ଅଟୋରୁ ୧୭୫ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ

ଦିଗପହଣ୍ଡି : ଗଞ୍ଜାମରେ ବନ୍ୟଜନ୍ତୁ ଶିକାର ବେଧଡ଼କ ଚାଲିଛି। ଗଞ୍ଜାମ ଜିଲ୍ଲା ରତନେଇ ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଦିଗପହଣ୍ଡି ବାନାଞ୍ଚଳ ଅର୍ନ୍ତଗତ ରତନେଇ ଚିହ୍ନିତ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରୁ ଆଜି ସମ୍ବର ଶିକାର କରି ଅଟୋରେ ମାଂସ ଚାଲାଣ ହେଉଥିବା ବେଳେ ବନବିଭାଗ ଧରିଛି। ୧୭୫ କିଲୋ ସମ୍ବର ମାଂସ ବୋଝେଇ ଅଟୋକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଚିକିଟି ବ୍ଲକ କେ.ନୂଆଗାଁର ବାଞ୍ଛାନିଧି ନାୟକଙ୍କୁ ବନବିଭାଗ ଗିରଫ କରିଛି।

ଶୁକ୍ରବାର ସକାଳେ ନୂଆପଡ଼ା ଗ୍ରାମ ନିକଟରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଓଡି-୦୭-ଏକ୍ସ-୮୦୫୪ ନମ୍ବର ବିଶିଷ୍ଟ ଏକ ଅଟୋ ଦ୍ରୁତଗତିରେ ଯାଉଥିବା ଦେଖିବାକୁ ପାଇଥିଲେ। ଉକ୍ତ ଅଟୋକୁ ସନ୍ଦେହ କରି ବନ କର୍ମଚାରୀମାନେ ନୂଆପଡ଼ା କଲେଜ ଛକ ନିକଟରେ ଅଟକାଇ ଯାଞ୍ଚ୍‌ କରିଥିଲେ। ଅଟୋ ମଧ୍ୟରୁ ସଦ୍ୟ ଶିକାର ସମ୍ବର ମାଂସ ମିଳିଥିଲା। ‌ଏକ ବିରାଟ ସମ୍ବରକୁ ୬ଖଣ୍ଡ କରି ରଖା ଯାଇଥିଲା। ଏ ନେଇ ବନ କର୍ମଚାରୀ ମାନେ ଡେପୁଟି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ। ଡେପୁଟି ରେଞ୍ଜର ଶ୍ରୀ ପଟ୍ଟନାୟକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍‌ ତଦନ୍ତ କରିଥିଲେ। ମାଂସ ବୋଝେଇ ଅଟୋକୁ ଜବତ କରି ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି। ଜବତ ମାଂସ ଖଣ୍ଡ ଗୁଡ଼ିକୁ ପରୀକ୍ଷା ନିମନ୍ତେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ସେଠାରୁ ପରୀକ୍ଷା ରିପୋର୍ଟ ମିଳିବା ପରେ ସବିଶେଷ ତଦନ୍ତ କରାଯିବ। ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଡେପୁଟି ରେଞ୍ଜର କହିଛନ୍ତି।

ସମ୍ବନ୍ଧିତ ଖବର