ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ ଅଫିସରେ ଚଢାଉ; ୧୭ ଦଲାଲ ଗିରଫ

ଭୁବନେଶ୍ବର:  ଡାକ୍ତରଖାନା  ଓ ଆରଟିଓ ଅଫିସକୁ  ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୁଲିସ୍ ସକ୍ରିୟ ହୋଇଉଠିଛି । ଆଜି ପୁଣି ରାଜ୍ୟର ବିଭିନ୍ନ ଡାକ୍ତରଖାନା  ଓ ଆରଟିଓ  ଅଫିସରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୭ ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ୍ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଆରଟିଓରୁ ୩ ଜଣ ଦଲାଲକୁ ବାନ୍ଧିଛି ପୁଲିସ୍ । ସେହିଭଳି ବାରିପଦା ମେଡିକାଲରୁ ୩ ଏବଂ ଅନୁଗୁଳ ମେଡିକାଲରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆରଟିଓ ଅଫିସରୁ ୨ ଏବଂ ଭବାନୀପାଟଣା ମେଡିକାଲରୁ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍ ଡିଜି ବିଜୟ ଶର୍ମା ।

ଗତକାଲି ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱରରେ ୪ ଜଣ, ସମ୍ବଲପୁରରେ ୫ଜଣ , ବଲାଙ୍ଗୀରରେ ୫ଜଣ, ଭଦ୍ରକରେ ୪, ମୟୁରଭଞ୍ଜରେ ୩, ରାଉରକେଲାରେ ୪ , ବାଲେଶ୍ୱରରେ ୩  ଏବଂ ନବରଙ୍ଗପୁରରେ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଦଲାଲଙ୍କ ଦ୍ୱାରା ସାଧାରଣ ରୋଗୀଙ୍କୁ ଠକାଯାଉଛି । ତେଣୁ ପ୍ରତିଦିନ ହସ୍ପିଟାଲରୁ ରିପୋର୍ଟ ନିଆଯିବ ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପୁଲିସ ବିଭାଗ ପରେ ଏବେ ଡାକ୍ତରଖାନା ଉପରେ ନଜର ରଖାଯାଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ମୋ ସରକାର ଯୋଜନା ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଆରଟିଓ ଅଫିସଗୁଡ଼ିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର