ରାଜ୍ୟର ବିଭିନ୍ନ ଅଦାଲତରେ ୧୮ ଲକ୍ଷ ୪୨ ହଜାର ମାମଲା ବିଚାରାଧୀନ: କଟକରେ ସବୁଠୁ ଅଧିକ ମାମଲା, ଗଜପତିରେ ସବୁଠୁ କମ୍

କଟକ : ରାଜ୍ୟର ବିଭିନ୍ନ ଅଦାଲତରେ ମୋଟ ୧୮ ଲକ୍ଷ ୪୨ ହଜାର ୪୯୧ଟି ମାମଲା ବିଚାରାଧୀନ ରହିଛି। ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୩, ମେ ୩୧ ସୁଦ୍ଧା ବିଭିନ୍ନ ଜିଲ୍ଲା ଓ ଅନ୍ୟାନ୍ୟ ଅଦାଲତରେ ୩ ଲକ୍ଷ ୪୮ ହଜାର ୩୭୩ଟି ସିଭିଲ କେସ୍ ଓ ୧୪ ଲକ୍ଷ ୯୪ ହଜାର ୧୧୮ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ୨୦୨୩, ଜାନୁଆରି ଆରମ୍ଭରେ ସାରା ରାଜ୍ୟରେ ମୋଟ ୧୮ ଲକ୍ଷ ୨୬ ହଜାର ୧୦୦ ମାମଲା ବିଚାରାଧୀନ ଥିଲା। ଚଳିତ ବର୍ଷ ମେ ୩୧ ସୁଦ୍ଧା ୨ ଲକ୍ଷ ୧ ହଜାର ୨୨୯ଟି ନୂଆ ମାମଲା ଦାୟର ହୋଇଥିବା ବେଳେ ଗତ ୫ ମାସରେ ‌ଫୈସଲା ହୋଇଥିବା ମାମଲା ସଂଖ୍ୟା ୧ ଲକ୍ଷ ୮୪ ହଜାର ୮୩୮ ଥିଲା। ସିସିଟିଭି ଫଟୋ ଆଧାରରେ ଜାରି ସ୍ବୟଂଚାଳିତ ଚାଲାଣ ବ୍ୟବସ୍ଥାରେ ମୋଟରଯାନ ଆଇନରେ ରୁଜୁ ୩୧,୯୫୫ ନୂଆ ମାମଲା ଯୋଗୁଁ କ୍ରିମିନାଲ କେସ୍ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି।

ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ‌କଟକ ଜିଲ୍ଲା ରହିଛି। ପୂର୍ବରୁ ଖୋର୍ଦ୍ଧା ଏହି କ୍ଷେତ୍ରରେ ଆଗୁଆ ରହୁଥିବା ବେଳେ ଏଥର କିନ୍ତୁ କଟକ ଜିଲ୍ଲାରେ ସବୁ ଠାରୁ ଅଧିକ ମାମଲା ବିଚାରାଧୀନ ରହିଛି। କଟକ ଜିଲ୍ଲା‌ର ବିଭିନ୍ନ ଅଦାଲତରେ ୧ ଲକ୍ଷ ୯୭ ହଜାର ୭୨୦ଟି ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରେ ୩୯ ହଜାର ୭୧୨ଟି ସିଭିଲ ଓ ୧ ଲକ୍ଷ ୫୮ହଜାର ୮ଟି କ୍ରିମିନାଲ ମାମଲା ଅନ୍ତର୍ଭୁକ୍ତ ବୋଲି ଜଣା ପଡିଛି। କଟକ ତଳକୁ ରହିଥିବା ଖୋର୍ଦ୍ଧା ଜିଲ୍ଲାରେ ଏବେ ୧ ଲକ୍ଷ ୯୭ ହଜାର ୨୬୬ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୫୫ ହଜାର ୯୧ ସିଭିଲ କେସ୍ ଓ ୧ ଲକ୍ଷ ୪୨ ହଜାର ୧୭୫ କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ତୃତୀୟ ସ୍ଥାନରେ ରହିଛି ବାଲେଶ୍ବର ଜିଲ୍ଲା। ବାଲେଶ୍ବର ଜିଲ୍ଲାରେ ୩୮ ହଜାର ୯୧୧ଟି ସିଭିଲ ଓ ୮୫ ହଜାର ୪୨୩ କ୍ରିମିନାଲ କେସକୁ ମିଶାଇ ମୋଟ ୧ ଲକ୍ଷ ୨୪ ହଜାର ୩୩୪ଟି ମାମଲା ବିଚାରାଧୀନ ରହିଛି। ଗଜପତି ଜିଲ୍ଲାରେ ସବୁ ଠାରୁ କମ୍ ୯ ହଜାର ୩୩୬ଟି ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରେ ୫୪୭ଟି ସିଭିଲ କେସ୍ ଓ ୮ ହଜାର ୭୮୯ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ।

ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଅନୁଗୁଳରେ ୯୦୬୯୦, ବଲାଙ୍ଗୀରରେ ୫୦୦୪୪, ବରଗଡରେ ୫୨,୩୩୦, ଭଦ୍ରକରେ ୯୬,୭୧୨, ବୌଦ୍ଧରେ ୧୭୯୭୬, ଦେବଗଡ଼ରେ ୧୫୭୬୮, ଢେଙ୍କାନାଳରେ ୪୪୭୭୫, ଗଞ୍ଜାମରେ ୮୫,୧୯୯, ଜଗତସିଂହପୁରରେ ୪୪,୨୭୯, ଯାଜପୁରରେ ୯୦,୯୯୬, ଝାରସୁଗୁଡ଼ାରେ ୪୧,୫୬୩, କଳାହାଣ୍ଡିରେ ୪୪,୨୮୮, କନ୍ଧମାଳରେ ୧୬,୩୯୨, କେନ୍ଦ୍ରାପଡ଼ାରେ ୬୦,୯୬୪, କେନ୍ଦୁଝରରେ ୫୪,୯୮୫, କୋରାପୁଟରେ ୩୭,୮୦୩, ମାଲକାନଗିରିରେ ୧୦,୬୫୫, ମୟୂରଭଞ୍ଜରେ ୬୯,୧୯୩, ନବରଙ୍ଗପୁରରେ ୨୬,୧୪୩, ନୟାଗଡ଼ରେ ୨,୯୫,୭୭, ନୂଆପଡ଼ାରେ ୧୯୬୯୩, ପୁରୀରେ ୮୪,୫୪୨, ରାୟଗଡ଼ାରେ ୨୧,୧୩୬, ସମ୍ବଲପୁରରେ ୮୬,୯୫୪, ସୋନପୁରରେ ୨୬,୦୭୮, ସୁନ୍ଦରଗଡ଼ରେ ୯୫,୧୦୦ ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର