ହୁଣ୍ଡିରୁ ମିଳିଛି ୧୮ କେଜି ସୁନା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୁଣ୍ଡିରୁ ଯାହା ଦାନ ମିଳୁଛି, ସେ ସବୁକୁ ପ୍ରତିଦିନ ଗଣାଯାଇ, ତାର ହିସାବକୁ ସାର୍ବଜନୀନ କରାଯାଉଛି। ବ୍ୟାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଟଙ୍କା ଗଣିବା ପରେ ସେ ସବୁକୁ ବ୍ୟାଙ୍କରେ ଜମା କରାଯାଉଛି। ପ୍ରତିଦିନି ଏହି ପ୍ରକ୍ରିୟା ଚାଲିଛି। ତେବେ ହୁଣ୍ଡିରୁ ଆଦାୟ ଅର୍ଥକୁ ମନ୍ଦିର ଭିତରେ ଗଣିବାର ନିୟମ ଥିବା ବେଳେ ଏ ସବୁକୁ ମନ୍ଦିର କାର୍ଯ୍ୟାଳୟରେ ଗଣାଯାଉଥିବାରୁ ହୁଣ୍ଡିରୁ ବାହାରୁଥିବା ଟଙ୍କା ଓ ଅଳଙ୍କାରର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ହୁଣ୍ଡିରୁ ବାହାରୁଥିବା ସୁନା ଓ ରୁପା ଅଳଙ୍କାରକୁ ମଧ୍ୟ ବ୍ୟାଙ୍କ୍‌ କିମ୍ବା ଟ୍ରେଜେରୀରେ ରଖାନଯାଇ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୀର୍ଘ ୩୪ ବର୍ଷ ହେବ ରଖାଯାଉଛି। ଏହି  ୩୪ ବର୍ଷ ଭିତରେ ଶ୍ରୀମନ୍ଦିର ହୁଣ୍ଡିରୁ  ୧୮ କେଜି ସୁନା ମିଳିଛି। ସେହିଭଳି ୧୨୦ କେଜିରୁ ଅଧିକ ରୁପା ମଧ୍ୟ ମିଳିଛି।

ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ମୁତାବକ, ଗତ ୧୯୮୩ରୁ ୨୦୧୮ ଜାନୁଆରି ସୁଦ୍ଧା ଶ୍ରୀମନ୍ଦିର ହୁଣ୍ଡିକୁ ୧୮ କେଜି ୨୬୧ ଗ୍ରାମ, ୫୩୬ ମିଲିଗ୍ରାମ ସୁନା ମିଳିିଛି।  ସେହିଭଳି ଏହି ସମୟ ମଧ୍ୟରେ ମୋଟ ୧୯୯ କେଜି ୭୮ ଗ୍ରାମ ୬୨୯ ମିଲି ଗ୍ରାମ ରୁପା ମିଳିଛି। ଗତ ୨୦୦୯ରେ ସର୍ବାଧିକ ୧ କେଜି ୩୨୩ ଗ୍ରାମ ସୁନା ମିଳିଥିଲା ବେଳେ ୧୯୯୨ରେ ସର୍ବାଧିକ ୧୧କେଜି ୯୪୪ ଗ୍ରାମ ରୁପା ମିଳିଥିଲା। ଇତିମଧ୍ୟରେ ଦୁଇ ନବକଳେବର ୧୯୯୬ ଓ ୨୦୧୫ରେ ମଧ୍ୟ ଅଧିକ ସୁନା ରୁପା ମିଳିଥିଲା। ୧୯୯୬ ନବକଳେବର ସମୟରେ ୨୩୭ ଗ୍ରାମ ସୁନା, ୧ କିଲୋ ୩୦୯ ଗ୍ରାମ ରୁପା, ୨୦୧୫ରେ ୯୬ ଗ୍ରାମ ସୁନା ମିଳିଥିଲା। ତେବେ ଏ ସୁନା ରୁପାକୁ ମନ୍ଦିର ପ୍ରଶାସନ ନିଜ ଦାୟିତ୍ଵରେ ରଖିଛି।

ତେବେ, ମନ୍ଦିର ପ୍ରଶାସନ କେଉଁ ନିୟମ ଆଧାରରେ ହୁଣ୍ଡି ଟଙ୍କାକୁ ମନ୍ଦିର ଭିତରେ ନଗଣି କାର୍ଯ୍ୟାଳୟରେ ଗଣୁଛି ଓ ଅଳଙ୍କାରକୁ ନିଜ ପାଖରେ ରଖିଛି ଏ ନେଇ ପରିଚାଳନା କମିଟିରେ ଆଲୋଚନା ହେଉଛି କି ନାହି  ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର