ଭଦ୍ରକ: ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟରେ ଜଳପଥରେ ଯାତାୟାତ ପାଇଁ ୧୮ କୋଟି ଟଙ୍କା ବ୍ୟୟରେ ୨୦୨୦ ମସିହାରେ ଆସିଥିବା ‘ଭୂପେନ ହଜାରିକା’ ଭେସେଲ୍ (ଜଳଯାନ) ଏଯାଏଁ କାମରେ ଲାଗି ପାରୁନି। ଏହାମଧ୍ୟରେ ପାଖାପାଖି ୫ ବର୍ଷ ବିତିଗଲାଣି, ଏହା ଚାଲିବ ନା ଫେରିଯିବ, ଏହି ଉତ୍ତର କାହା ପାଖରେ ନାହିଁ। ଫଳରେ ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ ଜଳପଥରେ ଯାତାୟାତ ଆଶା ଫସର ଫାଟିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତେଜୁଛି।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମରା ଚନ୍ଦିନୀପାଳରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳପଥରେ ଯୋଡ଼ିବା ପାଇଁ ୨୦୨୦ ମସିହାରେ ଏକ ଭେସେଲ୍ଟି ଆସିଥିଲା। ଧାମରାରେ ପହଞ୍ଚିବା ପରେ ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଧାମରା-ଚାନ୍ଦବାଲି ଜଳ ପରିବହନ ସଂସ୍ଥା ହାତରେ ଅର୍ପଣ କରାଯାଇଥିଲା। ଏହି ଭେସେଲ୍ର ଓଜନ ୨୦୦ ଟନ୍ ହୋଇଥିବା ବେଳେ ଲମ୍ବ ୪୬ ମିଟର ରହିଛି। ଏଥିରେ ଏକକାଳୀନ ୪୦ଟି ମୋଟର ସାଇକଲ୍, ୩ଟି କାର୍ ସମେତ ୪୦ରୁ ୫୦ ଜଣ ଲୋକ ଜଳପଥ ପାରି ହୋଇପାରିବେ। ହେଲେ ୧୮ କୋଟି ୮୩ ଲକ୍ଷ ଟଙ୍କାର ଏହି ଭେସେଲ୍ ପାଣିରେ ବନ୍ଧା ହୋଇ ରହିଛି।
୫ ବର୍ଷ ହେଲା ବନ୍ଧା ହୋଇ ପଡ଼ିଛି ଭେସେଲ୍
ଜଳପଥରେ ଯାତାୟାତ ଆଶା ମଉଳିଲାଣି
ତଥ୍ୟ ଅନୁଯାୟୀ, ଭେସେଲ୍ ଯାତ୍ରା କରିବାର ସ୍ଥାନ ଚାନ୍ଦିନୀପାଳରେ ଜଳ ସ୍ଥିର ରହୁନି। ଜଳର ବେଗ ଅଧିକ ରହୁଥିବାରୁ ସେଠାରେ ଭେସେଲ୍ ରଖିବା ସମ୍ଭବ ହେଉନି। ଯଦି ଭେସେଲ୍ ସ୍ଥିର ହୋଇ ଛିଡ଼ା ହୋଇପାରୁନି, ତାହାହେଲେ ବାଇକ୍, କାର୍ ଓ ଲୋକମାନେ ଭେସେଲ୍କୁ କେମିତି ଚଢ଼ିବେ? ସୁରକ୍ଷା ଦୃଷ୍ଟିରୁ ସେଠାରୁ ଭେସେଲ୍ ଚଳାଚଳ କରିପାରୁ ନଥିବା କୁହାଯାଉଛି। ଚାଲିବା ସମ୍ଭବ ନ ହେବାରୁ ଚାନ୍ଦବାଲି ଜଳପଥ ଅରଣ୍ୟ ନିବାସ ବୈତରଣୀ ଘାଟରେ ଭେସେଲ୍ଟି ରହିଛି। ଅନ୍ୟପଟେ ଉକ୍ତ ଜଳଯାନଟିକୁ ଫେରାଇ ନେବାକୁ ୪ ବର୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧାମରା-ଚାନ୍ଦବାଲି ଜଳ ପରିବହନ ସଂସ୍ଥା ୧୦ରୁ ଅଧିକ ଥର ଚିଠି ଲେଖିଲେଣି। କିନ୍ତୁ କୌଣସି ଉତ୍ତର ମିଳୁନି। ସେପଟେ ଭେସେଲ୍ ଚଳାଇବା ଦାୟିତ୍ୱରେ ଥିବା ୯ଜଣ କର୍ମଚାରୀଙ୍କୁ ସଂସ୍ଥା ବିଦା କରିସାରିଛି। ଗୋଟିଏ ପଟରେ ଚାନ୍ଦବାଲି ଯାତ୍ରୀବାହୀ ଲଞ୍ଚ ପାଇଁ କର୍ମଚାରୀ ଅଭାବ ବେଳେ ଏବେ ‘ଭୂପେନ ହଜାରିକା’କୁ ରକ୍ଷଣାବେକ୍ଷଣ କରିବାକୁ କେହି ନାହାନ୍ତି। ନଦୀ କୂଳରେ ବିଶାଳକାୟ ଭେସେଲ୍କୁ ବନ୍ଧା ଯାଇଥିବାରୁ ରଙ୍ଗ ଛାଡ଼ିଯିବା ସହ ଯାନ୍ତ୍ରିକ ତ୍ରୁଟି ଦେଖାଦେଲାଣି। ଭେସେଲ୍ଟି ନଷ୍ଟ ହେବାକୁ ବସିଥିବାରୁ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି।
ସୂଚନାଯୋଗ୍ୟ, ସାଗରମାଳା ଯୋଜନାରେ ଏହି ଭେସେଲ ନିର୍ମାଣ ହୋଇ ଆସାମର ବ୍ରହ୍ମପୁତ୍ର ନଦୀରେ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା। ବ୍ରହ୍ମପୁତ୍ର ନଦୀର ଜୁଆର ଓ ଭଟ୍ଟାକୁ ସମ୍ମୁଖୀନ ହେବାଭଳି ଏହି ଭେସେଲ୍ ନିର୍ମାଣ କରାଯାଇଥିଲା। ତେବେ ସେଠାରେ ଅଧିକ ୨ଟି ଭେସେଲ୍ ନିର୍ମାଣ ହୋଇଥିବାରୁ ସେଥିରୁ ଗୋଟିଏ ପଶ୍ଚିମବଙ୍ଗ ବାବୁଘାଟକୁ ପଠାଇ ଦିଆଯାଇଥିଲା। ଅନ୍ୟଟିକୁ ଧାମରା ପଠାଯାଇଥିଲା। ୯ ଜଣ କର୍ମଚାରୀ ଏହି ଭେସେଲ୍କୁ ସାଙ୍ଗରେ ଧରି ୨୦୨୦ ନଭେମ୍ବରରେ କଲିକତା ବାବୁଘାଟରୁ ସମୁଦ୍ର ପଥରେ ଆସି ଧାମରାରେ ପହଞ୍ଚିଥିଲେ।