ଭୁବନେଶ୍ବର/କଟକ/ନୂଆଦିଲ୍ଲୀ: ‌ଆଜି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା କରାଯାଇଛି। ୨୦୨୩ ଲାଗି ଓଡ଼ିଶା ପୁଲିସର ୧୭ ଜଣଙ୍କୁ ମନୋନୀତ କରାଯାଇଛି। ୪ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଛି। ସେମାନେ ହେଲେ ସୁବେଦାର ପ୍ରହ୍ଲାଦ ହିମିରିକା, ଏସ୍‌ଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଓ ସିଟି ସୁଜିତ କୁମାର ରଣା। ଅତି ଉଲ୍ଲେଖନୀୟ ସେବା ନିମନ୍ତେ ଏଡିଜିପି(ଆଧୁନିକୀକରଣ) ସଞ୍ଜୟ କୁମାର ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ଅତିରିକ୍ତ ଏସ୍‌ପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ।

Advertisment

ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ସେମାନେ ହେଲେ ଉତ୍ତରାଞ୍ଚଳ ଆଇଜି ଡ. ଦୀପକ କୁମାର, ଭୁବନେଶ୍ବରରେ ଅବସ୍ଥାପିତ ଅତିରିକ୍ତ ଏସ୍‌ପି ଅନନ୍ତ ଚରଣ ପତି, କଟକରେ ଅବସ୍ଥାପିତ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ, ବ୍ରହ୍ମପୁର ଟାଉନ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଡିଏସ୍‌ପି ଅମିତା ତ୍ରିପାଠୀ, ମୟୂରଭଞ୍ଜ ସିଆଇ ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, ଦେବଗଡ଼ ପୁଲିସ ରିଜର୍ଭ ଅଫିସ କନଷ୍ଟେବଳ ପିଟର ତିର୍କି, ଖୋର୍ଦ୍ଧାରେ ଅବସ୍ଥାପିତ ପୁଲିସ ଏଏସ୍ଆଇ ଗୁପ୍ତ ପ୍ରସାଦ ମହାନ୍ତି, ସମ୍ବଲପୁର ଠାରେ ଅବସ୍ଥାପିତ ସବ୍ ଇନ୍ସପେକ୍ଟର(ଆର୍ମଡ) ଦିଲ୍ଲୀପ କୁମାର ନାଏକ, ଭୁବନେଶ୍ବର ଏୟାରପୋର୍ଟ ଥାନାଧିକାରୀ ଉମାକାନ୍ତ ପ୍ରଧାନ ଓ ଭୁବନେଶ୍ବରରେ ଅବସ୍ଥାପିତ କନଷ୍ଟେବଳ ସୁଶାନ୍ତ କୁମାର ମାଝି।
ସେହିପରି ମୋଟ ୩ ଜଣ ଅଗ୍ନିଶ୍ରମ କର୍ମଚାରୀ ପଦକ ପାଇବେ। ସାହସିକତା ପାଇଁ ଆଗ୍ନିକ ହେମନ୍ତ କୁମାର ସେଠୀ ନାମ ଘୋଷଣା କରାଯାଇଛି।

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଅଗ୍ନିଶମ କର୍ମଚାରୀ, ଷ୍ଟେସନ ଅଫିସର ପ୍ରମୋଦ ଚନ୍ଦ୍ର ଭୂୟାଁ ଓ ଲିଡିଂ ଫାୟାରମ୍ୟାନ୍ ପୁରୁଷୋତ୍ତମ କୁଅଁରଙ୍କୁ ଅଗ୍ନିଶମ ପଦକ ପାଇଁ ଚୟନ କରାଯାଇଛି। ରାଜ୍ୟର ୨ ଜଣ ହୋମଗାର୍ଡ ଓ ଜଣେ ସିଭିଲ ଡିଫେନ୍ସ କର୍ମୀଙ୍କୁ ପଦକ ଘୋଷଣା କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ କର୍ମୀଙ୍କ ପାଇଁ ପଦକ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପ‌ାଇଁ ହୋମଗାର୍ଡ ସୀମାଞ୍ଚଳ ନାୟକ ଓ ପ୍ଲାଟୁନ କମାଣ୍ଡର ଗାୟତ୍ରୀ ସିଂହ ଓ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀ ନୃସିଂହ ପ୍ରସାଦ ମହାପାତ୍ର ପଦକ ପାଇବେ।