ଭୁବନେଶ୍ବର : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଷଷ୍ଠ ଓ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାରା ରାଜ୍ୟରେ ବେସଲାଇନ୍ ଆସେସ୍ମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତି ବିଦ୍ୟାଳୟକୁ ମୋବାଇଲ ସାହାଯ୍ୟରେ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇ ଜେରକ୍ସ କରି ପିଲାଙ୍କୁ ଦେବାକୁ କୁହାଯାଇଛି। ଜେରକ୍ସ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା କମ୍ପୋଜିଟ୍ ଗ୍ରାଣ୍ଟ କିମ୍ବା ପରୀକ୍ଷା ପାଣ୍ଠିରୁ ଖର୍ଚ୍ଚ କରିପାରିବେ। ତେବେ ପ୍ରାୟ୧୭୦୦ ସରକାରୀ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ସବୁ ଗ୍ରାଣ୍ଟ ଦିଆଯାଉନାହିଁ। ତେଣୁ ଏହି ବିଦ୍ୟାଳୟରେ ଅଧ୍ୟୟନରତ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ କିପରି ଏହି ପରୀକ୍ଷା ଦେବେ, ତାହାକୁ ନେଇ ଶିକ୍ଷକ ଓ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।
ଓଡ଼ିଶାର ସରକାରୀ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସମନ୍ୱିତ ଅନୁଦାନ, ଇକୋ କ୍ଲବ, ଲାଇବ୍ରେରି ଓ ଖେଳ ଅନୁଦାନ ଦେବାକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲଷ୍ଟା) ପକ୍ଷରୁ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯିବା ପରେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଶିକ୍ଷା ଅଧିକାର ଆଇନ ମୁତାବକ ମୌଳିକ ସୁବିଧାରୁ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ୧୭୦୦ରୁ ଅଧିକ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଯୋଗାଇ ଦେବାକୁ ସଙ୍ଗଠନ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଶିବନାରାୟଣ ବେହେରା, ବିକ୍ରମ କୁମାର ଦାସ, କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା, ଉପ ସଭାପତି କିଶୋର କୁମାର ମହାରଥା, ଯଗ୍ମ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ମାଧବାନନ୍ଦ ପଣ୍ଡା ପ୍ରମୁଖ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।