ଆଳି/ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ପ୍ରତିଷ୍ଠା ହୋଇଥିବା ନଡ଼ିଆକତା ଶିଳ୍ପ ଏବେ ଭୂତକୋଠି ପାଲଟିଛି। ଏଥିପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଠାରେ ଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରାଂଶ ଏକପ୍ରକାର ଖତ ଖାଉଛି। ସେପଟେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରିଥିବା ମହିଳାମାନେ ଋଣବୋଝରେ ଛଟପଟ ହେଉଛନ୍ତି। ପ୍ରାଶାସନିକ ଉଦାସୀନତା, ଅସହଯୋଗ ଓ ଆନ୍ତରିକତା ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ମହିଳାମାନେ ଅଭିଯୋଗ କରିବା ସହିତ ତୁରନ୍ତ ଶିଳ୍ପସଂସ୍ଥାକୁ କାର୍ଯ୍ୟକ୍ଷମ ନକଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କଞ୍ଚାମାଲକୁ ବିନିଯୋଗ କରାଯିବା ସହିତ ସଂପୃକ୍ତ ଅଞ୍ଚଳର ମହିଳାଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଏହି ନଡ଼ିଆକତା ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। ୨୦୧୮ ନଭେମ୍ବରରେ ରାଜକନିକା ବ୍ଲକର ଅଖୁଳିପଡ଼ା, କୋଠସାହି, ପାଣ୍ଡୁରକୋଇଲି, କୁଜିପୁରରେ ୫ଟି ନଡ଼ିଆକତା ଶିଳ୍ପ ପ୍ରତିଷ୍ଠା ପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ନିୟମ ମୁତାବକ ପ୍ରକଳ୍ପର ନୋଡାଲ୍ ଏଜେନ୍ସି ଥିବା ଭାରତ ସରକାରଙ୍କ କଏର୍ ବୋର୍ଡକୁ ୨୦୧୯ ଜୁନ୍ ମାସରେ ମଞ୍ଜୁର ଅର୍ଥ ମିଳି ସାରିଛି।  ମଞ୍ଜୁର ଅର୍ଥକୁ କଏର୍ ବୋର୍ଡ ପ୍ରକଳ୍ପର କାର୍ଯ୍ୟକାରୀ ଏଜେନ୍ସି ତଥା ଅଣସରକାରୀ ଅନୁଷ୍ଠାନ ‘ସ୍ନେହ’କୁ ଯୋଗାଇ ଦିଆଯିବାକୁ ଥିଲେ ହେଁ ମଏଥିରେ ବିଳମ୍ବ ହୋଇଛି। ଫଳରେ ବର୍ଷବର୍ଷ ଧରି ଏହି ପ୍ରକଳ୍ପ ଅଧାପନ୍ତରିଆ ସ୍ଥିତିରେ ପଡ଼ିରହିଛି। ୫ଟି ସ୍ଥାନରେ ନିର୍ମିତ ୫ ଟି କୋଠା ଭୂତକୋଠି ପାଲଟିଛି। ଖଞ୍ଜାଯାଇଥିବା ଯନ୍ତ୍ରପାତିରେ କଳଙ୍କି ଲାଗିଗଲାଣି।

୫ କୋଠା ଏବେ ଭୂତକୋଠି, ଖତ ଖାଉଛି ଉପକରଣ
ଋଣବୋଝରେ ଛନ୍ଦି ହୋଇଛନ୍ତି ତାଲିମପ୍ରାପ୍ତ ମହିଳା
ଆଇନର ଆଶ୍ରୟ ନେବାକୁ ଚେତାବନୀ

ଅନ୍ୟପଟେ କଏର୍ ବୋର୍ଡ ମାଧ୍ୟମରେ ୧୦ବର୍ଷ ତଳେ ନଡ଼ିଆକତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ ତାଲିମ ନେଇଥିବା ଶତାଧିକ ମହିଳା ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତ ବିନିଯୋଗ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବା କାରଣରୁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତ ହିସାବରେ ୧୫ ଲକ୍ଷ ଟଙ୍କାରୁ ଅଧିକ ଧାରକରଜ କରି ସେମାନେ ଦେଇଥିଲେ। କତାଶିଳ୍ପ ପାଇଁ ତାଲିମ ନେଇଥିଲେ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରୋଜଗାର କରି କରଜ ସୁଝିବାକୁ ଯୋଜନା କରିଥିଲେ। ମାତ୍ର ବର୍ଷବର୍ଷ ଧରି ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବା କାରଣରୁ ସମସ୍ୟାରେ ପଡ଼ିଛନ୍ତି ବୋଲି କଏର୍ କ୍ଲଷ୍ଟର ସଦସ୍ୟା ଶ୍ରୀମତୀ ନାୟକ, ଗୈାରୀରାଣୀ ବିଶ୍ବାଳଙ୍କ ସମେତ ଅନ୍ୟମାନେ କହିଛନ୍ତି ଏ ସମ୍ପର୍କରେ ସ୍ନେହର ସଂପାଦକ ଦୀପକ ମହାନ୍ତି କହିଛନ୍ତି ଯେ, କଏର୍ ବୋର୍ଡର ବିଳମ୍ବିତ ପ୍ରକ୍ରିୟା ଯୋଗୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି। ଗୃହ ନିର୍ମାଣ, ମେସିନ ଓ ଯନ୍ତ୍ରାଂଶ ସ୍ଥାପନ ପରେ ମଧ୍ୟ କଏର୍ ବୋର୍ଡ ମେସିନ୍ କିଣା ଓ ଅନ୍ୟାନ୍ୟ ଖର୍ଚ୍ଚ ବିଲ୍ ଅନୁମୋଦନ କରୁନାହିଁ। ଏଥିଯୋଗୁଁ ଅବଶିଷ୍ଟ ଉପକରଣ ଆସି ପାରୁନାହିଁ। ଶିଳ୍ପକେନ୍ଦ୍ରକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରୁ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।