ବୈପାରିଗୁଡ଼ା: ଦୂର ହେବ ପାନୀୟ ଜଳ ସଙ୍କଟ। ୨୦୨୨ ସୁଦ୍ଧା ପ୍ରତି ଘରକୁ ପହଞ୍ଚିବ ପାଣି। ଉପକୃତ ହେବେ ୧୮ ପଞ୍ଚାୟତବାସୀ। ରାଜ୍ୟ ସରକାରଙ୍କ ଏପରି ପ୍ରତିଶ୍ରୁତିକୁ ବିତିଲାଣି ୩ ବର୍ଷ। ପ୍ରକଳ୍ପ ଅବଧି ମଧ୍ୟ ସରିଗଲାଣି। ଅଥଚ ଲୋକଙ୍କୁ ମିଳୁନି ପାଣି। ଫଳରେ ଗ୍ରୀଷ୍ମରେ ବୈପାରିଗୁଡ଼ା ବ୍ଲକରେ ସୃଷ୍ଟି ହୋଇଛି ହାହାକାର ସ୍ଥିତି। ବୈପାରିଗୁଡ଼ା ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ୨୦୨୧ ମସିହାରେ ଘୋଷଣା କରିଥିଲେ ରାଜ୍ୟ ସରକାର। ୧୬୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଟେଣ୍ଡର ହାତେଇଛି ମହରାଷ୍ଟ୍ରର ଜେଏମ୍‌ସି କମ୍ପାନି। ୧୮ଟି ପଞ୍ଚାୟତର ୨୮ ହଜାର ୨୫୦ ପରିବାରକୁ ପାଣି ଯୋଗାଇବା ପାଇଁ ମହୁଲି ପଞ୍ଚାୟତର ପେଟା ଘାଟିରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ପ୍ରକଳ୍ପରୁ ପ୍ରତି ଘରକୁ ପାଣି ପହଞ୍ଚାଇବା ପାଇଁ ୮୩୦ କିମି ଅଞ୍ଚଳରେ ପାଇପ୍ ବିଛାଯିବ। ଏଥିପାଇଁ ନିର୍ମାଣ ହେବ ୧୭ଟି ଓଭରହେଡ୍‌ ପାଣି ଟାଙ୍କି। ୨୦୨୨ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାର ସମୟ ସୀମା ଧାର୍ଯ୍ୟ କରିଥିଲେ। ଇତି ମଧ୍ୟରେ ଅବଧିକୁ ଦୁଇ ବର୍ଷ ବିତିବାକୁ ଯାଉଛି। କାମ ୫୦ ପ୍ରତିଶତ ସରିଥିବା ବେଳେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଲାଗିବ ଆହୁରି ଏକ ବର୍ଷ। ବିଳମ୍ବକୁ ନେଇ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରଶାସନ ଉଦାରପଣ ହୋଇ ନିର୍ମାଣ ଅବଧିକୁ ମଧ୍ୟ ବୃଦ୍ଧି କରିଛି। ଏପଟେ ଲୋକେ ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ବିଛା ହେବାକୁ ଥିବା ୮୩୦ କିମି ପାଇପ୍ ଲାଇନ୍ ମଧ୍ୟରୁ ଏଯାବତ୍ ୭୦୦ କିମି ଅଞ୍ଚଳରେ କାମ ସରିଛି। ୧୩୦ କିମି ଅଞ୍ଚଳରେ ପାଇପ୍ ଲାଇନ୍ ବିଛା ଯାଇନି। ସେହିପରି ୧୭ଟି ଓଭରହେଡ୍‌ ପାଣି ଟାଙ୍କି ମଧ୍ୟରୁ ୧୦ଟିର କାର୍ଯ୍ୟ ସରିଛି। ଯେଉଁ ୧୦ଟି ସରିଛି ତାହା ବି ପାନୀୟ ଜଳ ଯୋଗାଣ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇପାରିନି। ଅନ୍ୟ ୭ଟିର ନିର୍ମାଣ ଚାଲିଥିବା ବେଳେ ଶ୍ରମିକ ସମସ୍ୟା କାରଣରୁ ଅଧାପନ୍ତରିଆ ହୋଇ ପଡ଼ିଛି। ପାନୀୟ ଜଳ ପ୍ରକଳ୍ପର ମନ୍ଥରତାକୁ ନେଇ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଚଳିତ ଗ୍ରୀଷ୍ମରେ ସମଗ୍ର ବ୍ଲକରେ ମୁନ୍ଦାଏ ପାଣି ପାଇଁ ଲୋକଙ୍କୁ ଡହଳ ବିକଳ ହେବାକୁ ପଡ଼ିଛି। ଗ୍ରାମାଞ୍ଚଳରେ ଥିବା ନଦୀ, ନାଳ, ପୋଖରୀ ଶୁଖିଲା ପଡ଼ିବା ପାନୀୟ ଜଳ ସମସ୍ୟାକୁ ଅଧିକ ଉତ୍କଟ କରିଛି। ଅନ୍ୟପକ୍ଷରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚାଲିଥିବାରୁ ଗ୍ରାମାଞ୍ଚଳ ଏବଂ ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପର ମରାମତି ଦିଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଉନି। ବ୍ଲକରେ ଅଧିକାଂଶ ଜଳଯୋଗଣ ପ୍ରକଳ୍ପ ସହ ନଳକୂପ ଅଚଳ ହୋଇ ପଡ଼ିଛି। ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଶୋଷରେ ଆଉଟୁପାଉଟୁ ଲୋକେ ବାଧ୍ୟ ହୋଇ ଚୁଆ ଓ ଝରଣା ପାଣି ଉପରେ ଭରସା କରିବାକୁ ବାଧ୍ୟ ହେଉଛି। ଦୂଷିତ ପାଣି ପିଇ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେବାର ନଜିର ମଧ୍ୟ ରହିଛି।