କଟକ : କଟକ ରେଳ ଷ୍ଟେସନ୍‌ରୁ ୧୮ ଜଣ ମୁସଲିମ୍ ସମ୍ପ୍ରଦାୟର ଶିଶୁ ଉଦ୍ଧାର ଘଟଣାକୁ ଓଡ଼ିଶା ପୁଲିସ ଗୁରୁତ୍ବର ସହିତ ଗ୍ରହଣ କରିଛି। ଏହି ମାମଲାରେ ଗୁରୁବାର ଦିନ କ୍ରାଇମବ୍ରାଞ୍ଚର ଆଣ୍ଟି ଟ୍ରାଫିକିଂ ୟୁନିଟ୍ ମଧୁପାଟଣାସ୍ଥିତ ଉତ୍କଳ ବାଳାଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଶିଶୁଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କୁ ଉଦ୍ଧାର ସଂକ୍ରାନ୍ତ ଜିଲ୍ଲା ପ୍ରଶାସନର କାଗଜପତ୍ର ଯାଞ୍ଚ କରାଯାଇଥିଲା। ମଦ୍ରାସାର କାର୍ଯ୍ୟକଳାପ ଅନେକ ସମୟରେ ସନ୍ଦେହଜନକ ଥିବାରୁ କ୍ରାଇମବ୍ରାଞ୍ଚ ସେହି ଦିଗକୁ ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, କଟକ ରେଳ ଷ୍ଟେସନରେ ଗଲା ୨୫ ତାରିଖରେ ଆରପିଏଫ ପକ୍ଷରୁ ବିହାର ଆରରିଆର ୧୮ ଜଣ ଶିଶୁଙ୍କୁ ଉଦ୍ଧାର ସହିତ ଦଲାଲ ମହମ୍ମଦ ୱାଜିଦକୁ କାବୁ କରାଯାଇଥିଲା। ଯାଜପୁର ଜିଲ୍ଲା କୋରେଇର ଏକ ମଦ୍ରାସାରୁ କଟକ ଜିଲ୍ଲା ସାଲେପୁରକୁ ଏହି ଶିଶୁଙ୍କୁ ସ୍ଥାନାନ୍ତର ହେଉଥିବା ଓ୍ୱାଜିଦ ଆରପିଏଫକୁ ସୂଚନା ଦେଇଥିଲା। ଏହି ଘଟଣାରେ ୧୮ ଜଣ ଶିଶୁ ଗୁରୁବାର ସିଡବ୍ଲୁସିରେ ହାଜର ହୋଇଥିଲେ। ସମସ୍ତ ଅଭିଭାବକ ଗୁରୁବାର ଦିନ ସିଡବ୍ଲୁସିରେ ପହଞ୍ଚିଥିଲେ। ସେମାନେ ସିଡବ୍ଲୁସିରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ପିଲାଙ୍କ ଜିମା ଦିଆଯାଇଥିଲା। ତେବେ ଏମାନେ ପିଲାଙ୍କୁ ପଢ଼ାଇବାକୁ ଛାଡ଼ିଥିବା କହୁଛନ୍ତି। ଏହା ସହିତ ସାଲେପୁର ମଦ୍ରାସାର କର୍ତ୍ତୃପକ୍ଷଙ୍କୁ ବି ପଚରାଉଚରା କରାଯାଇଥିଲା। ସେ ଏହି ଶିଶୁଙ୍କୁ ତାଙ୍କ ମଦ୍ରାସାକୁ ଆଣିବାକୁ କହି ନଥିବା ବୟାନ ଦେଇଛନ୍ତି। ଏଭଳି ପରିସ୍ଥିତିରେ ୱାଜିଦର ଭୂମିକା ରହସ୍ୟଜନକ ଲାଗୁଛି। ଵାଜିଦର ବୟାନରେ ତାଳମେଳ ରହୁନାହିଁ। ଆରପିଏଫ୍‌ ସହିତ କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ଯୋଗାଯୋଗ କରିଛି। ଏହା ସହିତ ଗୁଇନ୍ଦା ବିଭାଗର ଅଧିକାରୀମାନେ ବି ଯୋଗାଯୋଗରେ ଅଛନ୍ତି। ଵାଜିଦ କେଉଁ ଉଦ୍ଦେଶ୍ୟରେ ଏହି ଶିଶୁଙ୍କୁ କଟକ ଆଣିଥିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିପାରୁନାହିଁ। କଟକ ସିଡବ୍ଲୁସି ପକ୍ଷରୁ ବିହାରର ଆରରିଆର ଜିଲ୍ଲାର ସିଡବ୍ଲୁସି ଓ ଡିସିପିଓଙ୍କୁ ଅବଗତ କରାଯାଇଛି। ଏହି ଶିଶୁଙ୍କୁ ଉଦ୍ଧାର ପରେ ଅଭିଭାବକଙ୍କ ଜିମା ଦିଆଯାଇଥିବା ସଂକ୍ରାନ୍ତରେ ଲିଖିତ ଭାବେ ଅବଗତ କରାଯାଇଛି।

ଡିସିପିଓ ପ୍ରଗତୀ ମହାନ୍ତିଙ୍କ କହିବା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଟିମ୍ ଉତ୍କଳ ବାଳାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ଉଦ୍ଧାର ଶିଶୁଙ୍କୁ ପଚରାଉଚରା କରିବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ସମସ୍ତ ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ପଦକ୍ଷେପ ସିଡବ୍ଲୁସି ପକ୍ଷରୁ ଗ୍ରହଣ କରାଯିବା ନେଇ ଶ୍ରୀମତି ମହାନ୍ତି ସୂଚନା ଦେଇଛନ୍ତି।