ଛତ୍ରପୁର: ବାହାର ରାଜ୍ୟର ଅପରାଧୀଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲାରେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା ଚାଲିଥିଲା। ଏଥିପାଇଁ ଅପରାଧୀ ଗ୍ୟାଙ୍ଗ୍ ବିଭିନ୍ନ ଜାଗାରେ ଗତିବିଧିକୁ ଜୋର୍ଦାର୍ କରିବା ସହ ସେମାନଙ୍କ ନେଟ୍ୱର୍କକୁ ଆହୁରି ସକ୍ରିୟ କରିଥିଲେ। ଏକାଧିକ ବ୍ୟକ୍ତି ସେମାନଙ୍କ ଟାର୍ଗେଟ୍ରେ ରହିଥିଲେ। ତେବେ ଠିକଣା ସମୟରେ ଗଞ୍ଜାମ ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଥାନା ଅଞ୍ଚଳରେ ଅପରେସନ୍ ଆରମ୍ଭ କରି ସେମାନଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ୬ଟି ଥାନା ଅଞ୍ଚଳରୁ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୧୭ଟି ବନ୍ଧୁକ, ୬୬ଟି ଗୁଳି ଓ ୪ଟି ଖୋକା ଜବତ କରାଯାଇଛି। ଶେରଗଡ଼, ଭଞ୍ଜନଗର, ପୋଲସରା, କୋଟିନଡ଼ା, ଆସିକା ଓ ଚମାଖଣ୍ଡି ଅଞ୍ଚଳରୁ ଉକ୍ତ ଅପରାଧୀମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଜବତ ହୋଇଥିବା ମାଉଜର୍ ବିହାର ରାଜ୍ୟର ମୁଙ୍ଗେର୍ଠାରେ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି। ଗିରଫ ଅପରାଧୀମାନେ ହେଲେ ରିଣ୍ଟୁ ଓରଫ୍ ପ୍ରଶାନ୍ତ କୁମାର ପ୍ରଧାନ, ଅଜିତ ଗୌଡ଼, କୁନା ନାହାକ, ପିଙ୍କୁ ସାହୁ, ସୁରଜ ସୁପ୍ରିୟ ନାୟକ, ଶିଶିର କୁମାର ପଣ୍ଡା, ଏ.ଶ୍ରୀକାନ୍ତ, ଶଙ୍କର ଗୌଡ଼, ଶିବ ଗୌଡ଼, ଶିବପ୍ରସାଦ ଜେନା, ଧର୍ମରାଜ ଜେନା, କମଳଲୋଚନ ଗୌଡ଼, ଶୁଭମ ଭୂୟାଁ, ଜଗନ୍ନାଥ ପ୍ରଧାନ, ପବିତ୍ର ପ୍ରଧାନ, ରାକେଶ ଦାଶ, ବାଳକୃଷ୍ଣ ଶତପଥୀ ଓ କାହ୍ନୁ ଗୌଡ଼। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
ଏହି ଗ୍ୟାଙ୍ଗ୍ର ଚେର କେତେଦୂର ଲମ୍ବିଛି, ସେ ସଂପର୍କରେ ତଦନ୍ତ ଜାରି ରହିଛି। ଏହାସହ ବାହାର ରାଜ୍ୟର ଅପରାଧୀଙ୍କ ସହ ଏମାନଙ୍କର ସଂପୃକ୍ତି ନେଇ ଖୋଳତାଡ଼ କରିବାକୁ ଆଉ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଗଠିତ ହୋଇଛି। ଉକ୍ତ ଟିମ୍ ବାହାର ରାଜ୍ୟର ପୁଲିସ ସହାୟତାରେ ତଦନ୍ତ କରିବ ବୋଲି ଆଜି ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ସୂଚନା ଦେଇଛନ୍ତି। ପୁଲିସର ଏହି ସ୍ବତନ୍ତ୍ର ଅପରେସନ୍ ବିଷୟରେ ସୂଚନା ଦେଇ ଆଇଜି କହିଛନ୍ତି, ଉକ୍ତ ଅପରାଧୀମାନଙ୍କୁ କାବୁ କରିବା ଲାଗି ଏକ ସପ୍ତାହ ପୂର୍ବରୁ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଗଠିତ ହୋଇଥିଲା। ବର୍ତ୍ତମାନ ୧୮ ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ବେଳେ ବେଳେ ଅପରାଧୀଙ୍କୁ ଦମନ ଲାଗି ଗଠନ ହୋଇଥିବା ଏହି ସ୍ୱତନ୍ତ୍ର ଟିମ୍ର ଅପରେସନ୍ ଆଗକୁ ମଧ୍ୟ ଜାରି ରହିବ। ଜିଲ୍ଲାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ଦାଗୀ ଅପରାଧୀମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଅହରହ ଉଦ୍ୟମ ଜାରି ରହିଛି ବୋଲି ଆଇଜି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଏସ୍ପି ରଞ୍ଜିତ କୁମାର ପୃଷ୍ଟି, ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା, ପୁରୁଷୋତ୍ତମପୁର ଏସ୍ଡିପିଓ ଦୀପକ କୁମାର ମିଶ୍ର, ଆସିକା ଥାନାଧିକାରୀ କୁଳମଣି ସେଠୀ, ଚମାଖଣ୍ଡି ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ପୋଲସରା ଥାନାଧିକାରୀ କୌଶିକ ମାଝୀ, ଶେରଗଡ଼ ଥାନାଧିକାରୀ ବରେନ୍ଦ୍ର ଶିଆଳ, ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଓ କୋଟିନଡ଼ା ଥାନାଧିକାରୀ ଦାମୋଦର ବିହାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/05/lA83fuOllrmP1JXeP7Ot.jpg)