ବାହୁଡ଼ା ଯାତ୍ରା ବେଳେ ଅଘଟଣ, ଭୁଶୁଡ଼ିଲା ତାଜା: ୧୭ ଅନ୍ତେବାସୀ ଆହତ, ୫ ଗୁରୁତର

ଟିକିରି : ବାହୁଡ଼ା ଯାତ୍ରା ବେଳେ ଅଘଟଣ। ବାହୁଡ଼ା ରଥ ଟଣା ଦେଖିବା ପାଇଁ ଶିଡ଼ି ତାଜା ଉପରେ ଚଢିଥିବା ବେଳେ ହଠାତ୍ ତାଜା ଭୁଶୁଡି ପଡିଥିଲା। ଫଳରେ ହଷ୍ଟେଲରେ ରହୁଥିବା ୧୭ ଅନ୍ତେବାସୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନ ୪ଟା ସମୟରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ହାଇସ୍କୁଲରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଆଜି ପବିତ୍ର ବାହୁଡାଯାତ୍ରା ହୋଇଥିବାରୁ ଟିକିରି ହାଇସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଶିଡ଼ି ଉପରକୁ ଯିବା ତାଜା ଉପରେ ବସି ରଥଟଣା ଦେଖୁଥିଲେ। ତେବେ ହଠାତ୍ ତାଜା ତଳକୁ ଖସି ପଡିଥିଲା। ଫଳରେ ଛାତ୍ରୀମାନେ ତଳେ ପଡିଯାଇ ଆହତ ହୋଇଛନ୍ତି। ସ୍କୁଲ ଫାଟକରେ ତାଲା ପଡିଥିବାରୁ ଗ୍ରାମର ସ୍ବେଚ୍ଛାସେବୀ ଯୁବକମାନେ କାନ୍ଥ ଡେଇଁ ସ୍କୁଲରେ ପଶି ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ କ୍ରୀଷ୍ଣାବେଣୀ ଭାଟି, ଲୋଚନ ଖରା ପ୍ରମୁଖ ଡାକ୍ତରଖାନାକୁ ଯାଇ ଗୁରୁତର ଆହତଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥିଲେ। ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର ହୋଇଥିବା ଛାତ୍ରୀମାନେ ହେଲେ ତୁଳସା ନାଏକ, ରମଣୀ ନାଏକ, ମଧୁମିତା, ଗୀତାଞ୍ଜଳି, ସୁବର୍ଣ୍ଣ ନାଏକ। ଏହାବ୍ୟତୀତ ଅନ୍ୟ ଆହତ ୮ ଜଣଙ୍କୁ ମଧ୍ୟ କୋରାପୁଟ ମେଡିକାଲ ପଠାଯାଇଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କ୍ରୀଷ୍ଣାବେଣୀ ଭାଟି କହିଛନ୍ତି।

ସମ୍ବନ୍ଧିତ ଖବର