୪ ମାସରେ ସରିବ ୧୮-୪୪ ବର୍ଗ ଟିକାକରଣ

୪ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର
ବିଶ୍ବସ୍ତରୀୟ ଟିକା କମ୍ପାନିଙ୍କୁ ଆକୃଷ୍ଟ କରାଯିବ
କୋହଳ ହେଲା ଟେଣ୍ଡର ସର୍ତ୍ତାବଳୀ
ମଦ ଦୋକାନ ଉପରୁ ଲାଇସେନ୍‌ସ ଫି’ ଛାଡ଼
ରେଙ୍ଗାଳି ବାମ କେନାଲ ପାଇଁ ୨୪୭ କୋଟି

ଭୁବନେଶ୍ବର : ଆସନ୍ତା ୪ ମାସ ଭିତରେ ରାଜ୍ୟର ୧୮ରୁ ୪୪ ବର୍ଷ ଭିତରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏ ନେଇ ରାଜ୍ୟ ସରକାର ଆହ୍ବାନ କରିଥିବା ବିଶ୍ବସ୍ତରୀୟ ଟେଣ୍ଡର ସର୍ତ୍ତାବଳୀରେ ଆବଶ୍ୟକ ସଂଶୋଧନ କରି କୋହଳ କରିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାସହିତ ଗତବର୍ଷ କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ରାଜ୍ୟର ମଦ ଦୋକାନଗୁଡ଼ିକର ଲାଇସେନ୍‌ସ ଫିକୁ ପର୍ଯ୍ୟାୟୱାରୀ ଛାଡ଼ କରାଯିବା ସହିତ ମୋଟ ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଥିବା ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କ ଟିକାକରଣ ପାଇଁ ସରକାର ଗତ ୧୪ ତାରିଖରେ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିଥିଲେ। ଟିକା ଉତ୍ପାଦନ କରୁଥିବା କମ୍ପାନିମାନଙ୍କ ସହ ଗତ ୧୯ ତାରିଖରେ ପ୍ରି-ବିଡ୍‌ ଆଲୋଚନା ହୋଇଥିଲା। ଟେଣ୍ଡର ପ୍ରକ୍ରିୟାକୁ ସରଳୀକରଣ ଓ ଉତ୍ପାଦନକାରୀ କମ୍ପାନି ଓ ଯୋଗାଣକାରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଗଠିତ ବୈଷୟିକ କମିଟି ସରକାରଙ୍କୁ ସୁପାରିସ କରିଥିଲେ। ସୁପାରିସ ମୁତାବକ ଟେଣ୍ଡର ସର୍ତ୍ତାବଳୀରେ ଆବଶ୍ୟକ ହେଉ​ଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ପୂର୍ବରୁ ସର୍ତ୍ତ ଥିଲା ଟିକାଗୁଡ଼ିକ ୨ ଡିଗ୍ରିରୁ ୮ ଡିଗ୍ରି ତାପମାତ୍ରାରେ ରହୁଥିବ। କିନ୍ତୁ ଏବେ ସଂଶୋଧିତ ସର୍ତ୍ତାବଳୀ ଅନୁଯାୟୀ ଏହାକୁ ବିଯୁକ୍ତ ୨୦ ଡିଗ୍ରି ତାମମାତ୍ରା ପର୍ଯ୍ୟନ୍ତ କରାଯାଇଛି। ଏହାସହିତ ଟିକାଗୁଡ଼ିକ ଯେପରି ଅନ୍ୟୂନ ୧୨ ଘଣ୍ଟା ପର୍ଯ୍ୟନ୍ତ ୨ ଡିଗ୍ରିରୁ ୮ ଡିଗ୍ରି ତାପମାତ୍ରାରେ ରହିପାରୁଥିବ, ତାକୁ ଗୁରୁତ୍ବ ଦିଆଯାଇଛି। ଯେହେତୁ ଗୋଟିଏ କମ୍ପାନିର ଟିକା ଅନ୍ୟ କମ୍ପାନି ଟିକାର ଉପାଦାନ ଭିନ୍ନ ରହିଛି। ସେଥିଯୋଗୁ ଏହାର ମୂଲ୍ୟ ନିର୍ଦ୍ଧାରଣ ନେଇ ପ୍ରତ୍ୟେକ କମ୍ପାନିର ଟିକାକୁ ସ୍ବତନ୍ତ୍ର ଭାବେ ଅନୁଧ୍ୟାନ କରି ନିର୍ଦ୍ଧାରଣ କରାଯିବ। ଟେଣ୍ଡର ପ୍ରକ୍ରିୟାରେ ଆଉ ଏଲ୍‌-୧, ଏଲ୍‌-୨ ଓ ଏଲ୍‌-୪ ବ୍ୟବସ୍ଥା ରହିବ ନାହିଁ। ସମ୍ପୂର୍ଣ୍ଣ ପରିମାଣର ଟିକା ପାଇଁ ଉତ୍ପାଦନ ଓ ଯୋଗାଣ କମ୍ପାନିମାନେ ବିଡ୍‌ ପକାଇପାରିବେ।

ଅଧିକ ସଂଖ୍ୟାରେ ବିଶ୍ବସ୍ତରୀୟ କମ୍ପାନିମାନଙ୍କୁ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ଥିବା ୩ ପ୍ରତିଶତ ପରଫରମାନ୍‌ସ୍‌ ସିକ୍ୟୁରିଟି ସର୍ତ୍ତାବଳୀକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ସେହିପରି ଇଏମ୍‌ଡି, ବିଡ୍‌ ସିକ୍ୟୁରିଟି ଅର୍ଥ ଓ ଲିକ୍ୟୁଡେଟେଡ଼ କ୍ଷତି ବାବଦରେ ଭରଣା ସର୍ତ୍ତାବଳୀକୁ ବି ଛାଡ଼ କରାଯାଇଛି। ଓଜିଏଫଆର, ଡିଏଫପିଆର୍‌ ବି ସମ୍ପୂର୍ଣ୍ଣ ଛାଡ଼ ହୋଇଛି। ଯାହାଫଳରେ ବିଶ୍ବର ସମସ୍ତ ଟିକା ଉତ୍ପାଦନ କରୁଥିବା କମ୍ପାନିମାନେ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ। ଟେଣ୍ଡର ପକାଇବାର ଶେଷ ତାରିଖ ଚଳିତ ମାସ ୨୮ ତାରିଖ ଧାର୍ଯ୍ୟ କରାଯାଇଛି। ୨୮ ତାରିଖ ପରେ ଟେଣ୍ଡର ଖୋଲାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

କ୍ୟାବିନେଟ୍‌ର ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଗତବର୍ଷ କରୋନା ପାଇଁ ଜାରି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଠିପି ଖୋଲା ବିଦେଶୀ ମଦଦୋକାନଗୁଡ଼ିକ ବନ୍ଦ ରହିଥିଲା। ଏହିସବୁ ମଦଦୋକାନଗୁଡ଼ିକ ଉପରୁ ଲାଇସେନ୍‌ସ୍‌ ଫି ଛାଡ଼ କରିବାକୁ ହୋଟେଲ୍‌ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‌ ସରକାରଙ୍କୁ ଅନୁରୋଧ କରିଥିଲେ। ସେହି ଅନୁରୋଧ ଅନୁଯାୟୀ ସରକାର ପର୍ଯ୍ୟାକ୍ରମେ ଲାଇସେନ୍‌ସ୍‌ ଫି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ରେଙ୍ଗାଳି ବାମପଟ କେନାଲ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଏଲ୍‌-୧ ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। କେନାଲର ବାମପଟେ ୧୦୦.୪୯ କିଲୋମିଟରରୁ ୧୦୭.୫୦ କିଲୋମିଟର ପର୍ଯ୍ୟନ୍ତ ବନ୍ଧ ନିର୍ମାଣ କରାଯିବ। ଏଥିପାଇଁ ୨୪୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହିତ ଓଡ଼ିଶା ଲିଗାଲ ସର୍ଭିସ ନିଯୁକ୍ତି ପ୍ରକ୍ରିୟା ୨୦୧୬ ଅଧିନିୟମରେ ସଂଶୋଧନ ପାଇଁ ଆଇନ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମାରିଛି।

ସମ୍ବନ୍ଧିତ ଖବର