ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଅଛନ୍ତି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।  ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାରୁ ୧୯, ରାୟଗଡ଼ା ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୧୯, ଯାଜପୁର ଜିଲ୍ଲାରୁ ୩, ମାଲକାନଗିରି ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୬, କଟକ ଜିଲ୍ଲାରୁ ୧୪, ନୟାଗଡ଼ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୧୬, ବରଗଡ଼ ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬, ସମ୍ବଲପୁର ଜିଲ୍ଲାରୁ ୨, କୋରାପୁଟ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୪୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦୩ ରହିଛି। ଅପରପକ୍ଷରେ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର