୩ ମାସପରେ ମୁକୁଳିଲେ ୧୮ ଓଡ଼ିଆ ଶ୍ରମିକ; କାମ କରିବାକୁ ଯାଇ ପଞ୍ଜାବରେ ଫସିରହିଥିଲେ

ରାଉରକେଲା: ଉଚ୍ଚ ଦରମା ଆଶାରେ ଚାକିରିରେ ଯୋଗଦେବାକୁ ପଞ୍ଜାବକୁ ଯାଇଥିଲେ। ତେବେ ସେଠାରେ ମାଲିକ ବନ୍ଦୀ କରି ରଖିବା ସହ ମାନସିକ, ଶାରୀରିକ ନିର୍ଯାତନା ଦେଇଥିଲା। ତିନି ମାସ ଧରି ଅକଥନୀୟ ନିର୍ଯ୍ୟାତନା ଭୋଗିବାପରେ ଶେଷରେ ମୁକୁଳିଛନ୍ତି ୧୮ ଜଣ ଶ୍ରମିକ। ସମସ୍ତ ଅଠର ଜଣ ଶ୍ରମିକ ଆଜି ଜାମ୍ମୁ-ତାୱି ଏକ୍ସପ୍ରେସ୍‌ରେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚଥିଲେ। ଏମାନଙ୍କ ମଧ୍ୟରୁ ବନ୍ଧମୁଣ୍ଡା ଓ ଭଦ୍ରକର ୮ ଜଣ ଲେଖାଏ ଥିବାବେଳେ ୨ ଜଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର।

ପ୍ରାୟ ୩ ମାସ ପୂର୍ବେ ବନ୍ଧମୁଣ୍ଡାର ଦଲାଲ ଭବାନୀ ପଣ୍ଡା ଓ ପଞ୍ଜାବର ଦଲାଲ ଅବଦୁଲ ଅଲୀ ସ୍ଥାନୀୟ ବନ୍ଧମୁଣ୍ଡା ଅଞ୍ଚଳରେ ଏକାଧିକ ଯୁବକଙ୍କୁ ନିଯୁକ୍ତ ଲୋଭ ଦେଖାଇଥିଲେ। ପଞ୍ଜାବର ଗୁରୁଦାଶପୁର, ପଠାନକୋଟ ଅଞ୍ଚଳରେ ଉଚ୍ଚ ଦରମାରେ ଚାକିରି ସୁଯୋଗ ଥିବା କହିଥିଲେ। ଦୁଇ ଦଲାଲଙ୍କ କଥାରେ ବନ୍ଧମୁଣ୍ଡା ଡି’ କ୍ୟାବିନ, ଆର୍‌’ କ୍ୟାବିନ, ମଙ୍ଗଳବଜାର ଅଞ୍ଚଳର କିଛି ଯୁବକ ପ୍ରଲୋଭିତ ହୋଇଯାଇଥିଲେ। ଏମାନେ ପଞ୍ଜାବରେ ପହଞ୍ଚିବାପରେ ସମସ୍ତଙ୍କୁ ଏକ ପ୍ରକାର ବନ୍ଦୀଭାବେ ରଖି ଦିନରାତି କାମରେ ନିୟୋଜିତ କରିଥିଲେ। ଯିଏ କାମ କରିବାକୁ ମନା କରୁଥିଲେ କିମ୍ବା ଅସହଜ ମନେ କରୁଥିଲେ ତାଙ୍କୁ କୁଆଡ଼େ ନିର୍ଯାତନା ଦିଆଯାଉଥିଲା।

ତେବେ କୌଣସିମତେ ଦୁଇ ସପ୍ତାହ ପୂର୍ବେ ବନ୍ଧମୁଣ୍ଡାର ୬ ଜଣ ଯୁବକ ଲୁଚି ପଳାଇଆସିଥିଲେ। ସେମାନେ ରାଉରକେଲାରେ ପହଞ୍ଚିବାପରେ ସମଗ୍ର ଘଟଣା ପଦା‌କୁ ଆସିଥି‌ଲା। ଏହାପରେ ଗତ ୧୫ ତାରିଖରେ ବନ୍ଧକ ଥିବା ଶ୍ରମିକଙ୍କ ପରିବାରବର୍ଗ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ସୁରକ୍ଷିତ ଉଦ୍ଧାର ପାଇଁ ଦାବି କରିଥିଲେ। ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ତିନି ଜଣ ଯୁବକ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ତିନି ସ୍ବେଚ୍ଛାସେବୀ ପଞ୍ଜାବକୁ ଯାଇ ଗୁରୁଦାଶପୁର, ପଠାନକୋଟ ଆଦି ଅଞ୍ଚଳରେ ଥିବା ୧୮ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତଭାବେ ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଉଛନ୍ତି, ବନ୍ଧମୁଣ୍ଡାର ଗଣେଶ ଲୋହାର(୩୫), ରୋହିତ ଲୋହାର(୨୩), ଗୋପାଳ କଅଁର (୪୫), ପାତ୍ରାସ ଟପ୍ନୋ(୪୫), ବିକାଶ କେର୍କେଟା(୨୭), ଦୁର୍ଗା ‌ଲୋଚନ ଗୋପ(୩୬), ସୁଷମ‌ା ତନ୍ତୀ, ରାଜେଶ ଦେହୁରୀ, ଭଦ୍ରକର ଶିବ ମୁର୍ମୁ(୫୫), ମନୋଜ ମଲିକ(୨୪), ମଣ୍ଟୁ ମୁଣ୍ଡା(୨୦), ସନ୍ତୋଷ ବେହେରା(୬୫), ଚନ୍ଦ୍ର ମୁର୍ମୁ(୫୮), ସୁର ବିନ୍ଧାଣୀ(୫୧), ରବି ମଢ଼େଇ(୨୫), ସାଗର ହେମ୍ବ୍ରମ, ମୟୁରଭଞ୍ଜ ଜିଲ୍ଲାର ମଧୁ ସିଂହ(୩୦) ଓ ଚନ୍ଦ୍ର ନାଏକ(୩୦)। ତେବେ ସେଠାରେ ଫସିରହିଥିବା ଅନ୍ୟ ଦୁଇ ଓଡ଼ିଆ ଶ୍ରମିକ ମହେଶ ଦାଶ ଓ ବିଦେଶୀ ମହାରଣାଙ୍କ କୌଣସି ପତ୍ତା ମିଳୁନି। ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସେମାନେ ନିଖୋଜ ହୋଇଯାଇଥିବା ସୂଚାରୁ ପ୍ରକାଶ।

ସମ୍ବନ୍ଧିତ ଖବର