ଦଶପଲ୍ଲା: ସେଦିନ ଥିଲା ୨୦୦୮ ଫେବ୍ରୁଆରି ୧୫ ତାରିଖ। ରାତି ଠିକ୍ ୧୦ଟା ୧୦ ବେଳକୁ ନୟାଗଡ଼ ଜିଲ୍ଲା ମୁଖ୍ୟାଳୟର ଅସ୍ତ୍ରାଗାର ସମେତ ନୂଆଗାଁ, ଦଶପଲ୍ଲା ଓ ମହିପୁର ଫାଣ୍ତିକୁ ଘେରାବନ୍ଦୀ କରି ତାଣ୍ଡବଲୀଳା ରଚିଥିଲେ ସଶସ୍ତ୍ର ମାଓବାଦୀ। ଆଜି ସେହି ଦିନକୁ ୧୭ ବର୍ଷ ବିତିଛି। ନୟାଗଡ଼, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା ଗସ୍ମାହ ଜଙ୍ଗଲରେ ନକ୍ସଲମାନେ ଛାଡ଼ି ଯାଇଥିବା ଅପହୃତ ଗାଡ଼ିର ଭଗ୍ନାବଶେଷ ଓ ଗଛରେ ଫୁଟି ରହିଥିବା ଗୁଳିର ଚିହ୍ନ ଆଜି ବି ସେହି କାଳରାତ୍ରିର କଳା କାହାଣୀକୁ ମନେ ପକାଇ ଦେଉଛି। ତେବେ ମାଓବାଦୀଙ୍କୁ ପ୍ରତିହତ କରିବାକୁ ଯାଇ ଦଶପଲ୍ଲା ଥାନା ନାହାକପଡ଼ା ଗ୍ରାମର ସୁରେନ୍ଦ୍ର ବେହେରା ପ୍ରାଣ ହରାଇ ଅନେକ ପୁଲିସ କର୍ମଚାରୀଙ୍କ ଜୀବନକୁ ବଞ୍ଚାଇ ଦେଇଥିଲେ। ସୁରେନ୍ଦ୍ରଙ୍କର ସାହସିକତାକୁ ସେ ସମୟରେ ଜିଲ୍ଲା ପ୍ରଶାସନ ଭୂୟସୀ ପ୍ରଶଂସା କରିବାସହ ପରିବାର ନିକଟରେ ପହଞ୍ଚି ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହା ପାଳନ କରିନଥିବା ସୁରେନ୍ଦ୍ରଙ୍କ ପତ୍ନୀ ସଜନୀ ଲୁହ ଛଳଛଳ ଆଖିରେ ପ୍ରକାଶ କରିଛନ୍ତି।
ମାଓବାଦୀମାନେ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ସହ ନୂଆଗାଁ ଥାନା ଓ ମହିପୁର ଫାଣ୍ତି ଉପରେ ଆକ୍ରମଣ କରୁଥିବା ସମୟରେ ଦଶପଲ୍ଲା ଜେଲ୍ ନିକଟରେ ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ସୁରେନ୍ଦ୍ର ଗୁଳିମାଡ଼ରେ ଟଳି ପଡ଼ିଥିଲେ। ଏହା ପରେ ପୁଲିସ ସଜାଗ ହୋଇଯିବାରୁ ଦଶପଲ୍ଲା ଥାନା ଅଧିକାରୀଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ ଖସିଯିବାରେ ସକ୍ଷମ ହୋଇଥିଲେ। ଏହାପରେ ମାଓବାଦୀମାନେ ଥାନାରେ ପହଞ୍ଚି ବ୍ୟାପକ ପୋଡ଼ାଜଳା କରିବା ସହ ଥାନା ଅଧିକାରୀଙ୍କ ସରକାରୀ କ୍ବାର୍ଟର୍ସକୁ ଜାଳି ଦେଇଥିଲେ। ସେହି ସମୟରେ ସୁରେନ୍ଦ୍ରଙ୍କ ଦୁଇପୁଅ ଛୋଟ ରହିଥିବାରୁ ପାଠପଢ଼ି ବଡ଼ ହେଲେ ଜଣଙ୍କୁ ପୁଲିସ ବିଭାଗରେ ଚାକିରି ଦିଆଯିବ ବୋଲି କୁହାଯାଇଥିଲା। ଏହା ମଧ୍ୟରେ ବଡ଼ପୁଅ ମନୋଜ (୨୫) ପାଠପଢ଼ି ଚେନ୍ନାଇରେ ଦାଦନ ଖଟୁଥିବା ବେଳେ ସାନପୁଅ ପଙ୍କଜ ପାର୍ସଲ-ବୟ ଭାବେ କାମ କରି ପରିବାର ଚଳାଉଛନ୍ତି। ଏପଟେ ଆଜିର ଦିନକୁ ମନେ ପକାଇ ହାତରେ ସ୍ବାମୀଙ୍କ ଫଟୋ ଧରି ସେହି କାଳରାତ୍ରିକୁ ମନେ ପକାଉଛନ୍ତି ସଜନୀ। ଏହି ମାଓ ହମଲାରେ ୧୧ ଜଣ ପୁଲିସ ସହିଦ ହୋଇଥିଲେ। ଏହି ସହିଦଙ୍କ ମଧ୍ୟରେ ନୟାଗଡ଼ ଥାନାର ଏଏସ୍ଆଇ ଦଣ୍ତପାଣି ମିଶ୍ର, ରିଜର୍ଭ ଅଫିସର୍ ଲାନ୍ସ ନାୟକ ବ୍ରଜବନ୍ଧୁ ବସନ୍ତିଆ, ଓପି ପେଣ୍ଠୋଇ, କନେଷ୍ଟବଳ ଏସ୍.କେ ବାଈ, ପି.କେ ପ୍ରଧାନ, ଏସ୍.ଏ ଖାନ୍, ତିରସ୍ କାର୍ତ୍ତିକେଶ୍ବର ପ୍ରଧାନ, ଡିଏସ୍ଆଇ ସୋମନାଥ ସ୍ବାଇଁ, ହାବିଲଦାର୍ ଏସ୍.କେ ପଣ୍ତା, ଆର୍.କେ ପ୍ରଧାନ ଓ ସୁଇପର୍ ଭୋଳା ନାୟକ, ମହିପୁର ଫାଣ୍ତିର ଏଏସ୍ଆଇ ଆର୍.ଏନ୍ ସାହୁ ଓ ଗ୍ରାମରକ୍ଷୀ ଆନନ୍ଦ ନାୟକ, ନୂଆଗାଁ ଥାନାର କନେଷ୍ଟବଳ ଶ୍ରୀନିବାସ ବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/15/AbWAGKfaDQcgZOyvtpbS.jpg)