ହୀରାକୁଦରେ ଖୋଲିଲା ୧୮ ଗେଟ୍, ପଶୁଛି ୫ ଲକ୍ଷ କ୍ୟୁସେକ୍ ପାଣି
ଇବ୍, ଭେଡେନ୍ ଓଗାଳୁଛନ୍ତି ୩.୫ ଲକ୍ଷରୁ ଅଧିକ, ଶୁକ୍ରବାର ଉପର ମୁଣ୍ଡରେ ବର୍ଷା ନହେଲେ ବିପଦ ନାହିଁ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ଚିନ୍ତା ବଢ଼ିଛି। ଗୁରୁବାର ଦିନ ୧୧ଟା ପରଠାରୁ ହୀରାକୁଦକୁ ୫ ଲକ୍ଷ କ୍ୟୁସେକ୍ରୁ ଅଧିକ ପାଣି ପ୍ରବେଶ କରିବା ଆରମ୍ଭ କରିଛି। ଏଥିରୁ ଅଧିକାଂଶ ପାଣି ଇବ୍ ଓ ଭେଡେନ୍ ନଦୀ ଓଗାଳୁଛନ୍ତି। ଗତ ୨ ଦିନ ମଧ୍ୟରେ ହୀରାକୁଦ ଉପର ମୁଣ୍ଡ ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ହୋଇଥିବା ବର୍ଷା ପାଣି ଏହି ଦୁଇ ନଦୀ ଦେଇ ଏବେ ହୀରାକୁଦରେ ପଶୁଛି।
କଲମା ସମେତ ଛତିଶଗଡ଼ ବ୍ୟାରେଜ୍ ଗୁଡ଼ିକ ସଂପୂର୍ଣ୍ଣ ମୁକୁଳା ଥିଲେ ବି ତହିଁରୁ ଦେଢ଼ରୁ ୨ ଲକ୍ଷ କ୍ୟୁସେକ୍ ମଧ୍ୟରେ ପାଣି ଆସୁଛି। ଗତ ୨୪ ଘଣ୍ଟାରେ ଛତିଶଗଡ଼ରେ ହୋଇଥିବା ବର୍ଷା ପାଣି ଶୁକ୍ରବାର ହୀରାକୁଦରେ ପହଞ୍ଚିବ। ସେତିକି ବେଳକୁ ଇବ୍ ଓ ଭେଡେନ୍ ନଦୀର ଜଳସ୍ତର ଖସି ନଥିଲେ ହୀରାକୁଦକୁ ଜଳ ପ୍ରବେଶ ଆହୁରି ବଢ଼ିବ ବୋଲି କହାଯାଉଛି। ଏହା ହେଲେ ହୀରାକୁଦର ଅଧିକ ଗେଟ୍ ଖୋଲିବାକୁ ପଡ଼ିପାରେ ଯାହା ମହାନଦୀ ତଳ ମୁଣ୍ଡ ପାଇଁ ଚିନ୍ତାର କାରଣ ହେବ। ଅବଶ୍ୟ ଗୁରୁବାର ହୀରାକୁଦର ଆଉ ମାତ୍ର ୮ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୮ ଗେଟ୍ ଦେଇ ନିୟନ୍ତ୍ରିତ ପରିମାଣର ଜଳ ମହାନଦୀରେ ଛଡ଼ା ଯାଉଛି। ଏହି ଜଳ ମୁଣ୍ଡଳି ପହଞ୍ଚିବାକୁ ପ୍ରାୟ ୪୮ ଘଣ୍ଟା ସମୟ ଲାଗୁଥିବାରୁ ଶୁକ୍ରବାର ବର୍ଷା ଛାଡ଼ି ଗଲେ ଓ ତଳ ମୁଣ୍ଡ ମହାନଦୀ ଅବବାହିକାରେ ବନ୍ୟା ପାଣି ଖସି ଯାଇଥିଲେ କୌଣସି ବିପଦ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ଏହି ବର୍ଷା ଆହୁରି ୨ ଦିନ ଲାଗି ରହିଲେ ହୀରାକୁଦରୁ ନିଷ୍କାସିତ ଅତିରିକ୍ତ ଜଳ ତଳ ମୁଣ୍ଡରେ ପହଞ୍ଚିଯିବ ଓ ବନ୍ୟା ପରିସ୍ଥିତିକୁ ଅଧିକ ଗୁରୁତର କରିବ ବୋଲି ଆଶଂକା କରାଯାଉଛି।

ବୁଧବାର ସୁଦ୍ଧା ହୀରାକୁଦର ୧୦ ଗେଟ୍ ଖୋଲା ଥିବାବେଳେ ଗୁରୁବାର ୩ଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲା ଯାଇଛି। ଗୁରୁବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୨.୫୮ ଫୁଟ୍ରେ ପହଞ୍ଚି ସାରିଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୫,୬୫,୩୯୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୨,୮୯,୨୩୧ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସେଥିରୁ ୧୮ ଗେଟ୍ ଦେଇ ମହାନଦୀକୁ ୨,୭୩,୩୪୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
ସେହିପରି ପାୱାର୍ ଚାନେଲ୍ ଦେଇ ୧୫,୦୬୮ କ୍ୟୁସେକ୍, ବିଭିନ୍ନ କୋନଲ୍ରେ ୬୪୯ କ୍ୟୁସେକ୍ ଓ ଶିଳ୍ପ କାରଖାନା ପାଇଁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳେ ହୀରାକୁଦ ତଳମୁଣ୍ଡରେ ବେଲଗାଁଠାରେ ୮୬ ହଜାର କ୍ୟୁସେକ୍, ପଥର୍ଲାଠାରେ ୨ ଲକ୍ଷ ୦୬ ହଜାର କ୍ୟୁସେକ୍, ଖଇରମାଳଠାରେ ୫ ଲକ୍ଷ ୬୨ ହଜାର କ୍ୟୁସେକ୍, ବରମୂଳଠାରେ ୬ ଲକ୍ଷ ୦୨ ହଜାର କ୍ୟୁସେକ୍ ଓ ମୁଣ୍ଡଳିଠାରେ ୭ ଲକ୍ଷ ୯୧ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୬୩.୫୭ ମିଲିମିଟର୍ ଓ ତଳ ମୁଣ୍ଡରେ ୮୬.୧୭ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।