୨୦ରେ ବାହାରିନ୍‌ରୁ ‌ଫେରିବେ ୧୭୫ ପ୍ରବାସୀ

ଆଣ୍ଡାମାନରୁ ଫେରିଲେ ୧୮୦ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : କରୋନା କଟକଣା ପାଇଁ ବାହାରିନ୍‌ରେ ଫସି ରହିଥିବା ପ୍ରାୟ ୧୭୫ ପ୍ରବାସୀ ଓଡ଼ିଆ ଆସନ୍ତା ଜୁନ୍‌ ୨୦ ତାରିଖରେ ଓଡ଼ିଶା ଫେରିବେ। କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିସନ୍‌’ରେ ବାହାରିନ୍‌ ଓଡ଼ିଆ ସମାଜ ଓ ଓଡ଼ିଶା ସରକାରଙ୍କ ସହାୟତାରେ ଏହି ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଛି। ବାହାରିନ୍‌ରେ ଫସି ରହିଥିବା ବହୁ ଓଡ଼ିଆ ଶ୍ରମିକଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ କେତେକଙ୍କର ଭିସା ସରିଯାଇଛି। ସେମାନେ ତିନି ମାସ ହେଲା ଶ୍ରମିକ ଶିବିରରେ ଅଛନ୍ତି। ସେହିପରି କିଛି ଲୋକଙ୍କର ବୃଦ୍ଧ ପିତାମାତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ତେଣୁ ଏହି ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ନେବାକୁ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏୟାରଇଣ୍ଡିଆର ବାଣିଜ୍ୟିକ ନି‌ର୍ଦ୍ଦେଶକ ମୀନାକ୍ଷୀ ମଲ୍ଲିକଙ୍କ ସହ ଯୋଗାଯୋଗ କରିବା ପରେ ପ୍ରବାସୀ ଓଡ଼ିଆ ଫେରିବା ବାଟ ଫିଟିଛି। ତେଣୁ ଶ୍ରୀ ପ୍ରହରାଜ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏଆଇ ୦୯୪୦ରେ ଏହି ୧୭୫ଜଣ ପ୍ରବାସୀ ଓଡ଼ିଆ ଫେରିବେ। ବିମାନଟି ବାହାରିନ୍‌ରୁ ସ୍ଥାନୀୟ ସମୟ ଅନୁଯାୟୀ ଅପରାହ୍‌ଣ ୧ଟା ୫ ମିନିଟ୍‌ରେ ବାହାରିବ। ଏହା ଭାୟା ଦିଲ୍ଲୀ ହୋଇ ରାତି ୧୦ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ ବୋଲି ଶ୍ରୀ ପ୍ରହରାଜ ଜଣାଇଛନ୍ତି।

ଆଣ୍ଡାମାନରୁ ଫେରିଲେ ୧୮୦ ପ୍ରବାସୀ ଓଡ଼ିଆ
ଭୁବନେଶ୍ବର : ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ କରିଥିବା ମିସନ୍‌ରେ ଆଜି ଆଣ୍ଡାମାନ ଓ ନିକୋବରରୁ ୧୮୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିଛନ୍ତି।

ଏୟାର ଏସିଆର ସ୍ବତନ୍ତ୍ର ବିମାନ ଆଜି ଅପରାହ୍ନ ୧୨ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ଆଣ୍ଡାମାନ ଓ ନିକୋବରରୁ ଆସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ବିମାନବନ୍ଦରରେ ଥର୍ମାଲ୍‌ ସ୍କ୍ରିନିଂ କରିବା ପରେ ନାମ ପଞ୍ଜୀକରଣ କରାଯାଇଥିଲା। ଏହାପରେ ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଇ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଥିଲା। ଏଥିପାଇଁ ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥି‌ଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଜୁନ୍‌ ୩ରେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଓ ଆସାମରୁ ୨୮୦ଜଣ, ଜୁନ୍‌ ୭ରେ ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀରରୁ ୩୧୦ଜଣ ପ୍ରବାସୀ ଶ୍ରମିକ ଫେରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଶ୍ରମିକ ଟ୍ରେନ୍‌ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଥିବାବେଳେ ସଡ଼କ ପଥରେ ମଧ୍ୟ ବହୁ ଶ୍ରମିକଙ୍କୁ ଆଣିଛନ୍ତି। ଯେଉଁ ଅଞ୍ଚଳରୁ ଟ୍ରେନ୍‌ ଓ ସଡ଼କ ପଥ ଯୋଗେ ଭୁବନେଶ୍ବର ଫେରିବା ସମ୍ଭବ ନୁହେଁ ସେଠାରୁ ବିମାନରେ ପ୍ରବାସୀ ଶ୍ରମିକଙ୍କୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଏୟାର ଏସିଆ ବିମାନକୁ ନିୟୋଜିତ କରିଛନ୍ତି।

ସମ୍ବନ୍ଧିତ ଖବର