ଚାନ୍ଦବାଲି: କାଳବୈଶାଖୀ ବଜ୍ରପାତରେ ଭସ୍ମ ହୋଇଗଲା ୧୮ ବଖରା ଘର। ୬ ଗୋରୁ, ୧୫ରୁ ଅଧିକ ଛେଳି ବି ଜିଅନ୍ତା ଜଳିଗଲେ। ଶନିବାର ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଘଟପୁର ପଞ୍ଚାୟତ ହେଙ୍ଗୁପତି ଗାଁ’ ମହାଳିକ ସାହିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ। ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ୯ଟି ପରିବାରର ଘର, ଧାନଚାଉଳ ସହ ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। କେବଳ ପିନ୍ଧାଲୁଗାକୁ ଛାଡ଼ିଦେଲେ ଆଉ କୌଣସି ଜିନିଷ ଉଦ୍ଧାର କରି ପାରିନାହାନ୍ତି ବିପନ୍ନ ପରିବାର।
ଗ୍ରାମବାସୀଙ୍କ ସୂଚନା ମୁତାବକ, ଆଜି ରାତି ପ୍ରାୟ ୯ଟା ସମୟରେ କାଳବୈଶାଖୀ ପ୍ରଭାବରେ ମେଘ ଘୋଟିଆସିବା ସହ ଘନଘନ ବିଜୁଳି ମାରିଥିଲା। ଏତିକି ବେଳେ ବୀରଭଦ୍ର ମହାଳିକଙ୍କ ଘର ଉପରେ ବଜ୍ରପାତ ହେବାରୁ ଘରଟି ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ପବନ ପ୍ରଭାବରେ ନିଆଁ ପାଖ ଘରଗୁଡ଼ିକୁ ମାଡ଼ିଯିବାରୁ ଜୀବନବିକଳରେ ସମସ୍ତେ ପଦାକୁ ପଳାଇ ଆସିଥିଲେ। ନିଆଁ ଓ ଧୂଆଁ ଧାସରେ ଗୁହାଳରେ ବନ୍ଧା ହୋଇଥିବା ଗୋରୁ, ଛେଳିପଲଙ୍କୁ ବି ଉଦ୍ଧାର କରାଯାଇପାରିନଥିଲା। ଚାହୁଁଚାହୁଁ ସମସ୍ତଙ୍କ ଆଗରେ ୬ଟି ଗୋରୁ, ୧୫ରୁ ଅଧିକ ଛେଳି ଜୀବନ୍ତଦଗ୍ଧ ହୋଇ ଯାଇଥିଲେ।
/sambad/media/post_attachments/wp-content/uploads/2021/03/d1893939-6589-4e24-a0f0-6c35c4804d05-1024x461.jpg)
ଏହି ଅଗ୍ନିକାଣ୍ଡରେ ବୀରଭଦ୍ର ମହାଳିକ, ଉମାକାନ୍ତ ମହାଳିକ, କମଳାକାନ୍ତ ମହାଳିକ, ବିଦୁଭୂଷଣ ମହାଳିକ, ମାୟାଧର ମହାଳିକ, ବାବୁଲି ମହାଳିକ, ଗଣେଶ ମହାଳିକ, ଶ୍ରୀଧର ମହାଳିକଙ୍କ ଘର ସହିତ ୫ ବଖରା ଗୁହାଳ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚାନ୍ଦବାଲି ଓ ତିହିଡ଼ି ବ୍ଳକ ଗଦିରୁ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁ ଲିଭାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/cc2ee93d-e324-469c-8789-cc46ae8d8917.jpg)