ଠକିଦେଲା ଠିକା କଂପାନି: ଶ୍ରମିକ ହନ୍ତସନ୍ତ, ରେଳପଥରେ ଚାଲି ଘରକୁ ଫେରୁଥିବା ୧୭ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଠକିଦେଲା ଠିକା କଂପାନି। ନା ଦେଲା ଦରମା, ନା ଦେଲା ଖାଦ୍ୟ ସାମଗ୍ରୀ। ଦୀର୍ଘ ୧ ମାସ ଭୋକ ଉପାସରେ ଆଉଟୁ ପାଉଟୁ ହେବା ପରେ ରେଳପଥରେ ଚାଲି ଚାଲି ଘରକୁ ଫେରିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ବାରା  ଉଦ୍ଧାର ପରେ ଏପରି କହିଛନ୍ତି ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ୧୭ ଶ୍ରମିକ। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ କ୍ବାରାଣ୍ଟିନରେ ରଖାଯାଇଛି। ରାପିଡ଼୍ ରେସପନସ୍ ଟିମ୍ ଶ୍ରମିକଙ୍କ ଉପରେ ତୀକ୍ଷଣ୍ ନଜର ରଖିଛି।

ଦାନ୍ତେୱାଡାର ୧୭ ଶ୍ରମିକ ଲକଡାଉନର ୫ ଦିନ ପୂର୍ବରୁ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ବିଜୟନଗରମ ନିକଟସ୍ଥ କୋତାୱାଲସାରେ ଥିବା ସାରଦା ନାମକ ଘରୋଇ କଂପାନିରେ ଏହି ଶ୍ରମିକମାନେ କାମ କରୁଥିଲେ। କରୋନା ପରିସ୍ଥିତି ପାଇଁ ଲକଡାଉନ୍ ଘୋଷଣା ହେବା ପରେ କଂପାନି କାମ ବନ୍ଦ କରି ଦେଇଥିଲା। ଶ୍ରମିକଙ୍କୁ କିଛି ନ ଜଣାଇ ସୁପରଭାଇଜର ମଧ୍ୟ କାମ ସ୍ଥାନକୁ ନ ଆସିବା ପରେ ଶ୍ରମିକମାନେ ଅଡ଼ୁଆରେ ପଡ଼ିଥିଲେ। ବାରମ୍ବାର ଫୋନ୍ କରି ଥକିବା ଛଡ଼ା କଂପାନି ପକ୍ଷରୁ କେହି ସହଯୋଗ ନ କରିବା କାରଣରୁ ଶ୍ରମିକମାନେ ଭୋକ ଉପାସରେ କ୍ୟାମ୍ପରେ ପଡ଼ି ରହିଥିଲେ।

ସ୍ଥାନୀୟ ପ୍ରଶାସନର ସହଯୋଗରେ ଯାହା କିଛି ଖାଇବାକୁ ମିଳୁଥିଲା, ସେତିକି ଖାଇ ଶ୍ରମିକମାନେ ରହୁଥିଲେ। ନିଜେ ରାନ୍ଧି ଖାଇବାକୁ ପାଖରେ ପଇସା ନଥିବାରୁ ବାଧ୍ୟ ହୋଇ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ୪ ଦିନ ତ‌ଳେ ଶ୍ରମିକମାନେ ରେଳପଥରେ ଚାଲି ଚାଲି ଘର ଅଭିମୁଖେ ବାହାରିଥିଲେ। ଶ୍ରମିକମାନେ ରାୟଗଡ଼‌ାରେ ପହଞ୍ଚିବା ପରେ ପିତାମହଲ ଗ୍ରାମବାସୀ ଦେଖି ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ରାପିଡ଼୍ ରେସପନସ୍ ଟିମ୍ ଓ ପୁଲିସ୍ ରେଲୱେ ଓଭରବ୍ରିଜ୍ ନିକଟରେ ପହଞ୍ଚି ଶ୍ରମିକଙ୍କୁ ପଚରା ଉଚରା କରିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ମେଡ଼ିକାଲ୍ ନେଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଥିବା ରାୟଗଡ଼ା ତହସିଲଦାର ଉମା ଶଙ୍କର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର