ଦିବ୍ୟାଙ୍ଗ ଯାଁଳା ସନ୍ତାନଙ୍କ ଚିକିତ୍ସା ଲାଗି ୧୮ ଲକ୍ଷ ଟଙ୍କାରେ ଜମି ବିକିଲେ, ସରକାରୀ ସହାୟତା ଅପେକ୍ଷାରେ ଟି.ମାଧବ

ବ୍ରହ୍ମପୁର: ୬ ବର୍ଷର ଦିବ୍ୟାଙ୍ଗ ଯାଁଳା ସନ୍ତାନର ଚିକିତ୍ସା ଲାଗି ୧୮ ଲକ୍ଷ ଟଙ୍କାରେ ଜମିବାଡ଼ି ବିକିଦେଲେ ଟି. ମାଧବ। ଏବେ ପିଲାଙ୍କ ଚିକିତ୍ସା ପାଇଁ ହାତରେ ଟଙ୍କା, ଜମିବାଡ଼ି ଓ ଅନ୍ୟ ସଂପତ୍ତି ନାହିଁ। ଏଣେ ପିଲା ଦୁଇଟିର ଔଷଧ ଖର୍ଚ୍ଚ ପାଇଁ ମାସକୁ ୧୦ ହଜାର ଟଙ୍କା ଦରକାର। ଜନ୍ମରୁ ଦିବ୍ୟାଙ୍ଗ ପୁଅ ଟି.ମୋହନ ଓ ଝିଅ ଟି.ମୋନିକାଙ୍କୁ କେମିତି ଭଲ କରିବେ ସେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଟି. ମାଧବ ତାଙ୍କର ପତ୍ନୀ ଟି. ମୀନା। ପୁଅ-ଝିଅଙ୍କ ଚିକିତ୍ସା ଲାଗି ଏବେ ପତି-ପତ୍ନୀ ସରକାରୀ ସହାୟତା ଦରକାର କରୁଛନ୍ତି।

ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକର ମେଦିରୀ ସାହିରେ ରହନ୍ତି ଟି. ମାଧବ ରାଓ ଓ ତାଙ୍କର ପତ୍ନୀ ଟି. ମୀନା। ୬ ବର୍ଷ ପୂର୍ବରୁ ତାଙ୍କର ଯାଁଳା ପୁଅ ଟି.ମୋହନ ଓ ଝିଅ ଟି.ମୋନିକାଙ୍କ ଜନ୍ମ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟ ଯେ, ଉଭୟ ଯାଁଳା ଶିଶୁ ଦିବ୍ୟାଙ୍ଗ ହୋଇ ଜନ୍ମ ନେଇଥିଲେ। ଏମାନେ ଅପରିପକ୍ୱ ଶିଶୁ ଭାବେ ଜନ୍ମ ନେଇଥିଲେ। ଟି.ମୀନା ୬ ମାସର ଗର୍ଭବତୀ ଥିବା ବେଳେ ଯାଁଳା ଶିଶୁ ଜନ୍ମ ଦେଇଥିଲେ।

ତେବେ ଜନ୍ମ ସମୟରୁ ହିଁ ଝିଅଟି ସଂପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଥିଲା। କିନ୍ତୁ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ପରେ ପୁଅ ଏବେ ୫୦ ପ୍ରତିଶତ ଦୃଷ୍ଟି ଶକ୍ତି ଫେରିପାଇଛି। ଝିଅ ଆଦୌ ଚାଲିପାରୁ ନାହିଁ ଏବଂ ସେ ମାନସିକ ବିକାରଗ୍ରସ୍ତ ଭାବେ ଜୀବନ ଅତିବାହିତ କରୁଛି।

ଟି. ମାଧବ କହନ୍ତି ପୁଅ-ଝିଅଙ୍କ ଚିକିତ୍ସା ଲାଗି ମାସକୁ ପ୍ରାୟ ୧୦ ହଜାର ଟଙ୍କା ଦରକାର। ମେଦିରୀ ସାହିରେ ଥିବା ଏକ ଜମି ବିକ୍ରି ହୋଇଗଲା। ହାତରେ ଆଉ କିଛି ଧନ ସଂପତ୍ତି ନାହିଁ। ସରକାରୀ ସହାୟତା କହିଲେ କେବଳ ଭିନ୍ନକ୍ଷମ ଭତ୍ତା ୭୫୦ ଟଙ୍କା ଲେଖାଏଁ ମିଳୁଛି।

ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଆସି ବର୍ଷ ବର୍ଷ ହେବ ପୁରୁଷାନୁକ୍ରମେ ବ୍ରହ୍ମପୁରରେ ରହୁଥିବା ଟି. ମାଧବ ବାଉଁଶରୁ ଝୁଡ଼ି, କୁଲା, ଟୋକେଇ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ବେତ ଓ ଚେୟାର ବୁଣାବୁଣି ବି କରନ୍ତି। ସରକାରୀ ଯୋଜନା ତାଙ୍କ ପାଇଁ ସ୍ୱପ୍ନ। ରାଜ୍ୟ ଚିକିତ୍ସା ପାଣ୍ଠି ଅଥବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳିଲେ ପୁଅ-ଝିଅଙ୍କ ଚିକିତ୍ସା କରାଇପାରନ୍ତେ ବୋଲି ଟି. ମାଧବ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.