ବ୍ରହ୍ମପୁର : ଦୁବାଇରେ ଫସିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବେଗୁନିଆପଡା ଓ ଛତ୍ରପୁର ଅଞ୍ଚଳର ୧୮ ଜଣ ଶ୍ରମିକ। ଏହି ଶ୍ରମିକମାନେ ଏକ ଭିଡିଓ ଜାରି କରି ସେଥିରେ ନିଜନିଜର ନିର୍ଯ‌‌ାତନା କାହାଣୀ ଶୁଣାଇଛନ୍ତି।

Advertisment

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର କାର୍ତ୍ତିକ ଜେନା ନାମକ ଜଣେ ଠିକାଦାର ଗତ ୨୦୧୮ ନଭେମ୍ବର ୪ ତାରିଖରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ବେଗୁନିଆପଡା ଓ ଛତ୍ରପୁର ବ୍ଲକ ଅଞ୍ଚଳର ୧୮ଜଣ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲାଗି ଦୁବାଇ ନେଇଥିଲେ। ବିମାନ ଓ ପାସ‌ପୋର୍ଟ ଖର୍ଚ୍ଚ ବାବଦକୁ ପ୍ରତ୍ୟେକଙ୍କ ଠାରୁ ୫୦ହଜାର ଟଙ୍କା ଲେଖାଏଁ ସେ ନେଇଥିଲା। ଦିନକୁ ୯ଶହ ଟଙ୍କା ମଜୁରୀ ଏବଂ ଖାଇବା ଲାଗି ୨ଶହ ଟଙ୍କା ଏଭଳି ଦିନକୁ ୧୧ଶହ ଟଙ୍କା ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲା। ସେଠାକୁ ଗଲା ପରଠାରୁ ଉକ୍ତ ଶ୍ରମିକଙ୍କୁ ନିୟମିତ କାମ ଦିଆଯାଉ ନାହିଁ। ଯେଉଁଦିନ କାମ ଦେଉଛନ୍ତି ୫ଘଣ୍ଟା। ୪ମାସ ହେଲା ମଜୁରୀ ପାଇ ନାହାନ୍ତି। ମଜୁରୀ ମାଗିଲେ ମାଡ଼ ମରାଯିବା ସହ ଗାଳିଗୁଲଜ କରୁଛନ୍ତି। ଖାଇବାକୁ ନ ଦେଇ ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଥିସହିତ, ଭିଡିଓ ଜରିଆରେ ପରିବାର ଲୋକଙ୍କୁ ନିର୍ଯାତନାର କାହାଣୀ ଶୁଣାଇଛନ୍ତି।

ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକଙ୍କ ପରିବାର ସଦସ୍ୟମାନେ ଆଜି ଛତ୍ରପୁର ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଶ୍ରମିକଙ୍କୁ ଦୁବାଇରୁ ଉଦ୍ଧାର କରି ଫେରାଇ ଆଣିବା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ସଂକ୍ରାନ୍ତରେ ରାଜ୍ୟ ଶ୍ରମ କମିସନର ନିରଞ୍ଜନ ସାହୁଙ୍କୁ ଚିଠି ଲେଖି ପଦକ୍ଷେପ ନେବା ଲାଗି ଅନୁରୋଧ କରିଥିବା ଜଣାପଡ଼ିଛି।