ସୋର: ସରକାର କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟ ସହ ମିଶାଇଦେଲେ। ହେଲେ ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଘରଗୁଡ଼ିକର ବ୍ୟବହାର କଥା ଭୁଲିଗଲେ। ଫଳରେ ଏବେ ଅନେକ ଘର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏପରି ସମୟରେ ସଂପୃକ୍ତ ଗ୍ରାମବାସୀ ଘରଗୁଡ଼ିକୁ କାମରେ ଲଗାଇବା ପାଇଁ ଦାବି କରିଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସମ୍ମିଶ୍ରଣ ଯୋଜନା କରାଗଲା। ଯେଉଁ ବିଦ୍ୟାଳୟଗୁଡ଼ିକରେ ଅଳ୍ପ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ, ସେହି ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇ ଦିଆଗଲା। ସୋର ବ୍ଲକ୍ରେ ଜଡ଼ିଦା ପ୍ରାଥମିକ ବିଦ୍ୟାଳୟ, ମଣିପୁର ମଧୁବନ ଉପେନ୍ଦ୍ର ପ୍ରସାଦ ନୋଡାଲ୍ ବିଦ୍ୟାଳୟ, ନଟାପଡ଼ା ରାଧାବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରି ସମୁଦାୟ ୧୭ଟି ବିଦ୍ୟାଳୟ ରହିଛି, ଯେଉଁ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ତେବେ ବନ୍ଦ ହୋଇଯାଇଥିବା ବିଦ୍ୟାଳୟଗୁଡ଼ିକର ଘରକୁ ସ୍ଥାନୀୟ ଗ୍ରାମବାସୀଙ୍କ ଜରିଆରେ ଉନ୍ନୟନମୂଳକ କାମରେ ଲଗାଯିବାର ଯୋଜନା ରହିଛି। କିନ୍ତୁ ୩ ବର୍ଷ ହେଲା ସେଗୁଡ଼ିକ କିଛି କାମରେ ଲାଗିପାରିନି।
ଫଳରେ ଅଧିକାଂଶ ବିଦ୍ୟାଳୟର ଘରଗୁଡ଼ିକ ଏବେ ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବ୍ୟବହାର ଅଭାବରୁ ସେଗୁଡ଼ିକ ଧୀରେ ଧୀରେ ଭାଙ୍ଗିରୁଜି ଗଲାଣି। ସେହିପରି ସଂଧ୍ୟା ହେଲେ ସେଠାରେ ଅସାମାଜିକ ବ୍ୟକ୍ତିମାନେ ଆଡ଼ା ଜମାଉଛନ୍ତି। ଏପରି ସମୟରେ ସଂପୃକ୍ତ ଗ୍ରାମବାସୀ ଘରଗୁଡ଼ିକୁ କାମରେ ଲଗାଇବା ପାଇଁ ଦାବି କରିଛନ୍ତି।
ଏନେଇ ସୋର ଏବିଇଓ ସୋମନାଥ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ମିଶ୍ରଣ ହୋଇଥିବା ସୋର ବ୍ଲକ୍ର ୧୭ଟି ବିଦ୍ୟାଳୟକୁ ବର୍ଷେ ତଳେ ସୋର ବିଡିଓଙ୍କୁ ହସ୍ତାନ୍ତର କରାସରିଛି ବୋଲି କହିଛନ୍ତି। ସେହିପରି ସୋର ବିଡିଓ କରୁଣାକର ଧିନ୍ଦାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଖୁବ୍ଶୀଘ୍ର ବନ୍ଦ ହୋଇଯାଇଥିବା ବିଦ୍ୟାଳୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯିବ। ପରେ ସେଗୁଡ଼ିକ ମିସନ ଶକ୍ତି ଗୃହ, ଅଙ୍ଗନବାଡ଼ି ଗୃହ କିମ୍ବା ପଞ୍ଜୀକୃତ ହୋଇଥିବା ଭାଗବତ ଟୁଙ୍ଗୀ ପାଇଁ ବ୍ୟବହାର କରାଯିବ। ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା ପରେ କେଉଁ ଗାଁ ପାଇଁ କେଉଁ ଘର ଆବଶ୍ୟକ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/30-13.jpg)