ନକ୍ସଲଙ୍କ ଚକ୍ରବ୍ୟୂହରେ ଫସିଲେ : ୧୭ ଯବାନ ସହିଦ, ୧୫ରୁ ଅଧିକ ଆହତ

ଛତିଶଗଡ଼ର‌ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ଧରଣର ହମ୍‌ଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର‌ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ଧରଣର ହମ୍‌ଲା ହୋଇଛି। ରଣନୀତି ଅନୁଯାୟୀ ଯବାନଙ୍କୁ ଚାରିପଟୁ ଘରେ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଯାହାଫଳରେ ସୁରକ୍ଷା କର୍ମୀଙ୍କ ବିପୁଳ କ୍ଷତି ହୋଇଛି। ଗତକାଲି ୭ଜଣ ଯବାନ ସହିଦ ହୋଇଥିବା ପ୍ରାଥମିକ ସୂଚନା ମିଳିଥିଲା। ତେବେ ଆଜି ସକାଳେ ସ୍ପଷ୍ଟ ଚିତ୍ର ମିଳିବା ସହ ୧୭ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ସେହିପରି ୧୫ରୁ ଊର୍ଦ୍ଧ୍ବ ଯବାନ ଆହତ ହୋଇଛନ୍ତି। ନକ୍ସଲଙ୍କ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନଥିଲେ ମଧ୍ୟ ଜୋରଦାର ହୋଇଥିବା ପାଲଟା ଆକ୍ରମଣରେ ବହୁ ସଂଖ୍ୟାରେ ମାଓବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି।

ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ଯେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଏଲମାଗୁଣ୍ଡି ଗାଁ ନିକଟସ୍ଥ ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଏକାଠି ହୋଇଛନ୍ତି। ବଡ଼ଧରଣର ଆକ୍ରମଣ ପାଇଁ ନକ୍ସଲ ପ୍ରସ୍ତୁତ ହେଉଥିବା ବି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା। ଏନେଇ ଜିଲ୍ଲା ପୁଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ସୂଚନା ଦିଆଯାଇଥିଲା। ଏହାପରେ ଜିଲ୍ଲା ପୁଲିସ, ଡିଆରଜି, ଏସଟିଏଫ ଏବଂ ସିଆରପିଏଫ ଯବାନଙ୍କୁ ନେଇ ମିଳିତ ଅପରେସନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯୋଜନା ଅନୁଯାୟୀ ଚଢ଼ଉ ପାଇଁ ନିଷ୍ପତ୍ତି ନିଆଯାଇ ୫୫୦ଜଣ ଯବାନ ଅପରେସନରେ ବାହାରିଥିଲେ। କିନ୍ତୁ ଗୁଇନ୍ଦା ବିଭାଗକୁ ଯାହା ସବୁ ସୂଚନା ମିଳିଥିଲା, ତାହା ଥିଲା ନକ୍ସଲଙ୍କ ରଣନୀତିର ଗୋଟିଏ ଅଂଶ। ଆଉ ଏହି ଚକ୍ରବ୍ୟୂହରେ ଫସି ଯାଇଥିଲେ ଯବାନ।

କ୍ୟାମ୍ପ ଛାଡ଼ିବା ଠାରୁ ଆରମ୍ଭ କରି ଜଙ୍ଗଲ ଭିତରେ ପଶିବା ପର୍ଯ୍ୟନ୍ତ ପ୍ରତ୍ୟେକ ଗତିବିଧି ସଂପର୍କରେ ନକ୍ସଲଙ୍କୁ ପୂର୍ବରୁ ସୂଚନା ମିଳୁଥିଲା। ଯେଉଁ ସ୍ଥାନରେ ନକ୍ସଲ ଏକତ୍ରିତ ହୋଇଛନ୍ତି ବୋଲି ସୂଚନା ମିଳିଥିଲା, ସେଠାରେ ଯବାନ ପହଞ୍ଚିବା ବେଳକୁ କିଛି ମିଳି ନଥିଲା। ତେଣୁ ସଂଧ୍ୟାରେ ଯବାନମାନେ ପୁଣି କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଅନ୍ଧାରରେ ଘଞ୍ଚ ଜଙ୍ଗଲରେ ଫେରିବା ସମୟରେ ଅତର୍କିତ ଆକ୍ରମଣ ହୋଇଥିଲା। ଆମ୍ବୁସ୍ ଲଗାଇ ବସିଥିବା ନକ୍ସଲ ଗୁଳି ବର୍ଷଣ କରିଥିଲେ। ଏଭଳି ଆକ୍ରମଣ ଅପ୍ରତ୍ୟାଶିତ ହୋଇଥିବା ବେଳେ ଯବାନଙ୍କୁ ସର୍ତକ ହେବାକୁ ଆଦୌ ସମୟ ମିଳି ନଥିଲା। ତଥାପି ଦୃଢ଼ତାର ସହ ପାଲଟା ଆକ୍ରମଣ କରିଥିଲେ।‌ ଗୋଟିଏ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ପରେ ନକ୍ସଲ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିଲେ।

ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା କର୍ମୀଙ୍କୁ ସହିଦ ହୋଇଥିବା ୩ଜଣ ସାଥୀ ଯବାନଙ୍କ ଶବ ପ୍ରଥମେ ମିଳିଥିଲା। ଏହାପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିବାରୁ ପୁଣି ୪ଜଣ ସାଥୀଙ୍କ ଶବ ମିଳିଥିଲା। ଶେଷ ଖବର ସୁଦ୍ଧା ଏହି ହମଲାରେ ଏସଟିଏଫ ଯବାନ ଗୀତାରାମ ରାଠିଆ, ନାରଦ ନିଷାଦ, ହେମନ୍ତ ପୋୟା, ଅମରଜିତ ଖାଲକୋ, ମାଡ଼କମ ବୁଚ୍ଚା, ଡିଆରଜି ଯବାନ ହେମନ୍ତ ଦାସ ମାନିକପୁରୀ, ଗଂଥମ ରମେଶ, ଲିବରୁରାମ ବାଘେଲ, ‌ସୋୟମ ରମେଶ, ଉଇକା କମଳେଶ, ପୋଡ଼ିୟମ ମୁତା, ଉଇକା ଧୁରବା, ବଞ୍ଜାମ ନାଗେଶ, ମାଡ଼କମ ମାସା, ପୋଡ଼ିୟମ ଳଖମା, ମାଡ଼କମ ହିଡ଼ମା ଏବଂ ନିତେନ୍ଦ୍ର ବଞ୍ଜାମି ପ୍ରମୁଖ ୧୭ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ୧୫ରୁ ଊର୍ଦ୍ଧ୍ବ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ୩ଶହରୁ ଊର୍ଦ୍ଧ୍ବ ନକ୍ସଲ ଏହି ହମଲାରେ ସାମିଲ ଥିବା କୁହାଯାଉଛି। କିଛି ନକ୍ସଲ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ନକ୍ସଲଙ୍କୁ ଗୁଳି ବାଜିଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ଗୋଟିଏ ବି ଶବ ମିଳି ନଥିବାରୁ ମୃତାହତଙ୍କୁ ନକ୍ସଲ ସାଥୀରେ ନେଇ ଚାଲି ଯାଇଥିବା ଜଣାପଡ଼ିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ହେଲା, ୧୨ଟି ଏକେ-୪୭ ସହ ୧୫ଟି ବନ୍ଧୁକ ଏବଂ ଗୋଟିଏ ୟୁଜିବିଏଲ ନକ୍ସଲ ଲୁଟି ନେଇଛନ୍ତି। ପୁଲିସର ଗୁଇନ୍ଦା ଠାରୁ ନକ୍ସଲଙ୍କ ଗୁଇନ୍ଦା ଅଧିକ ସକ୍ରିୟ ଏବଂ ସଠିକ୍ ସୂଚନା ଦେଇଥିବା ଏହି ଘଟଣା ପରେ ସ୍ପଷ୍ଟ ହୋଇଛି। ବହୁ ସଂଖ୍ୟାରେ ଯବାନ ଘଟଣାସ୍ଥଳ ସମେତ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଆଇଜି ସୁନ୍ଦରରାଜ କହିଛନ୍ତି।

ସମ୍ବନ୍ଧିତ ଖବର