ବାଦାମ ଭାବି ଖାଇଦେଲେ ବିଷାକ୍ତ ଫଳ, ୧୭ ଅସୁସ୍ଥ

ଭଣ୍ଡାରିପୋଖରୀ : ମଧ୍ୟାହ୍ନଭୋଜନ ଛୁଟି ହୋଇଥିଲା। ଛାତ୍ରଛାତ୍ରୀ କୌତୁହଳବଶତଃ ବନ୍ଧୁରି ଫଳକୁ ପେସ୍ତା ବାଦାମ ଭାବି ଖାଇଦେଲେ। ଫଳରେ ବିଷକ୍ରିୟା ଯୋଗୁ ୧୭ ଜଣ ଅସୁସ୍ଥ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ପାଟୁଳି ପଞ୍ଚାୟତ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଶୁକ୍ରବାର ଦିନ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଛୁଟି ହୋଇଥିଲା। କିଛି ଛାତ୍ରଛାତ୍ରୀ ସ୍କୁଲ୍‌ ନିକଟରେ ଖେଳୁଥିଲେ। ଏହି ସମୟରେ କୌତୁହଳବଶତଃ ସେଠାରେ ଥିବା ବନ୍ଧୁରି ଗଛର ଫଳକୁ ପେସ୍ତା ବାଦାମ ଭାବି ଖାଇଥିଲେ। ଅଳ୍ପ ସମୟ ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇଥିଲା। ଜଣଙ୍କ ପରେ ଜଣେ ୧୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସଂଗେ ସଂଗେ ବିଦ୍ୟାଳୟର ଶିକ୍ଷକମାନେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ; ଅସୁସ୍ଥ ଛାତ୍ରଛାତ୍ରୀମାନେ ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର