ଶ୍ରମିକଙ୍କର ୧୭୭ କୋଟି ମଜୁରି ବକେୟା

ଟଙ୍କା ଦେଉନି କେନ୍ଦ୍ର, ମନରେଗା ଠପ୍‌

୨୦୧୪-୧୫ରୁ ଏଯାଏ ୨୪୭୩ କୋଟି କମ୍‌ ଅନୁଦାନ ମିଳିଛି

ଭୁବନେଶ୍ୱର: ଓଡ଼ିଶାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଠପ୍‌ ହୋଇଯାଇଛି। ସ୍ଥିତି ଏତେ ସାଂଘାତିକ ଯେ ଶ୍ରମିକଙ୍କ ମଜୁରି ବାବଦରେ ୧୭୭ କୋଟି ୩୩ଲକ୍ଷ ଟଙ୍କା ବକେୟା ରହିଲାଣି। ପରିଣାମରେ ଶ୍ରମିକମାନେ ଏବେ ଏହି ଯୋଜନାକୁ ମୁହଁ ମୋଡ଼ିଲେଣି। ଗୋଟିଏ ପଟେ କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ଅଜାଡି ଦେଉଥିବା ନେଇ ଦାବି କରୁଥିବା ବେଳେ ଅନ୍ୟପଟରେ କେନ୍ଦ୍ରୀୟ ଅବହେଳାର ଏଭଳି ନଗ୍ନ ରୂପକୁ ଆଜି ବିଜେଡି ପଦାକୁ ଆଣିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ତଥା ମୁଖପାତ୍ର ସମୀର ଦାସ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଓଡ଼ିଶାକୁ ୨୪୭୩ କୋଟି ଟଙ୍କା କମ୍‌ ଅନୁଦାନ ମିଳିଛି। କେନ୍ଦ୍ର ସରକାର ରାଜ୍ୟର ଆବଶ୍ୟକ ମୁତାବକ ଅନୁଦାନ ପ୍ରଦାନ କରୁନାହାନ୍ତି। କେନ୍ଦ୍ରର ଏଭଳି ଅବହେଳା ପରିଣାମରେ ଏବେ ରାଜ୍ୟରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଲାଣି।

ଶ୍ରୀ ଦାସ କହିଥିଲେ, ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୭-୧୮ରେ ମନରେଗା ଯୋଜନାରେ ୯ କୋଟି ଶ୍ରମ ଦିବସ ସୃଷ୍ଟି କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସ୍ୱୀକୃତି ପ୍ରଦାନ କରିଥିଲେ। ଏଥିପାଇଁ ୨୭୯୮ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ କେନ୍ଦ୍ର ସ୍ୱୀକୃତି ପ୍ରଦାନ କରିଥିଲା। ଏହି କ୍ରମରେ ଅକ୍ଟୋବର ସୁଦ୍ଧା ନିଜ ଅଂଶଧନ ବାବଦକୁ ରାଜ୍ୟକୁ ୨୫୨୯ କୋଟି ୮୭ଲକ୍ଷ ଟଙ୍କା ମିଳିବା କଥା। ୨୦୧୬-୧୭ ବର୍ଷ ପାଇଁ ୩୮୦ କୋଟି ୫୯ଲକ୍ଷ ଟଙ୍କା ବକେୟା ରଖିଛି କେନ୍ଦ୍ର। ଅର୍ଥାତ୍‌ ଏସବୁକୁ ମିଶାଇଲେ ଓଡ଼ିଶାକୁ ଏବର୍ଷ ୨୯୧୦ କୋଟି ୪୬ଲକ୍ଷ ଟଙ୍କା ମିଳିବା କଥା। ମାତ୍ର ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୬୧୩ କୋଟି ୬୨ଲକ୍ଷ ଟଙ୍କା ମିଳିଛି। ଏହି କାରଣରୁ ଧାର୍ଯ୍ୟ ଲକ୍ଷ୍ୟର ୫୩% ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି।

କେବଳ ସେତିକି ନୁହେଁ, ବିଜେଡି ଅଭିଯୋଗ କରିଛି,ମନରେଗା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ତଥା ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ମଜୁରି ପ୍ରଦାନ ପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ଏହି ଟଙ୍କାଙ୍କୁ ଶ୍ରମିକଙ୍କୁ ମଜୁରି ପ୍ରଦାନରେ କେଉଁ ପ୍ରଣାଳୀରେ ବ୍ୟବହାର କରାଯାଇପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁମତି ମଗାଯାଇଥିଲା। ହେଲେ ଏହାର ଉତ୍ତର ମିଳୁନି କି କର୍ପସ ପାଣ୍ଠି ଖର୍ଚ୍ଚ ହୋଇପାରୁନି।

ଏଠାରେ ଉଲ୍ଲେଖଥାଉକି, ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ୮୪୯୬ କୋଟିି ୮୬ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏଯାଏ ୬୦୨୩ କୋଟି ୬୦ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଅର୍ଥାତ୍‌ ଏହି ୪ବର୍ଷରେ ୨୪୭୩ କୋଟି ୨୬ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ରହିଛି।

ସମ୍ବନ୍ଧିତ ଖବର