ ଲିମିଟେଡ୍-ସିଲ୍ଭର୍
• ହରିପ୍ରିୟା ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍-ସିଲ୍ଭର୍
• କମ୍ପ୍ୟୁଟର ଲ୍ୟାବ୍-ବିଚାରକ ସ୍ବତନ୍ତ୍ର
ଇମର୍ଜିଂ/ଷ୍ଟାର୍ଟଅପ୍
• ସ୍କାଏ ରାଇଡର ଇଲେକ୍ଟ୍ରିକ୍ ପ୍ରାଇଭେଟ୍ ଲିମିଟେଡ୍-ପ୍ଲାଟିନମ୍
• ମୁନିକୋ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍-ଗୋଲ୍ଡ
• ମା’ ଦୁର୍ଗା ଏସ୍ ଏଚ୍ ଜି ଆଚାର ତିଆରି ୟୁନିଟ୍-ସିଲ୍ଭର୍
• ଚକୋଲାକା ଏଣ୍ଟରପ୍ରାଇଜେସ୍-ବିଚାରକ ସ୍ବତନ୍ତ୍ର