ବୌଦ୍ଧ: ଗତ ଖରିଫ ଋତୁରେ ଜିଲ୍ଲା ପୁଲିସ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଥିଲା। ଜଙ୍ଗଲ ମଧ୍ୟରେ ଗଞ୍ଜେଇ ବଗିଚାରୁ ଗଛକାଟି ପୋଡ଼ି ନଷ୍ଟ କରିଥିଲା। କେବଳ ପୁଲିସ ବିଭାଗ ପ୍ରାୟ ୮ ହଜାର ଏକର ପରିମିତ ଜମିରୁ ଗଞ୍ଜେଇ ନଷ୍ଟ କରିଥିବା କୁହାଯାଉଛି। ଅବକାରୀ ଓ ବନ ବିଭାଗ ମଧ୍ୟ ନିଜ ସ୍ତରରେ ଗଞ୍ଜେଇ ବିନାଶ ଅଭିଯାନ କରିଥିଲେ। ଏତେ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରିବା ପରେ ମଧ୍ୟ ଆହୁରି ଶେଷ ହୋଇ ନାହିଁ ଗଞ୍ଜେଇ। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେଉଛି।
ଗତ ମାସ ୨୨ ତାରିଖ ରାତିରେ କଣ୍ଟାମାଳ ଥାନା ଲମ୍ବସରି ରାସ୍ତାରେ ଆସୁଥିବା ଦୁଇଟି ବାଇକକୁ ଖଲିଆପାଲି ସ୍କୁଲ ପଡ଼ିଆ ନିକଟରେ ପୁଲିସ ଅଟକାଇଥିଲା। ବାଇକ୍ରେ ଥିବା ଚାରି ଜଣ ଯୁବକ ବାଇକ ଓ ୧ କୁଇଣ୍ଟାଲ ଗଞ୍ଜେଇ ଛାଡ଼ି ଚମ୍ପଟ ମାରିଥିଲେ। ମଙ୍ଗଳବାର ମନମୁଣ୍ଡା ପୁଲିସ ଶଗଡ଼ା ଫାଣ୍ଡି ଅଞ୍ଚଳ ଦୁର୍ଗମ ସେରାଗାଡୁ ଗ୍ରାମର ଏକ ଘରେ ଚଢ଼ାଉ କରି ୧୦ କ୍ବିଣ୍ଟାଲ ୨୫ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ପ୍ୟାକିଂ କରୁଥିବା ଦୁଇଜଣ ନାବାଳକ ଗିରଫ ହୋଇଛନ୍ତି। ଗୁରୁବାର ସେମାନଙ୍କୁ କିଶୋର ନ୍ୟାୟ ବୋର୍ଡ (ଜୁଭେନାଇଲ ଜଷ୍ଟିସ ବୋର୍ଡ)ରେ ହାଜର କରାଯାଇଛି। ସମାନ ଦିନ ବୌଦ୍ଧ ଥାନା ବିଶିରୁଡ଼ା ଗ୍ରାମର ଗୋପାଳ ମଲ୍ଲିକଙ୍କ ଘରେ ଚଢ଼ାଉ କରି ବିକ୍ରି ପାଇଁ ଗଚ୍ଛିତ ଥିବା ୧ କ୍ବିଣ୍ଟାଲ ୪୪ କିଲୋ ଗଞ୍ଜେଇ ଜବତ କରିଥିଲା।
ଗୋପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଜଙ୍ଗଲକୁ ଫେରାର ହୋଇ ଯାଇଥିଲେ। ସେହିପରି ବୁଧବାର ବୌଦ୍ଧ ଥାନା ଦମଣ୍ଡା ଗ୍ରାମର ସଞ୍ଜୟ କହଁରଙ୍କ ଘରୁ ୩ କ୍ବିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରି ସଞ୍ଜୟ ଓ ତାଙ୍କ ପୁଅ କପିଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ସାତ ଦିନରେ ଜବତ ହୋଇଥିବା ଗଞ୍ଜେଇର ପରିମାଣ ୧୭ କ୍ବିଣ୍ଟାଲ ୯ କିଲୋ। ଏଥି ସହିତ ଗତ ଫେବ୍ରୁଆରି ୨୩ ତାରିଖ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ନେଇ ଚତିଶଗଡ଼ ଯାଉଥିବା ଏକ ଆମ୍ବୁଲାନ୍ସକୁ ଅଟକାଇ ସୋନପୁର ଅବକାରୀ ବିଭାଗ ୪ କ୍ବିଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଥିଲା। ୨୮ ତାରିଖ ତେଲନଦୀ ପୋଲ ପାର ହୋଇ ବୈଦ୍ୟନାଥ ଦିଗରେ ଯାଉଥିବା ଏକ କାରରୁ ସୋନପୁର ଅବକାରୀ ବିଭାଗ ପିଛା କରି ହରଡ଼ଖୋଲ ନିକଟରେ କାବୁ କରିଥିଲା। କାରରୁ ୧୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ କାର୍ ଚାଳକ କଣ୍ଟାମାଳ କଲେଜ ଯୁକ୍ତ ତିନି ଶେଷବର୍ଷର ଛାତ୍ର ବୋଲି ଜଣାଯାଇଛି। ତେବେ ଗଳାବାଟରେ ଏହାଠାରୁ ଅଧିକ ପରିମାଣର ଗଞ୍ଜେଇ ଜିଲ୍ଲାରୁ ଚୋରା ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।