‘ଅଗ୍ନିପଥ’ ପ୍ରଭାବ: ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୧୭ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ରାଜ୍ୟକୁ ପ୍ରତିବାଦର ନିଆଁ ବ୍ୟାପିବାରେ ଲାଗିଛି। କେଉଁଠି ଟ୍ରେନ୍‌କୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ୍‌ ଭିତରେ ଭଙ୍ଗାରୁଜା କରୁଛନ୍ତି। ଆଖି ପିଛୁଳାକେ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ କରି ଦେଉଛନ୍ତି। ପାଖାପାଖି ୧୨ଟି ରାଜ୍ୟ‌ରେ ବ୍ୟାପି ସାରିଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ରାଜଧାନୀ ଦିଲ୍ଲୀକୁ ବି ଆନ୍ଦୋଳନ ବ୍ୟାପିଛି। ବିହାରରେ ତ ଆନ୍ଦୋଳନକାରୀ ବିଭିନ୍ନ ରେଳ ଷ୍ଟେସନ୍‌ରେ ଟ୍ରେନ୍ ଜାଳିଦେବା ସହ ଏକ୍ସପ୍ରେସ୍‌ରେ ଝରକା କାଚକୁ ପିଟି ଭାଙ୍ଗି ପକାଇଛନ୍ତି।
ହିଂସା ବଢ଼ୁଥିବାରୁ ଦେଶରେ ବହୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

ଶୁକ୍ରବାର ରାତି ସୁଦ୍ଧା ୨୦୦ରୁ ଅଧିକ ଟ୍ରେନ୍‌ ବାତିଲ୍‌ ସହ କିଛି ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇଛି। ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ରହିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ମଧ୍ୟ ଆଜି ଆନ୍ଦୋଳନ ଜୋର୍‌ ଧରିଛି। ସିକନ୍ଦରାବାଦ ରେଲୱେ ଷ୍ଟେସନ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଷ୍ଟେସନ୍‌ର ବହୁ ସମ୍ପତ୍ତିକୁ ଭାଙ୍ଗି ଦେଇଛନ୍ତି। ତେଲେଙ୍ଗାନାର ବିଭିନ୍ନ ରେଳଧାରଣା ଉପରେ ଆସବାବପତ୍ର ପକାଇ ପ୍ରତିବାଦକାରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହାଦ୍ବାରା ଓଡ଼ିଶାରୁ ଛାଡ଼ିଥିବା କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି। ବିଳମ୍ବରେ କିଛି ଟ୍ରେନ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

Image Source: Telengana Today

ହିଂସା ଯୋଗୁଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୧୭ଟି ଟ୍ରେନ୍‌କୁ ଶୁକ୍ରବାର ଦିନ ସନ୍ଧ୍ୟାରେ ବାତିଲ୍‌ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୧୮ ତାରିଖ ପାଇଁ ଯଶବନ୍ତପୁର-ଭାଗଲପୁର ଏକ୍ସପ୍ରେସ୍‌(୧୨୨୫୩) ଓ ପୁରୀ-ପାଟଣା ଏକ୍ସପ୍ରେସ୍‌(୦୮୪୩୯) ବାତିଲ୍‌ ହୋଇଥିବା ବେଳେ ୧୯ ତାରିଖରେ ପାଟଣା-ପୁରୀ ଏକ୍ସପ୍ରେସ୍‌(୦୮୪୪୦), ୨୦ ତାରିଖରେ ପୁରୀ-ଆଜମିର ଏକ୍ସପ୍ରେସ୍‌(୨୦୮୨୩), ଏର୍ଣ୍ଣାକୁଲମ୍‌-ପାଟଣା ଏକ୍ସପ୍ରେସ୍‌(୨୨୬୪୩) ଏବଂ ୨୩ ତାରିଖ ଲାଗି ଆଜମିର-ପୁରୀ ଏକ୍ସପ୍ରେସ୍‌(୨୦୮୨୪) ବାତିଲ୍‌ ହୋଇଛି। ସେହିପରି ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ(୨୨୮୧୯/୨୨୮୨୦) ୧୮ ତାରିଖରେ ଉଭୟ ପାଶ୍ୱରୁ ଏବଂ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ(୧୭୦୧୫) ବାତିଲ ହୋଇଛି। ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ଏକ୍ସପ୍ରେସ (୦୮୫୨୨/୦୮୫୨୧), ବିଶାଖାପାଟଣା-କିରାଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ (୧୮୫୫୧/୧୮୫୫୨) ୧୮ ତାରିଖରେ ବିଶାଖାପାଟଣାରୁ ଓ ୧୯ ତାରିଖରେ କିରାଣ୍ଡୁଲରୁ ବାତିଲ ରହିବ। ବିଶାଖାପାଟଣା- ନିଜ଼ାମୁଦ୍ଦିନ-ବିଶାଖାପାଟଣା ସାମନ୍ତ ଏକ୍ସପ୍ରେସ, ବିଶାଖାପାଟଣା-ଗୁଣ୍ଡୁର-ବିଶାଖାପାଟଣା ସୀମାଦ୍ରୀ ଏକ୍ସପ୍ରେସ ବାତିଲ ହୋଇଛି। ୧୦ଟି ଟ୍ରେନ ଆଂଶିକ ବାତିଲ ଏବଂ ୮ଟିର ମାର୍ଗ ପରିବର୍ତ୍ତନ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ନିବେଦନ କରି କହିଛନ୍ତି ଯେ ରେଳ ଷ୍ଟେସନ୍‌ ହେଉଛି ଜାତୀୟ ସମ୍ପତ୍ତି। ତାହାର ସୁରକ୍ଷା ଦାୟିତ୍ବ ଆମ ସମସ୍ତଙ୍କର। ଆନ୍ଦୋଳନ କରନ୍ତୁ। ମାତ୍ର ରେଳ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର