ଖୋର୍ଦ୍ଧା/ଜଟଣୀ: ଖୋର୍ଦ୍ଧା ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୭ କିଲୋ ଗ‌ଞ୍ଜେଇ ଜବତ କରିଛି। ଗଂଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇବା ପରେ ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶରେ ଏସପିଓଙ୍କ ସୁଶୀଲ କୁମାର ମିଶ୍ର ଓ ଡେପୁଟି ଏସପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏସ୍ଆଇ ସୁକାନ୍ତ ଦଳାଇ, ଏଏସ୍ଆଇ ପି.କେ. ପ୍ରଧାନ, ହାବିଲଦାର ଅଭୟ ସାମନ୍ତରାୟଙ୍କୁ ନେଇ ଗଠିତ ଟିମ୍ ନୂଆବସ୍‌ ଷ୍ଟାଣ୍ଡ ନିକଟ ଟିଏଲ୍‌ସି ରାସ୍ତାରେ ଅପେକ୍ଷା କରିଥିଲେ ।

Advertisment

ଏହି ସମୟରେ ବୌଦ୍ଧ ହରଭଙ୍ଗା ଥାନା ଅଧୀନ ଗୁଣ୍ଡୁରିସାହିର ଅଜିତ କୁମାର ପ୍ରଧାନ(୨୪) ଓ ଅଶାନ୍ତ ଜଗାଦଳେଇ (୨୬) ପଲସର ବାଇକ ନଂ. ଓଡି ୧୨ଡି ୫୮୦୬ରେ ଏକ ବସ୍ତା ନେଇ ଆସୁଥିଲେ । ଗାଡ଼ି ଅଟକାଇ ଯାଂଚ କରିବାରେ ବସ୍ତାରୁ ୬ କିଲୋ ୫୦୫ ଗ୍ରାମ ଗଞ୍ଜେଇ ଓ ଭାଙ୍ଗ ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୫୫ ହଜାର ଟଙ୍କା ହେବ । ପୁଲିସ ଉଭୟଙ୍କୁ ଗିରଫ କରିବା ସହ ବାଇକ ଓ ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି । ମାମଲାର ଅଧିକ ଅନୁସନ୍ଧାନ ପାଇଁ ଏସ୍ଆଇ ସସ୍ମିତା ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।

publive-image

ସେହିପରି ଖୋର୍ଦ୍ଧା ରୋଡ୍ ରେଳବାଇ ପୁଲିସ ଓ ସ୍ୱତନ୍ତ୍ର ଏସ୍‌ଟିଏଫ୍‌ର ମିଳିତ ଚଢ଼ଉ କରାଯାଇ ବୁଧବାର ଖୋର୍ଦ୍ଧା ରୋଡ (ଜଟଣୀ) ରେଳ ଷ୍ଟେସନରୁ ଜନୈକ ଦମ୍ପତିଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୧ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି । ରେଳ ଗାଡିରେ ହେଉଥିବା ବହୁ ଚୋରି ଘଟଣାରେ ଉକ୍ତ ଦମ୍ପତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ମଙ୍ଗଳବାର ସ୍ୱତନ୍ତ୍ର ଯାଂଚରେ ଜଟଣୀ ରେଳଷ୍ଟେଶନରେ ଏହି ଦମ୍ପତି ଧରାପଡ଼ିଥିଲେ।

ସେମାନେ ଗଂଜାମ ବ୍ରହ୍ମପୁରରୁ ବସ୍‌ ଯୋଗେ ଆସି ଷ୍ଟେସନରେ ହାୱାଡା ଯିବା ପାଇଁ ଜଗନ୍ନାଥ ଏକସପ୍ରେସକୁ ଅପେକ୍ଷା କରିଥିଲେ । ଯାଂଚରେ ସେମାନଙ୍କ ନିକଟରୁ ୧୧ କିଲୋଗ୍ରାମ ୨୦୦ ଗ୍ରାମ ଗଂଜେଇ ମିଳିଥିଲା । ଗିରଫ ହୋଇଥିବା ଉଭୟ ହେଉଛନ୍ତି, ସୀମାଂଚଳ ପ୍ରଧାନ(୫୨) ଓ ତାଙ୍କ ପତ୍ନୀ ସଂଜୁ ପ୍ରଧାନ(୪୫) । ଉଭୟଙ୍କ ଘର ଗଂଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚିକିଟି-ହାଡ଼ିସାହି । ଉଭୟଙ୍କୁ ଜଟଣୀ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି।