ଢେଙ୍କାନାଳ: ଢେଙ୍କାନାଳର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉଙ୍କ ମନ୍ଦିର ଉତ୍କଳୀୟ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ୭୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିରଟି ଜଗମୋହନ, ମୁଖଶାଳା ଓ ଗମ୍ଭୀରାରେ ବିଭକ୍ତ ହୋଇଛି। ମନ୍ଦିର ଶୀର୍ଷରେ ୫ ଫୁଟ୍ ବ୍ୟାସର ଅଷ୍ଟଧାତୁ ନିର୍ମିତ ନୀଳଚକ୍ର ଉପରେ ନେତ ଉଡ଼ୁଛି। ୬୫୦ରୁ ଊର୍ଦ୍ଧ୍ବ ବର୍ଷର ଏହି ମନ୍ଦିରର ରତ୍ନମଣ୍ଡପରେ ମଣିବିଗ୍ରହ ବଳରାମଙ୍କର ଡାହାଣ ହସ୍ତରେ ମୂଷଳ, ବାମ ହସ୍ତରେ ହଳଲଙ୍ଗଳ, ଧବଳ ମୁଖରେ ସୁଦୃଶ୍ୟ ମୁଛ ସୁଶୋଭିତ। ତାଙ୍କ ସହ ରତ୍ନମଣ୍ଡପରେ ଦାରୁ ବିଗ୍ରହ ଶ୍ରୀକୃଷ୍ଣ, ସୁଭଦ୍ରା, ରୁକ୍ମିଣୀ ଓ ଧାତୁ ବିଗ୍ରହ ମଦନ ମୋହନ ପୂଜା ପାଇଆସୁଛନ୍ତି।
ପ୍ରଭୁ ବଳରାମଙ୍କ ପରମଭକ୍ତ ରାମ ଦାସଙ୍କ ରଚିତ ବଳଭଦ୍ର ବୋଲିରୁ ଜଣାଯାଏ ଯେ, ସିଦ୍ଧବଳରାମ ପ୍ରଥମେ ଅନୁଗୁଳ ଜିଲ୍ଲା ତଳମୂଳଠାରେ ସପ୍ତଫେଣୀ ଅନନ୍ତାବତାରରେ ପୂଜା ପାଉଥିଲେ। ସୋନପୁରରେ ପୁରୀ ଜଗନ୍ନାଥଙ୍କୁ ପାତାଳି କରାଯିବା ସମୟରେ ପ୍ରାୟ ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ସପ୍ତଫେଣୀ ମୂର୍ତ୍ତିଙ୍କୁ ବଜ୍ରଲେପ ଦିଆଯାଇ ଧବଳମୟ ହଳମୂଷଳଧାରୀ ବଳରାମ ମୂର୍ତ୍ତିରେ ରୂପାନ୍ତରିତ କରାଯାଇଥିଲା। ଦଶମ ଶତାବ୍ଦୀରେ ସୋମବଂଶୀମାନେ ପଶ୍ଚିମ ଦିଗରୁ ରାଜ୍ୟ ଜୟ କରିବା ଦେଖି ଭୟରେ ଲୋକମାନେ ବଳରାମଙ୍କୁ ଆଣି ହିନ୍ଦୋଳସ୍ଥିତ ଚିତ୍ତଳପୁର ଗ୍ରାମଠାରେ ଦଶଖମ୍ବ ମଣ୍ଡପ ତୋଳାଇ ରଖିଥିଲେ।
ଢେଙ୍କାନାଳ ରାଜ୍ୟ ସ୍ଥାପନା ପୂର୍ବରୁ ଯାଜପୁରରେ ଭୌମକର ବଂଶ ଶାସନ କରୁଥିଲେ। ତୃତୀୟ ଅନଙ୍ଗଭୀମ ଦେବ ତାଙ୍କର ଶାସନକାଳ ଦ୍ୱାଦଶ ଶତାବ୍ଦୀରେ ପ୍ରଭୁ ବଳରାମଙ୍କୁ ଚିତ୍ତଳପୁରଠାରୁ ଆଣି ଭୀମନଗରୀରେ ମନ୍ଦିର ନିର୍ମାଣ କରି ରଖିଥିଲେ। ସେଠାରୁ ସେ ବିଜେ ପ୍ରତିମାଙ୍କୁ କଟକ ନେବାଲାଗି ଇଚ୍ଛାକରି ହାତୀ ଉପରେ ନେବାବେଳେ ପ୍ରଭୁ ବଳରାମ ଝାଡ଼ଖଣ୍ଡ ଛାଡ଼ି ଯିବେ ନାହିଁ ବୋଲି ସ୍ୱପ୍ନାଦେଶ ହେଲା। ସ୍ୱପ୍ନାଦେଶ ସ୍ଥାନ ଡେଙ୍ଗବୋରେଇ ଗ୍ରାମ (ବର୍ତ୍ତମାନର ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଣ୍ଡିଚାପଡ଼ା ପଞ୍ଚାୟତ)ରେ ସେ ଠାକୁରଙ୍କୁ ବିଜେ କରାଇଲେ। ଷୋଡ଼ଶ ଶତାବ୍ଦୀରେ କଳାପାହାଡ଼ ଭୟରେ ପୂଜା ପାଉଥିବା ପ୍ରଭୁ ବଳରାମଙ୍କୁ ସେବକମାନେ କାଣ୍ଡବିନ୍ଧା ଗ୍ରାମସ୍ଥିତ ଠାକୁରା ପୋଖରୀହୁଡ଼ାରେ ପାତାଳି କରିଦେଇଥିଲେ। ମହାନ ପରାକ୍ରମୀ ରାଜା ଢେଙ୍କାଶବର ଢେଙ୍କାନାଳକୁ ଗଡ଼କରି ରହିଥିବା ବେଳେ ତାଙ୍କୁ ପ୍ରାୟ ୧୫୭୦ ମସିହା ବେଳକୁ ଶ୍ରୀଧର ଭଞ୍ଜ ଯୁଦ୍ଧରେ ପରାସ୍ତ କରି ନପାରି ଛଳ କରି ହତ୍ୟା କରିବା ପରେ ଢେଙ୍କାନାଳଗଡ଼କୁ ଅଧିକାର କରିଥିଲେ। ଜଣେ ଶବର ଟୁଙ୍ଗା ଖୋଳୁଥିବା ବେଳେ ମହାପ୍ରଭୁଙ୍କ ମୁଣ୍ଡରେ ଖଣତି ବାଜି କ୍ଷୀର ବାହାରିଥିଲା। ଏହି ଖବର ପାଇ ବେଶାଳିଆ ରାଜା ଭଞ୍ଜସାଆନ୍ତେ ସେଠାରୁ ଠାକୁରଙ୍କୁ ପୋଖରୀ ହୁଡ଼ାରୁ ଆଣି ବର୍ତ୍ତମାନର ମନ୍ଦିର ସ୍ଥାନରେ ମଣ୍ଡପ ତୋଳାଇ ପୂଜାର୍ଚ୍ଚନା କଲେ।
୧୫୮୨ ମସିହା ବେଳକୁ କରମୂଳପାଟଣାର ରାଜା ହରିସିଂହ ବିଦ୍ୟାଧର ବେଶାଳିଆଗଡ଼ ଉପରେ ଆକ୍ରମଣ କରି ଭଞ୍ଜରାଜାଙ୍କୁ ପରାସ୍ତ କରି ଢେଙ୍କାନାଳ ଗଡ଼ରେ ରାଜବଂଶ ପ୍ରତିଷ୍ଠା କଲେ। ହରିସିଂହ ବିଦ୍ୟାଧର ବଳରାମ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ତାଙ୍କ ପଞ୍ଚମ ପୁରୁଷ ରାଜା ନୃସିଂହ ଭ୍ରମରବରଙ୍କ ରାଜତ୍ୱ କାଳରେ ୧୬୮୬ ମସିହାରେ ଏହି ବଳରାମ ମନ୍ଦିର ନିର୍ମାଣ ଶେଷ କରି ଶ୍ରୀମନ୍ଦିର ପରି ତିନିଧୂପ, ଛତିଶା ନିଯୋଗ ରୀତିରେ ସେବାପୂଜା କରାଇଥିଲେ। ସେହି ରାଜାଙ୍କ ସମୟରୁ ମଧ୍ୟ ଢେଙ୍କାନାଳରେ ରଥଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ। ବଳରାମ ମନ୍ଦିରର ପ୍ରଭୁ ଧବଳମୟ ମଣିବିଗ୍ରହ ଶ୍ରୀ ବଳରାମ ରତ୍ନମଣ୍ଡପରୁ ବିଚ୍ୟୁତ ହେଉ ନଥିବାରୁ ରଥରେ ଯାତ୍ରା କରୁ ନଥିଲେ। ରଥଗଡ଼ାସ୍ଥିତ ମନ୍ଦିରରୁ ଦଧିବାମନ ଜିଉ ରଥରେ ଯାତ୍ରା କରୁଥିଲେ। ପରେ ରାଜା କୁଞ୍ଜବିହାରୀ ଭ୍ରମରବର ମନ୍ଦିର ମୁଖଶାଳା, ରାଜା ବ୍ରଜବିହାରୀ ଭ୍ରମରବର ଜଗମୋହନ, ରାଜା ରାମଚନ୍ଦ୍ର ମହେନ୍ଦ୍ର ବାହାଦୂର ମନ୍ଦିରର ବେଢ଼ା, ମହାରାଜ ଭଗୀରଥ ମହୀନ୍ଦ୍ର ବାହାଦୂର ସିଂହଦ୍ୱାର ଓ ଗୁମୁଟ ନିର୍ମାଣ କରିଥିଲେ। ରାଜଶ୍ରୀ ସୁରପ୍ରତାପ ମନ୍ଦିର ପରିସରରେ ଭଣ୍ଡାରଘର, ଝୁଲଣଘର ଓ ୧୯୦୯ ମସିହାରେ ଜଗନ୍ନାଥ ମନ୍ଦିର ନିର୍ମାଣ କଲେ। ସେହି ବର୍ଷଠାରୁ ଜଗନ୍ନାଥ ରଥଯାତ୍ରାରେ ଯାତ୍ରା କରୁଛନ୍ତି। ଯାହାକି ଅଦ୍ୟାବଧି ପ୍ରଚଳିତ ରହିଛି।