ପୁରୀ: ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛି। ପର୍ଯ୍ୟାୟ କ୍ରମେ ସ୍ନାନଯାତ୍ରା ନୀତି ସହ ସଂପୃକ୍ତ ସେବକଙ୍କୁ କରୋନା ଉପରେ ସଚେତନ କରାଯାଉଛି। ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ସେବକମାନଙ୍କୁ କରୋନା ଉପରେ ସଚେତନ କରାଯାଇଛି। ସାମାଜିକ ଦୂରତା ରକ୍ଷା ସହ ମାସ୍କ ଓ ଅନ୍ୟାନ୍ୟ ନିୟମକୁ ମାନି କାମ କରିବାକୁ କୁହାଯାଇଛି। ଏହି ଅବସରରେ ଗରାବଡ଼ୁ ସେବକମାନେ ସ୍ବତଃସ୍ଫୂର୍ତ୍ତ କୋଭିଡ୍-୧୯ ଟେଷ୍ଟ ପାଇଁ ପ୍ରସ୍ତାବ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ଆସନ୍ତା ୨୯ ଓ ୩୦ ତାରିଖ ଦିନ ଗରାବଡ଼ୁ ନିଯୋଗର ୧୭୨ ଜଣ ସଦସ୍ୟଙ୍କ କୋଭିଡ୍-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଗରାବଡ଼ୁ ସେବକଙ୍କୁ ନେଇ ଏକ କରୋନା ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଡାକ୍ତର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆଗକୁ ସ୍ନାନଯାତ୍ରା ଥିବାରୁ ଏହି ସମୟରେ ସେବାକାର୍ଯ୍ୟ ବେଳେ କ’ଣ କ’ଣ ନିୟମ ମାନି କାମ କରିବାକୁ ପଡ଼ିବ, ସେ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଶ୍ରୀ ଜେନାଙ୍କ ସହ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀଳକଣ୍ଠ ମିଶ୍ର, ସହକାରୀ ଚିକିତ୍ସା ଅଧିକାରୀ ଡା. ଦେବୀପ୍ରସାଦ ମହାପାତ୍ର, ଗରାବଡ଼ୁ ନିଯୋଗର ସଭାପତି ଓ ସଂପାଦକ ଉପସ୍ଥିତ ରହି କରୋନାର ସଂକ୍ରମଣ ଓ ଏହାର ଭୟାବହତା ଉପରେ ସୂଚନା ଦେଇଥିଲେ। ଏହି ଅବସରରେ ଗରାବଡ଼ୁ ନିଯୋଗ ତରଫରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ପାଇଁ ଦାବି ହୋଇଥିଲା। ନିକଟରେ ଅନୁଷ୍ଠିତ ୧୦ ନିଯୋଗ ସହ ବୈଠକ ପରେ ସ୍ନାନଯାତ୍ରା ପାଇଁ ସେବକ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ୨୫ ତାରିଖ ସୁଦ୍ଧା ଗରାବଡ଼ୁ ନିଯୋଗ ସହ ୧୦ ନିଯୋଗକୁ ସେବକଙ୍କ ତାଲିକା ମଗାଯାଇଛି। ମନ୍ଦିର ପ୍ରଶାସନ ଏହି ଯୁକ୍ତି ବାଢ଼ିବା ପରେ ସ୍ବଳ୍ପ ସମୟ ଭିତରେ ସଦସ୍ୟଙ୍କ ନାମ ଦେବା ସମ୍ଭବ ନଥିବାରୁ ସମସ୍ତଙ୍କ କରୋନା ପରୀକ୍ଷା କରାଯାଉ ବୋଲି ନିଯୋଗ ଦାବି କରିଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ସହମତି ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sfh498sfh7sf98hsfhhhhhhhhhhhhhhhh.jpg)