କୋଏମ୍ବାଟୁରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ବୌଦ୍ଧ ଜିଲ୍ଲାର ୧୮ ଜଣ ଶ୍ରମିକ

ସାଙ୍ଗରେ ବ୍ରେନ୍‌ ଟ୍ୟୁମର ରୋଗୀ, ଭାଇରାଲ୍‌ ହେଉଛି ଭିଡ଼ିଓ

ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ୍ ଯୋଗୁଁ ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ଅଞ୍ଚଳରୁ ୧୮ ଜଣ ଶ୍ରମିକ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୁନ୍ଦୁଳିଆ ପଞ୍ଚାୟତ ଖମାର ଗାଁର ଗରୁଡଧ୍ବଜ ମଲିକଙ୍କ ପୁଅ ସନାତନ ମଲ୍ଲିକ(୨୬)ଙ୍କୁ ବ୍ରେନ୍ ଟ୍ୟୁମର ହୋଇ ଗୁରୁତର ଅବସ୍ଥାରେ ଥିବା ସେମାନେ ପଠାଇଥିବା ଭିଡ଼ିଓରେ କହିଛନ୍ତି। ଉଦ୍ଧାର କରିବା ପାଇଁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ବୌଦ୍ଧ ଜିଲ୍ଲାପାଳ ଓ କଣ୍ଟାମାଳ ବିଧାୟକଙ୍କୁ ଅନୁରୋଧ କରି ଏହି ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଜିଲ୍ଲାକୁ ପଠାଇଛନ୍ତି। ଯାହାକି ଗୁରୁବାର ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁସାରେ ଉକ୍ତ ଶ୍ରମିକମାନେ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ଥେନାୟାପାଲୟମ୍ ନିକଟରେ ଥିବା ଏଲ୍‌ଏନ୍‌ଡବ୍ଲୁ ନାମକ କମ୍ପାନିରେ ଶ୍ରମିକ ଭାବେ ଗତ ଦୁଇ ବର୍ଷ ହେଲା କାମ କରୁଛନ୍ତି। ଲକ୍‌ଡାଉନ୍ ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିଲା। ସେମାନଙ୍କର ସହ ଥିବା ସନାତନକୁ ଛାଡି ଜିଲ୍ଲାକୁ ଫେରି ପାରିଲେ ନାହିଁ। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଔଷଧପତ୍ର ମଧ୍ୟ କିଣିବା ସମ୍ଭବ ହେଉନାହିଁ। ସେମାନେ ମଧ୍ୟ ହାତରେ ଥିବା ସବୁ ଟଙ୍କା ପାଇସା ଖର୍ଚ୍ଚ ହୋଇସାରିଛି। ଖାଇବାକୁ କିଛି ନାହିଁ। କମ୍ପାନୀ ମାଳିକ ଯିବାକୁ କହୁଛି ବୋଲି ସେମାନେ ପଠାଇଥିବା ଭିଡ଼ିଓରେ କହିଛନ୍ତି।

ସେଠାରେ ଫସି ରହିଥିବା ୧୮ଜଣ ଶ୍ରମିକ ମାନେ ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତ ଖମାର ଗାଁର କୃପାସିନ୍ଧୁ ବାଙ୍କ, କୈଳାଶ ଝାଙ୍କର, ଅଜିତ୍ ଝାଙ୍କର, କମଳ ମଲ୍ଲିକ, ଅଶୋକ ମଲ୍ଲିକ, ରଂଜନ ଝାଙ୍କର, ସନାତନ ମଲ୍ଲିକ, କ୍ଷମାନିଧି ମଲ୍ଲିକ, ଅଁଳାଚୁଆଁ ଗାଁର ପୁରନ୍ଦର ସାହୁ, ପୁଟାକେତା ଗ୍ରାମର ମହେନ୍ଦ୍ର ବଗର୍ତ୍ତି, ଚେରୁପାଲି ଗ୍ରାମର ଦୁଷ୍ମନ୍ତ ସେଠୀ ଓ ପୂର୍ଣ୍ଣଚନ୍ଦ୍ର ସେଠୀ, ପାଇକବାହାଲ ଗାଁର ସୁରେଶ ସାହୁ, ଅନ୍ତପାଲି ଗାଁର ସୁରେଶ କହଁର, ପଣ୍ଡକିଟାଲ ଗାଁର ଲଳିତ ଧରୁଆ, ତାଲପଡ଼ା ଗାଁର କୃପାସିନ୍ଧୁ ବଘାର, ଆଗଲପୁରର ଆଲୋକ ମହାକୁଡ଼ ଏବଂ କଟକର କୁମାର ସ୍ୱାଇଁ ବୋଲି ଜଣାପଡିଛି। ସୋସିଆଲ୍‌ ମିଡ଼ିଆରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ବ୍ୟବସ୍ଥା କରାଯିବା ସହ ଗୁରୁତର ସନାତନକୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର