ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ। ଚଳିତବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ।

Advertisment

ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଭାସୀ ଆଲୋଚନା ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଆଦିବାସୀଙ୍କ ଭାଷା ସ୍ବତନ୍ତ୍ର, ସେମାନଙ୍କ କଳା ସ୍ବତନ୍ତ୍ର। ତେଣୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏହାର ରକ୍ଷଣାବେକ୍ଷଣ ସହ ଏହାର ସ୍ୱତନ୍ତ୍ରତା ବଜାୟ ରଖି ପାରିଲେ ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣା ସୃଷ୍ଟି କରିବ। ତେଣୁ ଆଦିବାସୀ ସଂସ୍କୃତିର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ପରିଷଦର ପ୍ରତ୍ୟେକଟି ଅର୍ଥ ବିନିଯୋଗ ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବ ଦେଇଥିଲେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗୀୟ କମିସନର ରୂପା ରୋଶନ ସାହୁ କହିଥିଲେ, ଜନଜାତି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ପବିତ୍ର ପୂଜା ସ୍ଥଳୀର ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡ଼ିତ ବିଭିନ୍ନ ସାଂସ୍କୃତିକ ସଂଗଠନଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା, ସେମାନଙ୍କୁ ନୃତ୍ୟ ପୋଷାକ ସହ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ଯୋଗାଇଦେବା ଆଦି କାର୍ଯ୍ୟକୁ ପରିଷଦ ସୂଚାରୁରୁପେ ତୁଲାଉଥିବା ବିଷୟରେ ସେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ୯ଟି ଆଦିବାସୀ ବହୁଳ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସବୁ ଜିଲ୍ଲାର ଜନଜାତି ଗୋଷ୍ଠୀ ଏହି ଆଲୋଚନାରେ ଭାଗ ନେଇଥିଲେ। ସ୍ବତନ୍ତ୍ର ଉନ୍ନୟନ ପରିଷଦର ସହାୟତାରେ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ଓ ଆର୍ଥିକ ପ୍ରୋତ୍ସୋହନର ସଫଳ କାହାଣୀ ବିଷୟରେ ୫ଟି ସଚିବଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡ଼ା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ଼ ଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।