କଣ୍ଟାମାଳ : କ୍ଷେତରୁ ଲାଗିଲା ନିଆଁ, ୬ ପରିବାରର ୧୯ ବଖରା ସ୍ୱାହା

କଣ୍ଟାମାଳ/ପଲଶାଗୋରା : ବୁଧବାର ଦିନ ୨ଟାରେ ପ୍ରବଳ ଖରାରେ କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମର ଏକ କ୍ଷେତରେ ନିଆଁ ଲାଗିଥିଲା। ଏହି ନିଆଁ ଚାହୁଁ ଚାହୁଁ ଗାଁର ଭାଗୀରଥି ପ୍ରଧାନଙ୍କ ଗୁହାଳରେ ଲାଗିଥିଲା। ଗୁହାଳରୁ ତାଙ୍କ ଘରେ ନିଆଁ ଲାଗି ତାଙ୍କ ୩ ବଖରା ଘର ଓ ପରେ ପରେ ଗାଁର ଅନ୍ତରାମ ପ୍ରଧାନଙ୍କ ୩ ବଖରା, ହାଡ଼ିବନ୍ଧୁ ନାଏକଙ୍କ ୩ ବଖରା, ଗଦା କୁଶଳଙ୍କ ୨ ବଖରା, ସୁଶୀଲ ନାଏକଙ୍କ ୨ ବଖରା ଓ ଲକ୍ଷ୍ମଣ ପ୍ରଧାନଙ୍କ ୬ ବଖରା ଏହିପରି ଗାଁର ୬ଟି ପରିବାରର ୧୯ ବଖରା ଘର ନିମିଷକେ ପୋଡ଼ି ଗଲା।

କଣ୍ଟାମାଳ ଓ ସୋନପୁର ଦମକଳ ବାହିନୀଙ୍କ ଦୀର୍ଘ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରି ପାରିଥିଲେ। ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଲକ୍ଷ୍ମଣ ପ୍ରଧାନ। ଗତ ଏକ ମାସ ତଳେ ତାଙ୍କ ୪ ଝିଅ ଓ ଗୋଟିଏ ପୁଅଙ୍କ ମଧ୍ୟରୁ ବଡ଼ ଝିଅଙ୍କୁ ବାହା ଦେଇ କରଜରେ ବୁଡ଼ି ରହିଛନ୍ତି। ଏବେ ପୁଣି ଘରପୋଡ଼ି ଯୋଗୁଁ ଘରେ ଥିବା ୮ ବସ୍ତା ଧାନ, ୨ ବସ୍ତା ଚାଉଳ, କୃଷିକାର୍ଯ୍ୟ ପାଇଁ ଥିବା ଶଗଡ଼, ଲଙ୍ଗଳ ଆଦି ଏପରିକି ବାରିପଟରେ ଥିବା ଖତ (ଶୁଖିଲା ଗୋବର) ମଧ୍ୟ ପୋଡ଼ି ଯାଇଛି। ଲକ୍ଷ୍ମଣ ଏବେ ସର୍ବହରା ହୋଇ କେବଳ ପୋଡ଼ି ଯାଇଥିବା ଘରକୁ ଚାହିଁ କାନ୍ଦୁଛି। ଏହି ୬ ପରିବାରର କୃଷି ସାମଗ୍ରୀ, ଆସବାବପତ୍ର ତଥା ସାଇତି ରଖିଥିବା ଖାଦ୍ୟଶସ୍ୟ ସବୁ ପୋଡ଼ି ଯାଇଛି।

ଖବର ପାଇ ପରା ରାଜସ୍ୱ ନିରୀକ୍ଷକ କ୍ଷତିଗ୍ରସ୍ତ ଲୋକଙ୍କୁ ଖଣ୍ଡିଏ ଖଣ୍ଡିଏ ତାରପୋଲିନ ପ୍ରଦାନ କରିଛନ୍ତି। ଏହି ୬ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର