ସମ୍ବଲପୁର: ଆସନ୍ତାକାଲି ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ କରାଯିବ। ଏଥିପାଇଁ ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ବଣ୍ଟନ ପରେ ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ। ଏହାସହ ଯେଉଁମାନେ ଏନ୍‌ପିସିଆଇରେ ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁରରେ ସୂଚନା ଦେଇଛନ୍ତି। 

Advertisment

ସମ୍ବଲପୁର ରେଳ ଷ୍ଟେସନ୍‌ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ୩ ଲକ୍ଷ ୩୮ ହଜାର ଏନ୍‌ପିସିଆଇ ମଧ୍ୟରୁ ୫୯ ହଜାର ଏନ୍‌ପିସିଆଇ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଯାଇଛି। ଯେହେତୁ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ତେଣୁ ଅନ୍ୟମାନଙ୍କୁ ଯୋଡ଼ିବା ନିମନ୍ତେ ବ୍ୟକ୍ତିଗତସ୍ତରରେ ଉଦ୍ୟମ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟ ମାର୍ଚ୍ଚ ୮ରେ ଯେଉଁମାନେ ଯୋଡ଼ିହେବେ ସେମାନେ ପ୍ରଥମ କିସ୍ତି ସହିତ ଦ୍ବିତୀୟ କିସ୍ତିର ବି ଟଙ୍କା ପାଇବେ। ସୁଭଦ୍ରା ଯୋଜନା ମହିଳାମାନଙ୍କ ବିକାଶର ମୂଳ ପିଣ୍ଡ। ଏହି ଯୋଜନା ଆଗାମୀ ଦିନରେ ମହିଳାମାନଙ୍କୁ ଉଦ୍ୟୋଗୀ, ବ୍ୟବସାୟୀ ଭାବେ ଗଢ଼ିତୋଳିବ ବୋଲି ସେ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରତିନିଧିତ୍ବ କରୁଥିବାରୁ ଏହି ଅଞ୍ଚଳର ବିକାଶ ଦିଗରେ ସେ ପ୍ରୟାସରତ ରହିଛନ୍ତି। ଆଜି ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି। ସେମାନଙ୍କୁ ଘରୁ ଆଣିବା ଏବଂ ତୀର୍ଥଯାତ୍ରା ସାରି ଘରକୁ ପହଞ୍ଚାଇବା ଦାୟିତ୍ବ ସରକାରଙ୍କର ‌ବୋଲି ସେ କହିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ, ରେଳବାଇ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ ଶୁଭାରମ୍ଭ ଅବସରରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାଏକ, ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡିଆର୍‌ଏମ୍‌ ତୁଷାରକାନ୍ତ ପାଣ୍ଡେ ପ୍ରମୁଖ ମଞ୍ଚାସୀନ ଥିଲେ।