ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଗରିବ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶିରୁ ଶ୍ରମ ବିଭାଗର ଅସାଧୁ ଅଧିକାରୀ ଓ କିଛି ସଂସ୍ଥା କରିଥିବା ୧ କୋଟି ୪୪ ଲକ୍ଷ ଟଙ୍କା ହଡ଼ପ ମାମଲା ଲୋକାୟୁକ୍ତରେ। ସୂଚନା ଅଧକାର ଆଇନରେ ଉପ ଶ୍ରମ କମିସନଙ୍କ କାର୍ଯ୍ୟାଳୟରୁ ଯୋଗାଇ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିବା ପରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ରଶ୍ମି ପାଢ଼ୀ ୨୦୧୯ ଡିସେମ୍ବର ୭ରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତଙ୍କ ଆଦେଶକ୍ରମେ ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେଇଥିଲା, ଯେଉଁଥିରୁ ୧.୪୪ କୋଟି ହଡ଼ପ ଏକ ପ୍ରକାର ସ୍ପଷ୍ଟ।
ଏସ୍ଥିତିରେ ରାଉରକେଲାର ପୂର୍ବତନ ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର ଓ ନିର୍ମାଣ ଶ୍ରମିକ ଉପକରଣ ଯୋଗାଇଥିବା ବ୍ୟବସାୟିକ ସଂସ୍ଥା କୋଏଲନଗରର ମା’ ପଦ୍ମାସିନୀ ଏଣ୍ଟରପ୍ରାଇଜେସର ମାଲିକ ସୁଶାନ୍ତ ଲେଙ୍କା, ସିଭିଲ ଟାଉନସିପର ବେଦିକା ଭେଣ୍ଡର୍ସ ପ୍ରାଇଭେଟ୍ ଲିମିଟେଡର ମାଲିକ ଅନୁପ ଗୁପ୍ତା ଲୋକାୟୁକ୍ତରେ ଜୁନ ୨୯ରେ ନିଜ ନିଜ ପକ୍ଷ ରଖିଛନ୍ତି। ଅଗଷ୍ଟ ୧୯ରେ ସମସ୍ତ ପକ୍ଷଙ୍କୁ ଉପସ୍ଥିତ ହେବାକୁ ଲୋକାୟୁକ୍ତ ନୋଟିସ କରିଥିବା ବେଳେ ଏହି ଦିନ ଶୁଣାଣି ହୋଇପାରେ ବୋଲି କୁହାଯାଉଛି। ଏହା ମଧ୍ୟରେ ଶ୍ରମ ବିଭାଗ ନାମରେ ଆଉ ଏକ ଚାଞ୍ଚଲ୍ୟକର ଜାଲିଆତି ଅଭିଯୋଗ ଆସିଥିଲା। ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ନାମରେ ୧୭ ହଜାରରୁ ଅଧିକ ଜାଲ୍ କାର୍ଡ ତିଆରି କରି ସରକାରଙ୍କ ସହାୟତା ରାଶି ହଡ଼ପ କରାଯାଇଥିବା ଭିଜିଲାନ୍ସ ପାଖରେ ଅଭିଯୋଗପତ୍ର ଦାଖଲ ହୋଇଥିଲା।
କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଭିଜିଲାନ୍ସ ହାତ ବାନ୍ଧି ବସିଯାଇଛି। ନିର୍ମାଣ ଶ୍ରମିକ ସହାୟତା ରାଶି ହଡ଼ପ ଅଭିଯୋଗର ତଦନ୍ତ କରିଥିବା ଭିଜିଲାନ୍ସ ଜାଲ କାର୍ଡର ତଦନ୍ତ ପ୍ରତି ଆଗ୍ରହ ପ୍ରକାଶ ନକରିବା ପଛର କାରଣ କ’ଣ, ସିଧାସଳଖ ତଦନ୍ତକୁ ନଓହ୍ଲାଇ କ’ଣ କେବଳ ଲୋକାୟୁକ୍ତ ପରି କୌଣସି ଆୟୋଗ ବା ସଂସ୍ଥାର ଆଦେଶ ଆସିଲେ ହିଁ ତଦନ୍ତକୁ ଯିବ କି ଭିଜିଲାନ୍ସ। ଏବେ ସାଧାରଣରେ ଭିଜିଲାନ୍ସର ନିରବତାକୁ ନେଇ ଏପରି ଅନେକ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ମହାମାରୀ କରୋନା ସମୟରେ ନିର୍ମାଣ ଶ୍ରମିକଙ୍କୁ ସରକାର ୧୫ ଶହ ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାକୁ ୧ ଲକ୍ଷ ୧୨ ହଜାର ୨୨୦ ଜଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୬ କୋଟି ୮୩ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ।
୨୦୧୯ ଏପ୍ରିଲ ଶେଷ ଭାଗରେ ସ୍ବତନ୍ତ୍ର ଶିବିର ମାଧ୍ୟମରେ ଏହି ସହାୟତା ରାଶି ବଣ୍ଟନ କରାଯାଇଥିଲା। ସମଗ୍ର ଜିଲ୍ଲାରେ ୯୫ ହଜାର ୬୧ ଜଣ ନିର୍ମାଣ ଶ୍ରମିକ ସହାୟତା ରାଶି ନେଇଥିଲେ। କିନ୍ତୁ ୧୭ ହଜାର ୧୫୯ ଶ୍ରମିକ ସହାୟତା ନେଇ ନଥିଲେ। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ସହାୟତା ରାଶି ମଧ୍ୟରେ ୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପାଖକୁ ଫେରି ଯାଇଥିଲା। କରୋନାର ଦ୍ବିତୀୟ ଲହର ବେଳକୁ ପୁଣି ସହାୟତା ରାଶି ଆସିଥିଲେ ମଧ୍ୟ ସେହି ୧୭ ହଜାର ଶ୍ରମିକଙ୍କ ଦେଖା ମିଳି ନଥିଲା। ଏପରିକି ସହାୟତା ରାଶି ନେବାକୁ ଶ୍ରମ ବିଭାଗ ବ୍ୟାପକ ପ୍ରଚାର, ପ୍ରସାର କରି ପୌରାଞ୍ଚଳ ଓ ବ୍ଲକରେ ସ୍ବତନ୍ତ୍ର ଶିବିର ମାଧ୍ୟମରେ ମାସ ମାସ ଧରି ସହାୟତା ରାଶି ବଣ୍ଟନ କରିଥିଲେ ମଧ୍ୟ ଏହି ଶ୍ରମିକମାନେ ଆସି ନଥିଲେ। ତେଣୁ ଏତେ ସଂଖ୍ୟକ ନିର୍ମାଣ ଶ୍ରମିକ କାର୍ଡ ଜାଲ୍ ଥିବା ଅଭିଯୋଗ କରି ଏହାର ତଦନ୍ତ ପାଇଁ ଶ୍ରୀ ପାଢ଼ୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/8-2.jpg)