ଭୁବନେଶ୍ବର: ମଣ୍ଡିରୁ କିଣିବା ବେଳେ ଗୋଟିଏ ନମ୍ବର। ମଣ୍ଡିରୁ ବାହାରିବା ପରେ ଅଲଗା ନମ୍ବର। ଏମିତି ଟ୍ରକ ନମ୍ବର ବଦଳାଇ ମଟର ଆଣୁଥିଲା। ଏଭଳି ଜଣେ ଠକକୁ ଝାଡ଼ଖଣ୍ଡ ପୁଲିସ ଭୁବନେଶ୍ବରରୁ ଗିରଫ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲାର ସମ୍ବିତ ଖଟେଇ। ପୁଲିସ ତା’ଠାରୁ ଗୋଟିଏ କଣ୍ଟେନର ଜବତ କରିଛି। ସୂଚନା ମୁତାବକ, ଦୀର୍ଘ ବର୍ଷ ହେବ ସମ୍ବିତ ସହିଦନଗର ଥାନା ଭୋଇନଗର ଅଞ୍ଚଳରେ ରହି ବାହାରକୁ ଚିଙ୍ଗୁଡ଼ି, ପରିବା ଆଦି ରପ୍ତାନି କରୁଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଜିନିଷ ମଗାଉଥିଲା। ନିଜେ ଅନ୍ୟରାଜ୍ୟକୁ ଯାଇ କଣ୍ଟେନର ନମ୍ବରଗୁଡ଼ିକରେ ଚଞ୍ଚକତା କରୁଥିଲା। ଜିନିଷ କିଣିବା ସମୟରେ କଣ୍ଟେନର ନମ୍ବରକୁ ବଦଳାଇ ଜିନିଷ ଆଣୁଥିଲା। ପରେ ବାଟରେ ନମ୍ବରକୁ ବଦଳାଇ ଦେଉଥିଲା। ମାଲ୍ ପହଞ୍ଚିନଥିବା କହି ବ୍ୟବସାୟୀଙ୍କୁ ଠକି ଚାଲିଥିଲା। ହେଲେ ତା’ର ଏଭଳି ଚାଲ୍‌ ସବୁଦିନ ଚାଲିନଥିଲା। ଗତ ୧୬ ତାରିଖରେ ସମାନ ଢଙ୍ଗରେ ଝାଡ଼ଖଣ୍ଡର ଜଣେ ବ୍ୟବସାୟୀଙ୍କୁ ୧୮ଲକ୍ଷ ଚୂନ ଲଗାଇଥିଲା।

Advertisment

ଝାଡ଼ଖଣ୍ଡରୁ କଣ୍ଟେନରରେ ମଟର ଲୋଡ୍‌ ସମୟରେ ଗାଡ଼ିରେ ଜାଲି ନମ୍ବର ବ୍ୟବହାର କରିଥିଲା। ଆଉ ପରେ ରାସ୍ତାରେ ଗାଡ଼ିର ଅସଲି ନମ୍ବରକୁ ବ୍ୟବହାର କରିଥିଲା। ଜିନିଷ ପହଞ୍ଚି ନଥିବା କହି ମାଲିକଙ୍କୁ ଭୂଆଁ ବୁଲାଇ ୧୮ଲକ୍ଷ ଟଙ୍କା ଦେଇନଥିଲା। ଏନେଇ ବ୍ୟବସାୟୀ ଜଣକ ଝାଡ଼ଖଣ୍ଡ ପୁଲିସରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସ୍‌ ଟୋଲ୍‌ ଗେଟ୍‌ରୁ କଣ୍ଟେନର ନମ୍ବର ଟ୍ରେସ୍‌ କରିଥିଲା। ଯେଉଁଥିରେ ସମ୍ବିତଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଲିଙ୍କ ଥିବା ଜଣାପଡ଼ିଥିଲା। ପାସ୍‌ବୁକ୍‌ ଏବଂ ମୋବାଇଲ୍‌ ନମ୍ବର ମ୍ୟାଚ୍‌ ପରେ ଝାଡ଼ଖଣ୍ଡ ପୁଲିସ ସହିଦନଗର ଥାନା ସହ ଯୋଗାଯୋଗ କରିଥିଲା। ବୁଧବାର ଭୋର୍‌ରୁ ଝାଡ଼ଖଣ୍ଡ ପୁଲିସର ୪ଜଣିଆ ଟିମ୍‌ ଭୋଇନଗରସ୍ଥିତ ସମ୍ବିତ ଘରେ ଚଢ଼ଉ କରି ଗିରଫ କରିଥିଲା।