ପାରଳାଖେମୁଣ୍ତି : ଗତ କିଛି ଦିନ ହେଲା ମହେନ୍ଦ୍ରତନୟା ନଦୀରେ ସନ୍ଦେହଜନକ ଅବସ୍ଥାରେ ଡଙ୍ଗା ବୁଲୁଛି ବୋଲି ଖବର ପାଇବା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ସାଧା ପୋଷାକରେ ପୁଲିସ କର୍ମଚାରୀମାନେ ରାତିସାରା ଚେଇଁ ରହି ମହେନ୍ଦ୍ରତନୟା ତଟରେ ଜଗି ରହିଥିଲେ। ଆଜି ଭୋର ସମୟରେ ପଡ଼ୋଶୀ ରାଜ୍ୟର ବହୁ ଲୋକ ଅସ୍ଥାୟୀ ଡଙ୍ଗା ପ୍ରସ୍ତୁତ କରି ସେଥିରେ ବିଭିନ୍ନ ସାମଗ୍ରୀ ନେଇ ବସନ୍ତ ନିବାସ ତଟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୩୬ଜଣଙ୍କୁ ଧରା ଯାଇ କ୍ବାରାଣ୍ଟାଇନକୁ ପଠାଯାଇଥିବା ବେଳେ ଅନ୍ୟମାନେ କୌଶଳକ୍ରମେ ଖସି ଯାଇଥିବା ଜଣାପଡ଼ିଛି।

Advertisment

ମହେନ୍ଦ୍ରତନୟା ପୋଲ ନିକଟରେ ନାକାବନ୍ଦୀ ହୋଇଥିବା ଯୋଗୁଁ ଏହି ବ୍ୟବସାୟୀ ମାନେ ନଦୀ ବାଟ ବ୍ୟବହାର କରୁଛନ୍ତି ବୋଲି ସୂଚନା ଦେଇଥିଲେ । ସେମାନଙ୍କର ସାମଗ୍ରୀ ଗୁଡିକ ଜବତ ହୋଇଥିଲା ଓ ନିୟମ ମୁତାବକ ସେମାନଙ୍କୁ କ୍ବାରାଣ୍ଟାଇନ ହୋମକୁ ପଠା ଯାଇଥିଲା। ଗତ ଦୁଇଦିନ ହେଲା ସନ୍ଦେହଜନକ ଭାବେ ଡଙ୍ଗା ଚାଲୁଛି ଖବର ପ୍ରକାଶ ପାଇଥିଲା। ଫଳରେ, ନଦୀ ତଟରେ ଥିବା ଡଙ୍ଗାକୁ ଜବତ କରାଯାଇଥିଲା। ତେବେ, ପୁଲିସର କାର୍ଯ୍ୟାନୁଷ୍ଠାନକୁ ଭୟ କରି ଡଙ୍ଗା ମାଲିକ ଡଙ୍ଗା ନିକଟକୁ ଆସି ନଥିବାବେଳେ ହୁଏତ ଉପରୋକ୍ତ ଡଙ୍ଗାର ସହାୟତାରେ ଯାତାୟାତ କରିବାକୁ ନିର୍ଭର କରୁଥିବା ବ୍ୟକ୍ତିମାନେ ବାଧ୍ୟ ହୋଇ ନିଜ ତରିକା ଆପଣାଇ ଆଜି ସାମଗ୍ରୀ ନେଇ ଆସୁଥିବା ବେଳେ ଧରିପଡ଼ିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ, ମହେନ୍ଦ୍ରତନୟା ନଦୀ ତଟରେ ପୁଲିସ ପାଟ୍ରୋଲିଂ ବଢ଼ିଛି ବୋଲି ସୂଚନା ପାଇବା ପରେ ହୁଏତ ସେମାନଙ୍କ ମଧ୍ୟରୁ ଆଉ ନଦୀ ପାର କରିବା ପାଇଁ ସାହସ କରିବେ ନାହିଁ ବୋଲି ମନେ କରାଯାଉଛି।

ଜବତ ଡଙ୍ଗାର ମାଲିକାନା ବିଷୟରେ ତଥ୍ୟ ମିଳିନାହିଁ। ଏଣୁ, ଏହାର ମୋଟର ଇଞ୍ଜିନକୁ ଜବତ କରାଯାଇଛି । ଏପଟେ, ନଦୀରୁ ବାଲି କାଢ଼ିବା ଏବ˚ ଅନ୍ୟତ୍ର ଯାଆସ ପାଇଁ  ବ୍ୟବହାର ହେଉଥିବା ୧୯ଟି ପ୍ଲାଷ୍ଟିକ ଡବା ଡଙ୍ଗାକୁ ଜବତ କରାଯାଇଛି ବୋଲି ପାରଳାଖେମୁଣ୍ତି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସୀମାନ୍ତରେ ଥିବା ଅନ୍ଧ୍ର ସୀମାକୁ ସିଲ୍ କରାଯାଇଥିବା ବେଳେ ସେଠାରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି । ଅତି ଜରୁରୀ କାର୍ଯ୍ୟରେ ଆସୁଥିବା ଲୋକଙ୍କ ସମସ୍ତ ତଥ୍ୟ ରଖାଯାଉଛି ବୋଲି ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା ସୂଚନା ଦେଇଛନ୍ତି ।  ଆଜି ସକାଳେ ଗୋଷାଣୀ ବ୍ଲକ୍‌ର ଅମରା ଗ୍ରାମ ଏବ˚ ଆନ୍ଧ୍ର ପ୍ରଦେଶର ରାଟିଣି ଓ ବସୁନ୍ଧରା ରାସ୍ତାକୁ ସିଲ୍ କରଯାଇଥିବା ସେ ସୂଚନା ଦେଇଛନ୍ତି।