ଭୁବନେଶ୍ବର: ରାଜ୍ୟର ୧୭ ଜେଲ୍ରେ ଖାଲିପଡ଼ିଛି ଅଧୀକ୍ଷକ ପଦବି। ମୁରବିବିହୀନ ଅବସ୍ଥାରେ ପରିଚାଳିତ ହେଉଛି ଏସବୁ ଜେଲ୍। ଅଘୋଷିତ ମୁରବି ଭାବେ କାମ ଚଳେଇ ନେଉଛନ୍ତି ଜେଲର୍। ତେଣୁ ବିଭିନ୍ନ ସମୟରେ ଏସବୁ ଜେଲ୍ରେ ଦେଖାଯାଉଛି ଯାବତୀୟ ବିଶୃଙ୍ଖଳା। ଅଧୀକ୍ଷକ ପଦବି ପୂରଣ କରିବା ପାଇଁ ବିଭାଗୀୟ ପଦସ୍ଥ ଅଧିକାରୀମାନେ ବାରମ୍ବାର ଉଦ୍ୟମ କରିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।
ରାଜ୍ୟର ପ୍ରମୁଖ କାରାଗାରମାନଙ୍କ ମଧ୍ୟରେ ଅନ୍ୟତମ ଭୁବନେଶ୍ବର ଝାରପଡ଼ା ସ୍ପେସାଲ ଜେଲ୍ ବହୁ ଦିନ ଧରି ମୁରବିବିହୀନ ହୋଇ ରହିଛି। ଏଠାରେ ସ୍ଥାୟୀ ଅଧୀକ୍ଷକ ନିଯୁକ୍ତି ପାଇନାହାନ୍ତି। ଫୁଲବାଣୀ ଜେଲ୍ର ଅଧୀକ୍ଷକ ଏଠାରେ ଅତିରିକ୍ତ ଦାୟିତ୍ବ ବହନ କରିଛନ୍ତି। ସେ ମାଓପ୍ରବଣ କନ୍ଧମାଳଜିଲ୍ଲା ଫୁଲବାଣୀ ଜେଲ୍ରେ ଥିବା ସତ୍ତ୍ବେ ଝାରପଡ଼ା ଜେଲ୍ ପରିଚାଳନା କରିବାକୁ ଦାୟିତ୍ବ ନେଇଛନ୍ତି। ତେଣୁ ଏବେ ଫୁଲବାଣୀ ଜେଲ୍ର ପରିଚାଳନା ଭାର ମୁଣ୍ଡାଇଛନ୍ତି ଜଣେ ଜେଲର୍। ନିକଟରେ ଝାରପଡ଼ା ଜେଲ୍ରେ ଗ୍ୟାଙ୍ଗ୍ଵାର୍ ଘଟିଥିଲା। ଏଥିସହିତ ମାଦକ ଦ୍ରବ୍ୟ କାରବାର, ମୋବାଇଲ ଓ ମାରଣାସ୍ତ୍ର ପ୍ରବେଶ ପାଇଁ ଏହି ଜେଲ୍ ଚର୍ଚ୍ଚାରେ ରହିଥିଲା। ଏମିତିକି କଏଦୀମାନେ ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ତେଣୁ ଫୁଲବାଣୀ ଜେଲ୍ ଅଧୀକ୍ଷକଙ୍କୁ ଏଠାକୁ ଅସ୍ଥାୟୀ ଭାବେ ଦାୟିତ୍ବ ଦିଆଯାଇଛି। ସେହିଭଳି ଅଧିକାଂଶ ଜିଲ୍ଲା ଜେଲ୍ଗୁଡ଼ିକରେ ଅଧୀକ୍ଷକ ପଦବି ଖାଲି ପଡ଼ିଛି। ସୁନ୍ଦରଗଡ଼, ଫୁଲବାଣୀ, କେନ୍ଦୁଝର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବଲାଙ୍ଗୀର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜେଲ୍ ଚାଲିଛି ବିନା ମୁଖିଆରେ। ଏସବୁ ଜେଲ୍ରେ ଜେଲର୍ଙ୍କ କାନ୍ଧରେ ପରିଚାଳନା ଦାୟିତ୍ବ। ମିଳିଥିବା ସୂଚନାନୁସାରେ ଏସବୁ ଜେଲ୍ର ଅଧୀକ୍ଷକମାନେ ଚାକିରିରୁ ଅବସର ନେବା ପରଠୁ ଆଉ ନୂଆ ନିଯୁକ୍ତି ଦିଆଯାଇନାହିଁ।
କାରଣ ଏହା ଭିତରେ ପଦୋନ୍ନତି ମିଳିପାରିନାହିଁ। ୫ ମାସ ପୂର୍ବେ ଜେଲ୍ ବିଭାଗ ଡିପାର୍ଟମେଣ୍ଟାଲ୍ ପଦୋନ୍ନତି ଦେବାକୁ ଯୋଜନା କରିଥିଲା। ମାତ୍ର ତାହା ସେମିତି ଯୋଜନାରେ ହିଁ ପଡ଼ିରହିଛି। ରାଜ୍ୟ ଗୃହ ବିଭାଗ ସଚିବ, ଜେଲ୍ ଡିଜି ଓ ସ୍ପେସାଲ୍ ସେକ୍ରେଟାରିଙ୍କୁ ନେଇ ଗଠିତ କମିଟି ନିକଟରେ ଏହି ଫାଇଲ ଚାପି ହୋଇ ରହିଛି। ଏଣେ ବିନା ମୁରବିରେ ଚାଲୁଥିବା ଜେଲ୍ ଭିତରେ ଅରାଜକତା ବଢ଼ିବାରେ ଲାଗିଛି। ବିଚାରାଧୀନ କଏଦୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସାଧାରଣ କଏଦୀମାନେ କୁଖ୍ୟାତ ଅପରାଧୀମାନଙ୍କ (କଏଦୀ) ଦ୍ବାରା ବିଭିନ୍ନ ବାଟରେ ଶୋଷଣର ଶିକାର ହେଉଛନ୍ତି।