ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷ

ଘରୋଇ ହସ୍ପିଟାଲରେ ଟିକାକରଣକୁ ରାଜ୍ୟ ସରକାରଙ୍କ ଅନୁମତି
ସହରାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ୪୫ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୧କୋଟି ୧୬ଲକ୍ଷ ଥିବା ବେଳେ ୪୩.୫୫ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରି‌ଛନ୍ତି। ସେଥିମଧ୍ୟରୁ ୨୩ଲକ୍ଷ ୪୩ହଜାର ଲୋକଙ୍କ ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ହୋଇଯାଇଥିଲେ ହେଁ ମାତ୍ର ୫.୯୬ଲକ୍ଷ ‌ବା ୨୫ ପ୍ରତିଶତ ଲୋକ ନେଇ ସାରିଲେଣି। ତେଣୁ ଏବେ ‌ଦ୍ବିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷରୁ ଅଧିକ ଲୋକ ରହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଏମ୍‌ସି ଅଞ୍ଚଳକୁ ବାଦ୍ ଦେଲେ ରାଜ୍ୟର ସମସ୍ତ ଅଞ୍ଚଳରେ ‘କୋଭିସିଲ୍‌ଡ’ ଟିକା ଦିଆଯାଉଛି। ତେଣୁ ଦ୍ବିତୀୟ ଡୋଜ୍ ପାଇବା ଅପେକ୍ଷା ରଖିଥିବା ଲୋକଙ୍କ ପାଇଁ ୧୫ଲକ୍ଷ ଡୋଜ୍ ଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଆସନ୍ତା ୧୫ ତାରିଖ ଭିତରେ ୬/୭ଲକ୍ଷ ଡୋଜ୍ ଆସିବ ବୋଲି ଆଶା କରାଯାଉଛି। ତେଣୁ ଟିକା ଆସିଲେ, ଦ୍ବିତୀୟ ଡୋଜ୍ ଅପେକ୍ଷାରେ ରହିଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଗୁରୁତ୍ବ ଦିଆଯିବ। ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ବଳକା ଟିକା ପ୍ରଥମ ଡୋଜ୍ ଭାବେ ଦିଆଯାଇ ପାରିବ। ରାଜ୍ୟରେ ୯୭ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୮୭ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍‌ ନେଇସାରିଲେଣି।

ସେହିପରି ୧୮-୪୪ ବର୍ଗ ପାଇଁ ଭୁବନେଶ୍ବରରେ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟ‌ରେ ଏହି ବର୍ଗର ୧କୋଟି ୯୩ଲକ୍ଷ ଲୋକ ରହିଛନ୍ତି। କେବଳ ଭୁବନେଶ୍ବରରେ ୧୦.୭୪ଲକ୍ଷ ଡୋଜ୍ ଦିଆଯିବ। ରାଜ୍ୟର ଅନ୍ୟ ସ୍ଥାନରେ ‘କୋଭିସିଲ୍‌ଡ’ ଟିକା ଆସିବା ପରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ କେବଳ ପଞ୍ଜୀକରଣ ଜାରି ରହିବ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଥିବା କମନ ସର୍ଭିସ ସେଣ୍ଟର୍‌ରେ ନିଜର ପଞ୍ଜୀକରଣ କରିପାରିବେ। ଦେଢ଼ ଲକ୍ଷ ଟିକା ଦେଇଥିବା ‘କୋଭାକ୍ସିନ୍’ ଟିକା ଟଙ୍କା ପଇଠ କରାଯାଇଛି। ‘କୋଭିସିଲ୍‌ଡ’ କମ୍ପାନି ୪ଲକ୍ଷ ୭୮ହଜାର ଡୋଜ୍ ଦେବା ଲାଗି ପ୍ରତିଶ୍ରୁତି ଦେଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୧୫କୋଟି ଟଙ୍କା ପଇଠ କରିଛନ୍ତି। ତେବେ ୫ଟି ମ୍ୟୁନିସିପାଲଟିରେ କୋଭିଡ୍‌ର ଭୟାବହତାକୁ ଦେଖି ଏସବୁ ଅଞ୍ଚଳକୁ ପ୍ରାଥମିକତା ‌ଦିଆଯିବ। ପରେ ଗ୍ରାମାଞ୍ଚଳରେ ଟିକା ଦିଆଯିବ।

ସେହିପରି ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟିକାକରଣ କରାଯିବା ଲାଗି ଅନୁମତି ଦିଆଯାଇଛି। ରାଜ୍ୟ ସରକାର କିଣୁଥିବା ଟିକାରୁ ସେମାନଙ୍କୁ ଟିକା ଦିଆଯିବ ଓ ଲୋକମାନେ କେବଳ ୧୦୦ଟଙ୍କା ଦେଇ ଟିକା ନେଇପାରିବେ। ଫଳରେ ରାଜ୍ୟରେ ଟିକାକରଣ ସାନ୍ଦ୍ରତା ବୃଦ୍ଧି ପାଇବ। ତେବେ ଟିକା ନେବାକୁ ଯାଉଥିବା ଲୋକମାନେ କୋଭିଡ୍‌ ନିୟମ ପାଳନ କରିବା ଜରୁରୀ। ଯେଉଁ ସମୟରେ ସ୍ଲଟ୍‌ ଦିଆଯାଇଛି, ତାହାର କିଛି ସମୟ ପୂର୍ବରୁ ପହଞ୍ଚିଲେ ଭଲ। ଅଯଥାରେ ଘଣ୍ଟା ଘଣ୍ଟା ପୂର୍ବରୁ ଛିଡ଼ା ହେବାର ଆବଶ୍ୟକତା ନାହିଁ। ଏପରିକି ସ୍ଲଟ୍‌ ସମୟରେ ସଂପୃକ୍ତ ଲୋକ ଆସୁଛନ୍ତି କି ଏହାର ଯଥେଷ୍ଟ ପୂର୍ବରୁ ଆସୁଛନ୍ତି, ତାହା ପୁଲିସ୍‌ ଯାଞ୍ଚ କରିବ। ଫଳରେ ଟିକାକରଣ କେନ୍ଦ୍ରରେ କୌଣସିପ୍ରକାର ସଂକ୍ରମଣ ଆଶଙ୍କାକୁ ଦୂରେଇ ଦିଆଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର