୧୮ ରଥ ନିର୍ମାଣ ସେବକ କୋଭିଡ୍‌ ପଜିଟିଭ୍‌, ସଂକ୍ରମିତଙ୍କ ଭିତରେ ୧୨ ମହାରଣା, ୬ ଭୋଇ ସେବକ

ପୁରୀ : ରଥ ନିର୍ମାଣରେ ନିୟୋଜିତ ୧୮ଜଣ ‌ସେବକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨ଜଣ ମହାରଣା ସେବକ ଓ ୬ଜଣ ଭୋଇ ସେବକ ରହିଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ସମସ୍ତଙ୍କୁ ‌ନୀଳାଚଳ ଯାତ୍ରୀ ନିବାସ କୋଭିଡ୍‌ କେୟାର ସେଣ୍ଟରରେ ରଖାଯାଇଛି। ବାକି ଯେଉଁମାନଙ୍କ ରିପୋର୍ଟ ଆସିନି, ସେମାନଙ୍କୁ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ସଂଗରୋଧରେ ରଖାଯାଇଛି।

ଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ୧୮ ପଜିଟିଭ୍‌ଙ୍କ ଭିତରୁ ଗତକାଲି ୮ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ବାକି ୧୦ଜଣଙ୍କ ରିପୋର୍ଟ ଆଜି ହସ୍ତଗତ ହୋଇଛି। ପଜିଟିଭ୍‌ ଚିହ୍ନଟ ସେବକମାନେ ରଥ ନିର୍ମାଣ ତାଲିକାରେ ରହିଥିଲେ ବି ରଥଖଳାକୁ ଆସିନଥିଲେ କି ରଥ ନିର୍ମାଣ କରିନଥିଲେ। କୋଭିଡ୍‌ ଟେଷ୍ଟ ପରେ ସମସ୍ତ ସେବକଙ୍କୁ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ସଂଗରୋଧରେ ରଖାଯାଉଛି। ଯେଉଁମାନଙ୍କ ପଜିଟିଭ୍‌ ଆସୁଛି, ସେମାନଙ୍କୁ ନୀଳାଚଳ ଯାତ୍ରୀ ନିବାସ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ବାକି ଯେଉଁମାନେ ସୁସ୍ଥ ଅଛନ୍ତି, ସେମାନଙ୍କୁ ନୀଳାଦ୍ରୀ ଭକ୍ତ ନିବାସରେ ରଖାଯାଉଛି।ଯେଉଁମାନଙ୍କ ରିପୋର୍ଟ ଆସିନି, ସେମାନେ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ରହିଛନ୍ତି।

ଅନ୍ୟପଟେ ଟିକାକରଣକୁ ବି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି। ଆଜି ୩୦ଜଣ ସେବକଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସର ୨୩ଜଣ ଓ ୪୫ରୁ ଅଧିକ ବୟସର ୭ଜଣ ସେବକ ଟିକା ନେଇଛନ୍ତି। ବାକି ସେବକ ପ୍ରାୟ ଟିକା ନେଇ ରିଥିବାବେଳେ ଯେଉଁମାନେ ବି ନେଇନାହାଁନ୍ତି, ସେମାନଙ୍କୁ ଟିକାକରଣ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର