ଭାରରେ ବୁହାହେଲେ ୧୮କିମି, କଷ୍ଟରେ ମେଡ଼ିକାଲ ପହଞ୍ଚିଲେ ବଣ୍ଡା ମହିଳା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ସ୍ବାସ୍ଥ୍ୟସେବାର ପୁଣି ଗୋଟିଏ ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳିଛି। ଯୋଗଯୋଗ କ୍ଷେତ୍ରରେ ପଛୁଆ ଏହି ଅଞ୍ଚଳର ଜଣେ ରୋଗୀଙ୍କୁ ୧୮ କିଲୋମିଟର ଭାରରେ ବୋହି ହସ୍ପିଟାଲ ନେବାକୁ ପଡ଼ିଛି। ଏଥିପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିଥିବାବେଳେ ମହିଳାଙ୍କ ସମ୍ପର୍କୀୟଙ୍କୁ ବଡ଼ କଷ୍ଟ ସହିବାକୁ ପଡ଼ିଛି। ଅନ୍ୟପଟେ ବଣ୍ଡା ଘାଟିରେ ସରକାରୀ ଯୋଜନାର ବାସ୍ତବତାକୁ ଏହି ଘଟଣା ପଦାରେ ପକାଇ ଦେଇଛି। ସୂଚନା ଅନୁଯାୟୀ, ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଗୋଇଗୁଡା ଗ୍ରାମର ଶୁକ୍ରି ଚାଲାଣ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ତେବେ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ପରିବାର ଲୋକ ମେଡିକାଲ ନେଇପାରି ନଥିଲେ। ଆଜି ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେବାକୁ ପ୍ରସ୍ତୁତ ହୋଇଥିଲେ ପରିବାର। ଏଥିପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୋବାଇଲ ନେଟୱର୍କ ନଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ଯାହାଫଳରେ ବାଧ୍ୟ ହୋଇ ଗୋଟିଏ ବାଉଁଶରେ ଭାର କରି ମୁଦୁଲିପଡ଼ା ମେଡିକାଲକୁ ବାହାରିଥିଲେ। ଝିପଝିପ୍ ବର୍ଷାରେ ପରିବାର ଓ ସଂପର୍କୀୟ ପ୍ରାୟ ୪କିଲୋମିଟର ଦୂରରେ ଥିବା ମୁଦୁଲିପଡ଼ା ମେଡିକାଲରେ ପହଞ୍ଚିଥିଲେ। ପ୍ରାଥମିକ ଚିକିତ୍ସା ପରେ ବି ସ୍ବାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ ଖଇରପୁଟ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏଠାରେ ବି ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଶୁକ୍ରିଙ୍କ ପରିବାର ଲୋକ। ମୋବାଇ‌ଲ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିପାରି ନଥିଲେ। ଏହାପରେ ପୁଣି ‌ଭାର କରି ୧୪ କିଲୋମିଟର ଦୂରରେ ଥିବା ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲି ଚାଲି ମେଡିକାଲକୁ ଯାଇଥିଲେ। ଶେଷ ଖବର ସୁଦ୍ଧା ଶୁକ୍ରିଙ୍କ ଚିକିତ୍ସା ଚାଲିଥିଲା। ହେଲେ ତାଙ୍କୁ କ’ଣ ହୋଇଛି ସେନେଇ କିଛି ଡାକ୍ତର ସ୍ପଷ୍ଟ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର