ଭୁବନେଶ୍ବର: ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି। ତେଣୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ପବନର ପ୍ରଭାବ ଆହୁରି ବୃଦ୍ଧି ପାଇପାରେ। ଫଳରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବା ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ୱେଭ୍) ପରିସ୍ଥିତି ଉପୁଜିବ। ତାହାକୁ ନଜରରେ ରଖି ୧୮ ତାରିଖ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ହିଟ୍ୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଓଡ଼ିଶାର ଅଧା ଜିଲ୍ଲା ପ୍ରଭାବିତ ହେବାକୁ ଥିବାରୁ ଲୋକେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ୧୫ ତାରିଖରେ କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରରେ ହିଟ୍ୱେଭ୍ ସହ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗରମ ଅନୁଭୂତ ହେବ। ୧୬ରୁ ୧୮ ତାରିଖ ମଧ୍ୟରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହିଟ୍ୱେଭ୍ ପରିସ୍ଥିତି ଦେଖାଦେବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଟପିବା ସହ ଗୋଟିଏ ଦୁଇଟି ସ୍ଥାନରେ ପାରଦ ୪୫ ଡିଗ୍ରି ଛୁଇଁପାରେ। ତେଣୁ ଏହି ସମୟରେ ମଦ୍ୟପାନ, ଚା’, କଫି, ମୃଦୁପାନୀୟ, ଉଚ୍ଚ ପୃଷ୍ଟିସାର ଖାଦ୍ୟ, ବାସିଖାଦ୍ୟ ସେବନ ନ କରିବା, ଛୋଟପିଲା ଓ ପୋଷା ଜୀବଜନ୍ତୁଙ୍କୁ ପାର୍କିଂ ଗାଡ଼ି ଭିତରେ ନ ଛାଡ଼ି ଯିବାକୁ କୁହାଯାଇଛି। ପିକ୍ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ନିର୍ବାଚନ ସମ୍ପର୍କିତ ଶୋଭାଯାତ୍ରା, ସଭାରେ ଯୋଗଦେବାଠାରୁ ଦୂରେଇ ରହିବା ଲାଗି ସତର୍କ କରାଯାଇଛି।
ବିଶେଷଜ୍ଞ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍ ସମୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।
ଆଜି ପାରଳାଖେମୁଣ୍ଡିଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ମାଲକାନଗିରିରେ ୩୯.୯, ଭୁବନେଶ୍ବରରେ ୩୯.୬, ଜଗତସିଂହପୁର ଓ ନୟାଗଡ଼ରେ ୩୯.୫, ଭବାନୀପାଟଣା ଓ ଚାନ୍ଦବାଲିରେ ୩୯.୪, ବାରିପଦାରେ ୩୯.୨, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୯ ଡିଗ୍ରି ଲେଖାଏଁ ରହିଥିଲା। ଦାରିଙ୍ଗବାଡ଼ି, ଗୋପାଳପୁର ଓ ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବରର ତାପମାତ୍ରା ସ୍ବାଭାବିକଠାରୁ ୧.୮ ଡିଗ୍ରି ଏବଂ ପାରାଦୀପରେ ସ୍ବାଭାବିକଠାରୁ ୩.୫ ଡିଗ୍ରି ଅଧିକ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ଦିନ ତାପମାତ୍ରା ବଢ଼ିବା ସହ ଜଙ୍ଗଲ ନିଆଁ ପୁଣିଥରେ ଓଡ଼ିଶାରେ ଉପରମୁହାଁ ହୋଇଛି। ଉପକୂଳରୁ ଉପାନ୍ତ , ଅଥବା ଚନ୍ଦକାରୁ କଲରାପାଟ; ସବୁଠି ଏବେ ଜଙ୍ଗଲ ଜଳୁଛି। ତିନି ଦିନ ହେଲା ଗୋଟିଏ ପରେ ଆଉ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି। ପରିଣାମ ସ୍ବରୂପ ଆଜିର ଦିନରେ ରାଜ୍ୟର ୩୨୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରିପୋର୍ଟ ପାଇବା ପରେ ବନ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ଦିଗରେ ପଦକ୍ଷେପ ନେଇଥିଲେ ମଧ୍ୟ ଆଶାନୁରୂପ ସଫଳତା ମିଳିନାହିଁ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମାଥିଲି, ବାଲିମେଳା, କାଲିମେଳାର ଏକାଧିକ ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି। ବନ ବିଭାଗର ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ବେ ନିଆଁ ଆୟତ୍ତ ହୋଇପାରୁ ନାହିଁ। ଘଞ୍ଚ ଜଙ୍ଗଲ ହୋଇଥିବାରୁ ବନ କର୍ମଚାରୀମାନେ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଛି। ନିଆଁ ନିୟନ୍ତ୍ରଣକୁ ଆଣିବାକୁ ଆହୁରି ସମୟ ଲାଗିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ରାଜ୍ୟର ୨୪ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଲାଗିଛି। ମାଲକାନଗିରି ଜିଲ୍ଲା ବ୍ୟତୀତ କୋରାପୁଟ ଜିଲ୍ଲାର କୋଟପାଡ଼, ଜୟପୁର, ବୋରିଗୁମ୍ମା, ଲକ୍ଷ୍ମୀପୁରରେ ଗତକାଲି ରାତିଠାରୁ ନିଆଁ ଲାଗିଛି। କଳାହାଣ୍ତି ଜିଲ୍ଲାର ଥୁଆମୂଳ ରାମପୁର, ଜୁନାଗଡ଼, କଲରାପାଟ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ଝାରସୁଗୁଡ଼ାର ବ୍ରଜରାଜନଗରରେ ହେକ୍ଟର ହେକ୍ଟର ଜଙ୍ଗଲ ଜଳୁଥିବା ସାଟେଲାଇଟ୍ରୁ ସ୍ପଷ୍ଟ ହୋଇଛି। କୋରାପୁଟ ସର୍କଲର ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାର ୨୨୩ଟି ସ୍ଥାନରେ ଛୋଟ ଓ ମଧ୍ୟମଧରଣର ବନାଗ୍ନି ରହିଥିବାରୁ ଏବେ ଚିନ୍ତାର କାରଣ ପାଲଟିଛି। ଭବାନୀପାଟଣା ସର୍କଲ ଅଧୀନ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ଲାଗିଥିବା ବେଳେ ରାଉରକେଲା ସର୍କଲର ୪୦ରୁ ଅଧିକ ସ୍ଥାନ ସମେତ ଗଞ୍ଜାମ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ ଜଙ୍ଗଲ ନିଆଁ ରହିଥିବା ଏଫ୍ଏସ୍ଆଇ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବର ସର୍କଲର ୪ରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ଚନ୍ଦକା ବନ୍ୟପ୍ରଣୀ ଡିଭିଜନ୍ର ଡମପଡ଼ା ରେଞ୍ଜ୍ର ଭାଗଇପୁର ଓ ଗୟଳବାଙ୍କରେ ଦୁଇଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ବେଳେ ନୟାଗଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ଜଙ୍ଗଲ ଜଳୁଛି। ବାରିପଦା ସର୍କଲର କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ନିଆଁ ଲାଗିଥିଲେ ମଧ୍ୟ ତାହା ନିୟନ୍ତ୍ରଣାଧୀନ ରହିଛି। ଢେଙ୍କାନାଳ ଜିଲ୍ଲାର ଏକୁଲ ବିଟ୍ ଓ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ବିଟ୍ରେ ନିଆଁ ନଜରକୁ ଆସିଛି। ଏଫ୍ଏସ୍ଆଇ ତଥ୍ୟ ଅନୁଯାୟୀ, ଦେଶର ୨୦୭ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ରହିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ କେବଳ ୧୫୭ଟି ସ୍ଥାନରେ ନିଆଁ ଲାଗିଛି। ଆନ୍ଧ୍ରପ୍ରଦେଶରରେ ସର୍ବାଧିକ ୬୧ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଛତିଶଗଡ଼ର ୪୪, ତେଲେଙ୍ଗାନାର ୨୮ ଓ ଓଡ଼ିଶାର ୨୪ଟି ସ୍ଥାନରେ ନିଆଁ ଲାଗିଥିବା ସମ୍ପର୍କରେ ଜଣାପଡ଼ିଛି। ଗତ ୭ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୫ ହଜାରରୁ ଅଧିକ ବଡ଼ଧରଣର ବନାଗ୍ନି ହୋଇଥିବା ବେଳେ ଛତିଶଗଡ଼ରେ ପ୍ରାୟ ୨୫୦୦, ଓଡ଼ିଶାରେ୧୯୪୭ଟି ବନାଗ୍ନି ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/khkkhhkfhk.jpg)